Raja Festival: ପୁରାତନ ପରମ୍ପରାରେ ବସ୍ତିବାସିନ୍ଦା ପାଳିଲେ ରଜପର୍ବ

By

Published : Jun 15, 2023, 5:22 PM IST

Updated : Jun 15, 2023, 10:45 PM IST

thumbnail

ବ୍ରହ୍ମପୁର: ଓଡ଼ିଶାର ଗଣପର୍ବ ରଜକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତେ ସତେ ଯେପରି ଅପେକ୍ଷା କରି ରହିଥାନ୍ତି । ଏହି ସମୟରେ ପୁରପଲ୍ଲୀଠାରୁ ଆରମ୍ଭ କରି ସହର ସବୁଠି ହୋଇ ଉଠିଥାଏ ଚଳଚଞ୍ଚଳ। ଆଉ ଏଭଳି ସମୟରେ ମୁଖ୍ୟତଃ ସହରରେ ରହୁଥିବା ବସ୍ତି ଅଞ୍ଚଳର ଶିଶୁଙ୍କଠାରୁ ଆରମ୍ଭ କରି ବିଦ୍ୟାର୍ଥୀ ଏବଂ ମହିଳାମାନଙ୍କ ମଧ୍ୟରେ ପୁରାତନ ପରମ୍ପରାରେ ରଜପର୍ବ ପାଳନ କରି ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ରେଶମ ସହରରେ ପ୍ରୟାସ କରାଯାଇଛି।  

ଛୋଟ ଶିଶୁର କୁନି କୁନି ପାଦରେ ଅଳତା ଲଗାଯାଉଛି ତ ଆଉ କେଉଁଠି ରଜଦୋଳି ଗୀତ ଗାଇ ଶିଶୁଙ୍କଠାରୁ ଆରମ୍ଭ କରି ବିଦ୍ୟାର୍ଥୀ ଓ ବାଳିକା ଗଛ ମୂଳରେ ଦୋଳି ଖେଳର ମଜା ନେଉଛନ୍ତି । ଘର ଦାଣ୍ଡରେ କିଏ ପୁଚି ଖେଳର ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀ ଭାବରେ ଚୟନ ହେଲାଣି ତ ଆଉ କିଏ ଠିଆ ପୁଚି ଖେଳି ରଜ ପର୍ବର ଭରପୁର ମଜା ନେଉଛନ୍ତି । ଏଭଳି ପୁରାତନ ପରମ୍ପରାରେ ରେଶମ ସହରର ବସ୍ତିରେ ସକାଳ ସମୟରୁ ଦିନ ତମାମ ଜାରି ରହୁଛି ରଜପର୍ବ ପାଳନ । ଏଭଳି ଚିତ୍ର ଦେଖିବାକୁ ମିଳିଛି ରେଶମ ସହର ବ୍ରହ୍ମପୁରର ଚନ୍ଦନ ନଗର ବସ୍ତିରେ ।

ଏହା ବି ପଢନ୍ତୁ- ବାଧା ସାଜିନି ତାତି: ଜମିଲା ରଜ ସଂକ୍ରାନ୍ତି, ପାନ ଖାଇ ଦୋଳି ଖେଳିଲେ ତରୁଣୀ

ବସ୍ତିରେ କେବଳ ଶିଶୁ ଓ ବିଦ୍ୟାର୍ଥୀ କାହିଁକି ମହିଳାମାନେ ମଧ୍ୟ ରଜର ବେଶ ମଜା ନେଇଛନ୍ତି । ଦୀର୍ଘ ସମୟ ଧରି ହୁଳହୁଳି ପକାଇବା, ରଜପାନ ଓ ମିଠାର ମଜା ନେବାଠୁ ଆରମ୍ଭ କରି ସାମୁହିକ ଭାବରେ ରଜପର୍ବକୁ ଏପରି ଆୟୋଜନ କରିବା ପାଇଁ ସହରର ସାତ୍ତ୍ବିକ ସୋଲ ଫାଉଣ୍ଡେସନ ପକ୍ଷରୁ ଏପରି ପ୍ରୟାସ କରାଯାଇଥିଲା ।  ଯେଉଁଥିରେ ସ୍ଥାନୀୟ କର୍ପୋରେଟର ମଧ୍ୟ ବସ୍ତିର ବିଦ୍ୟାର୍ଥୀ ଓ ମହିଳାଙ୍କ ସହିତ ବିଭିନ୍ନ ପ୍ରତିଯୋଗିତାରେ ସାମିଲ ହୋଇଥିଲେ। ସେପଟେ ବସ୍ତିବାସିନ୍ଦାଙ୍କ ମଧ୍ୟରେ ରଜପର୍ବ ଅବସରରେ ମୁହଁରେ ହସ ଫୁଟାଇବା ପାଇଁ ଏପରି କାର୍ଯ୍ୟକ୍ରମର ଆୟୋଜନ କରାଯିବାର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଏହାର କର୍ମକର୍ତ୍ତା ।

ଇଟିଭି ଭାରତ, ବ୍ରହ୍ମପୁର 

Last Updated : Jun 15, 2023, 10:45 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.