ସ୍ବର୍ଗଦ୍ବାରରେ ହେବ ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ, ନେତା ମନ୍ତ୍ରୀ କଲେ ଶେଷ ଦର୍ଶନ

By

Published : Sep 29, 2022, 12:05 PM IST

thumbnail
ଭୁବନେଶ୍ବର: ଆଉ ନାହାନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକ । ଗତକାଲି (ବୁଧବାର) 90 ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ଭୁବନେଶ୍ବର ସ୍ଥିତ ବାସଭବନରେ ଜୟନ୍ତୀ ପଟ୍ଟନାୟକଙ୍କ ଶେଷ ଦର୍ଶନ କରିଛନ୍ତି ବିଭିନ୍ନ ଦଳର ବହୁ ବିଶିଷ୍ଟ ବ୍ୟକ୍ତି । କିଛି ସମୟ ପରେ କଂଗ୍ରେସ ଭବନକୁ ତାଙ୍କ ମରଶରୀର ନିଆଯିବ । ଏହାପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ହେବା ନେଇ ସୂଚନା ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଶେଷ ଦର୍ଶନ କରିଛନ୍ତି । ସ୍ବର୍ଗତ ଜୟନ୍ତୀ ପଟ୍ଟନାୟକ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରହିଥିଲେ। ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସଭାନେତ୍ରୀ ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ। କଟକ ଲୋକସଭା ମଣ୍ଡଳୀରୁ ୨ଥର ଏବଂ ବ୍ରହ୍ମପୁର ଲୋକସଭା ମଣ୍ଡଳୀରୁ ଥରେ ସାଂସଦ ହୋଇ ଅନେକ ଜନାହିତକର କାର୍ଯ୍ୟ କରିଛନ୍ତି । ସେହିଭଳି ରାଜ୍ୟସଭା ସାଂସଦ କାଯ୍ୟକାରୀ ବହୁ ସୁନାମ ଅର୍ଜନ କରିଛନ୍ତି । କଟକ ଶୈଳବାଳା ମହିଳା କଲେଜରୁ ଦର୍ଶନ ଓ ସଂସ୍କୃତିରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ବମ୍ବେ ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନ୍ସର ସମାଜ ବିଜ୍ଞାନରେ ଏମଏ ପାସ୍ କରିଥିଲେ ଜୟନ୍ତୀ ପଟ୍ଟନାୟକ। ୧୯୫୩ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ । ତାଙ୍କ ବିୟୋଗ ରାଜନୀତି କ୍ଷେତ୍ରରେ ବିଶେଷ କରି ମହିଳା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.