thumbnail

ହକି ଗ୍ରାଉଣ୍ଡରେ ଓ୍ୱେଲସ୍ ହକି ଟିମ ସହ ଖେଳିଲେ ୨୬ଟି ସ୍କୁଲର ପିଲା

By

Published : Jan 17, 2023, 6:31 PM IST

Updated : Feb 3, 2023, 8:39 PM IST

ଭୁବନେଶ୍ବର: କିଟ୍ ହକି ଗ୍ରାଉଣ୍ଡରେ ୱେଲ୍ସ ହକି ଟିମ୍ । ସ୍କୁଲ ପିଲାଙ୍କ ସହ ଖେଳିଲେ ବିଦେଶୀ ହକି ଟିମ୍ । ଭୁବନେଶ୍ବରର ୨୬ଟି ସ୍କୁଲ ପିଲାଙ୍କ ସହ ହକି ଖେଳିଲେ ୱେଲ୍ସ ଖେଳାଳି । ଏନେଇ କିଟ୍ ହକି ଗ୍ରାଉଣ୍ଡରେ ପ୍ରବଳ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା । ଏଥିରେ କିଟ୍‍ ଇଣ୍ଟରନାସନାଲ୍‍ ସ୍କୁଲ୍‍ ସମେତ ଭୁବନେଶ୍ବରର ୫୦ଟି ବିଭିନ୍ନ ସ୍କୁଲ୍‍ର ପ୍ରାୟ ୧୭ ଶହ ଛାତ୍ରଛାତ୍ରୀ ଉପସ୍ଥିତ ରହି ୱେଲ୍ସ ଟିମ୍‌କୁ ଉତ୍ସାହିତ କରିଥିଲେ ।

 

ରାଜଧାନୀର ୨୬ ପ୍ରମୁଖ ସ୍କୁଲ ଯେପରିକି ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲ, ସାଇ ଇଣ୍ଟରନାସନାଲ ସ୍କୁଲ, ଜାଭିୟର ଇଣ୍ଟରନାସନାଲ, କିଟ୍ ଇଣ୍ଟରନାସନାଲ, କିସ, ରୟାଲ ଆଦି ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ପ୍ରାୟ ୧ ଘଣ୍ଟା ଧରି ମ୍ୟାଚ ଖେଳିଥିଲେ ୱେଲ୍ସ  ହକି ଖେଳାଳି । ଏହି ସମୟରେ ଖେଳାଳିମାନେ ଡ୍ରାଗ୍ ଫ୍ଲିକ, ପେନାଲ୍‌ଟି କର୍ନର ୱାନ ଟୁ ୱାନ ପାସ, ଫ୍ଲିକ, ପାସ କନଭର୍ଟ, ପେନାଲ୍‌ଟି ସଟ୍ ଆଦି ଟେକ୍‌ନିକ୍‌ ସର୍ଟ ମଧ୍ୟ ଦେଖାଇଥିଲେ । ଛାତ୍ରଛାତ୍ରୀମାନେ ୱେଲ୍ସ ଖେଳାଳିଙ୍କ ଖେଳ ଟେକ୍‌ନିକ୍‌ ଦେଖି ମଧ୍ୟ ବେଶ ଖୁସି ହୋଇଥିଲେ‌ ।

 

ଓଡ଼ିଶା ସରକାର କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ୍‍ ଆୟୋଜନ କରୁଛନ୍ତି । ଚଳିତ ବର୍ଷ ଭାରତ ସମେତ ବିଶ୍ବକପରେ ଭାଗ ନେଇଥିବା ୧୬ ଟିମ ଓଡ଼ିଶାରେ ଅଛନ୍ତି । ଭାରତ ପ୍ରଥମ ମ୍ୟାଚ୍‌ ସ୍ପେନ୍‌ ବିପକ୍ଷରେ ଖେଳି ୨-୦ରେ ବିଜୟ ଲାଭ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ସହ କଡ଼ା ମୁକାବିଲା କରିଥିଲା । ତେବେ ଏହି ମ୍ୟାଚ୍‌ ଅମୀମାଂସିତ ରହିଥିଲା । ଆସନ୍ତା ୧୯ ତାରିଖରେ ଭାରତ ଏହାର ଶେଷ ପୁଲ ମ୍ୟାଚ୍‌ରେ ୱେଲ୍ସକୁ ଭେଟିବ । ଏନେଇ ସୋମବାର ଉଭୟ ଟିମ୍‌ ରାଉରକେଲାରୁ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ।  

