Sambalpuri Din: କଚେରୀ ଛକରେ ମହାସମାରୋହ, ସମ୍ବଲପୁରୀ ଗୀତରେ ଦୁଲୁକିଲା ମଞ୍ଚ - ସମ୍ବଲପୁରୀ ଗୀତରେ ଦୁଲୁକିଲା ମଞ୍ଚ
🎬 Watch Now: Feature Video
ସମ୍ବଲପୁର: ଆଜି ହେଉଛି ଅଗଷ୍ଟ 1 ସମ୍ବଲପୁରୀ ଦିନ । ଏହି ଅବସରରେ ଆଜି ସମ୍ବଲପୁର ସହର କଚେରୀ ଛକରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ମହାସମାରୋହରେ ପାଳିତ ହେଉଛି । ଏହି ଅବସରରେ କଚେରୀ ଛକରୁ ଜେଲ ଛକ ସଂଲଗ୍ନ ରାସ୍ତାରେ ସମ୍ବଲପୁରୀ ନୃତ୍ୟ, ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ବଲପୁର ତଥା ଆଖ ପାଖା ଅଞ୍ଚଳର ଲୋକ କଳାକାରମାନେ ନିଜର ସମ୍ବଲପୁରୀ ନୃତ୍ୟ ଗୀତ ପରିବେଷଣ କରିଥିବା ଦେଖିବାକୁ ମିଳିଛି ।
ଏହା ପୂର୍ବରୁ ସମ୍ବଲପୁରୀ କବିତା ଆସର, ଚିତ୍ରାଙ୍କନ ପ୍ରତିଯୋଗିତା ଆଦି ଆୟୋଜନ ହୋଇଥିଲା । ପିଲାରୁ ବୃଦ୍ଧ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପିନ୍ଧି, ପାରମ୍ପରିକ ସମ୍ବଲପୁରୀ ପିଠାପଣା ଖାଇ ସମ୍ବଲପୁରୀ ନୃତ୍ୟ ଗୀତର ମଜା ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଏସପି ମୁକେଶ ଭାମୁ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ଏହା ବି ପଢନ୍ତୁ- ସମ୍ବଲପୁରୀ ଦିନ୍: ସମ୍ବଲପୁରୀ ପାଟରେ ଦର୍ଶନ ଦେଉଛନ୍ତି ସମଲେଶ୍ବରୀ
ଏହି ଅବସରରେ ଜିଲ୍ଲାପାଳ ଓ ଏସପି ସମ୍ବଲପୁର ବାସୀଙ୍କୁ ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣେଇଥିଲେ । 2013 ମସିହାରୁ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଜୟନ୍ତୀ ଅବସରରେ ଏହା ପାଳିତ ହୋଇଆସୁଛି । ରାଜ୍ୟ ତଥା ଦେଶ ବାହାରେ ଅଗଷ୍ଟ 1 ତାରିଖରେ ସମ୍ବଲପୁରୀ ଦିନ ପାଳିତ ହୋଇଆସୁଛି । ଅନ୍ୟପଟେ ଏଥର ସମ୍ବଲପୁର ଗଙ୍ଗାଧର ମଣ୍ଡପ ଓ ହୀରାକୁଦରେ ମଧ୍ୟ ସମ୍ବଲପୁରୀ ଦିନ ପାଳନ ହୋଇଛି ।
ଇଟିଭି ଭାରତ, ସମ୍ବଲପୁର