 

ମଙ୍ଗଳବାର ୱେଲ୍ସ ହକି ଟିମ୍‍ କିଟ୍‍ ଓ କିସ୍‍ କ୍ୟାମ୍ପସ ପରିଦର୍ଶନ କରିଥିଲେ । କିସ୍‍ ପରିଦର୍ଶନ ସମୟରେ କିସ୍‌ରେ ପାଠ ପଢୁଥିବା ୩୦ ହଜାର ଛାତ୍ରଛାତ୍ରୀଙ୍କୁ ଦେଖି ୱେଲସ୍‍ ହକି ଟିମ୍‍ର ସମସ୍ତ ଖେଳାଳି ଓ ଅଫିସିଆଲ୍‍ ଅଭିଭୂତ ହୋଇପଡ଼ିଥିଲେ । କିସ୍‌ରେ ଏତେ ସଂଖ୍ୟକ ଜନଜାତି ପିଲାଙ୍କୁ ମାଗଣାରେ ରହିବା, ଖାଇବା ଓ ସ୍ବାସ୍ଥ୍ୟସେବା ସହ ବିନା ଦେୟରେ ପ୍ରାଥମିକସ୍ତରରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଉଚ୍ଚ ଶିକ୍ଷା ପ୍ରଦାନ କରାଯାଉଥିବା ଜାଣି ସେମାନେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ । ବିଶେଷକରି ୱେଲ୍ସ ହକି ଟିମ୍‍ କିଟ୍‍ ଓ କିସ୍‌ରେ ଥିବା ବ୍ୟାପକ ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଦେଖି ଆନନ୍ଦ ପ୍ରକାଶ କରିବା ସହ କ୍ରୀଡ଼ା ଓ କ୍ରୀଡାବିତ୍‍ଙ୍କୁ ପ୍ରୋତ୍ସାହନ କ୍ଷେତ୍ରରେ ପ୍ରତିଷ୍ଠାତା ସାମନ୍ତଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ ।  

 

ପରେ କିଟ୍‍ ବିଶ୍ବବିଦ୍ୟାଳୟ ହକି ଷ୍ଟାଡିୟମରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ ଅଚ୍ୟୁତ ସାମନ୍ତ କହିଛନ୍ତି, "ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ଓଡ଼ିଶାରେ ଦୁଇ ଦୁଇଥର ବିଶ୍ବକପ୍‍ ହକି ଆୟୋଜିତ ହୋଇପାରିଛି । କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସର୍ବଦା ପ୍ରୋତ୍ସାହନ ରହିଆସିଛି ।" ଏହି ଅବସରରେ ୱେଲ୍ସ ହକି ଟିମ୍‍ର ଖେଳାଳିମାନେ ସ୍କୁଲ୍‍ ଛାତ୍ରଛାତ୍ରୀମାନଙ୍କୁ ହକି ଖେଳର ବିଭିନ୍ନ କୌଶଳ ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇକମିଶନ ନିକ୍‍ ଲୋ, କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍‍ ଇଣ୍ଟରନାସ୍‍ନାଲ୍‍ ରିଲେସନ୍‍ସ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, କିଟ୍‍ ଇଣ୍ଟରନାସ୍‍ନାଲ୍‍ ସ୍କୁଲ୍‍ର ଅଧ୍ୟକ୍ଷ ମୋନାଲିସା ବଳ, ଅଧ୍ୟକ୍ଷ ସଞ୍ଜୟ ସୁଆର, କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

 

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.