ବର୍ଷା ଆଣିଲା ଆଶ୍ବସ୍ତି: ଲିଭିଲା ଶିମିଳିପାଳ ନିଆଁ, ବର୍ଷାରେ ଭିଜି ଭିଜି ଭଗବାନଙ୍କୁ ଧନ୍ୟବାଦ ଦେଲେ ବନ କର୍ମଚାରୀ - ବନ କର୍ମଚାରୀ ସାମାଇ ସୋରେନ

🎬 Watch Now: Feature Video

thumbnail

By

Published : Mar 19, 2023, 11:01 AM IST

ରାଇରଙ୍ଗପୁର: ଚଳିତ ବର୍ଷ ଖରାଦିନ ଆରମ୍ଭ ହେଉ ହେଉ ହୁତୁହୁତୁ ଜଳିଥିଲା ଶିମିଳିପାଳ ଅଭୟାରଣ୍ୟ । ନିଆଁ ଲିଭାଇବାକୁ ବନ ବିଭାଗ ଆପ୍ରାଣ ଉଦ୍ୟମ ଜାରି ରଖିଥିଲା । କେଉଁ କେଉଁ ଜାଗାରେ ବନ ବିଭାଗ ନିଆଁ ଲିଭାଇବାକୁ ସକ୍ଷମ ହେଉଥିଲା ବେଳେ ଅଧିକାଂଶ ସ୍ଥାନରେ ନିଆଁ ଲିଭାଇ ପାରୁନଥିଲା । ପଶ୍ଚିମା ଝଡ ପ୍ରଭାବରେ ଏବେ ସାରା ଜିଲ୍ଲାରେ ବର୍ଷା ହେବାରୁ କିଛି ପରିମାଣରେ ଆଶ୍ବସ୍ତି ମିଳିପାରିଛି । ବନାଗ୍ନି ନିୟନ୍ତ୍ରଣକୁ ଆସିଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବର୍ଷା ହେବାରୁ ବନ ବିଭାଗକୁ ଖୁବ୍ ଆଶ୍ବସ୍ତି ମିଳିଛି । ଏଣିକି ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ ବନବିଭାଗ କର୍ମଚାରୀମାନଙ୍କୁ ଘଣ୍ଟା ଘଣ୍ଟା ପରିଶ୍ରମ କରିବାକୁ ପଡ଼ିବନି । ଜଙ୍ଗଲ ନିଆଁ ପ୍ରଶମିତ ହେବା ପରେ ଶିମିଳିପାଳ ଭିତରେ ନିଆଁ ଲିଭାଉଥିବା ଜଣେ ବନ କର୍ମଚାରୀଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।  

ଶିମିଳିପାଳରେ ଦୀର୍ଘଦିନ ହେଲା କୁହୁଳୁ ଥିବା ନିଆଁ ବର୍ଷା ପାଇଁ ଲିଭି ଯାଇଥିବା ବେଳେ ଖୁସି ବ୍ୟକ୍ତ କରିଛନ୍ତି ବାଙ୍ଗିରିପୋଷି ରେଞ୍ଜର ବନ କର୍ମଚାରୀ ସାମାଇ ସୋରେନ । ଭିଡିଓ କରି ଖୁସିରେ ବର୍ଷାରେ ଭିଜି ଭିଜି ଭଗବାନକୁ ଧନ୍ୟବାଦ୍ ଦେଇଛନ୍ତି ସାମାଇ । ବର୍ଷା ହେବାରୁ ନିଆଁ ଲିଭି ଯାଇଛି । ତେଣୁ ଏବେ ଏବେ ଛୁଟି ବି ମିଳିବ ଏବଂ ଘରକୁ ଯାଇ ମଜା କରିହେବ ବୋଲି କର୍ମଚାରୀ ଜଣକ କହୁଥିବା ଭିଡିଓରେ ଶୁଣିବାକୁ ମିଳୁଛି । ବର୍ତ୍ତମାନ ପଶ୍ଚିମ ଝଡ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେଇଯାଇଛି ।  ଶିମିଳିପାଳର ପ୍ରାୟ ଅଧିକାଂଶ ଅଞ୍ଚଳରେ ବର୍ଷା ହେଇଥିବାର ସୂଚନା ମିଳିଛି । ଦୀର୍ଘ ଦିନ ଧରି ଜଳୁଥିବା ଶିମିଳିପାଳ ଏବେ ନିଆଁ ଦାଉରୁ ରକ୍ଷା ପାଇଛି । ଯାହା ବନ କର୍ମଚାରୀଙ୍କ ମଧ୍ୟରେ ଆଶ୍ୱସ୍ତି ଆଣିଛି । 

ଏସିଆ ମହାଦେଶର ଦ୍ବିତୀୟ ସର୍ବବୃହତ ଜୈବମଣ୍ଡଳ ହେଉଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଜୈବମଣ୍ଡଳର ଆୟତନ ହେଉଛି ୨୭୫୦ ବର୍ଗ କି.ମି । ତନ୍ମଧ୍ୟରୁ ୩୦୩ ବର୍ଗ କି.ମି ହେଉଛି ଆଭ୍ୟନ୍ତରୀଣ ଅଞ୍ଚଳ ଯାହାକି ଭାରତର ଏକ ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଅଟେ। ତେବେ ପ୍ରତ୍ୟେକ ବର୍ଷ ଖରା ଦିନ ଆରମ୍ଭରୁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗୁ ଥିବାର ଦେଖିବାକୁ ମିଳିଥାଏ । ମନୁଷ୍ୟକୃତ ନିଆଁ ହେଉ ଅଥବା ଅନ୍ୟ କୌଣସି କାରଣରୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ନିଆଁ ଲାଗି ଗୋଟିଏ ପାହାଡ଼ରୁ ଅନ୍ୟ ପାହାଡ଼କୁ ବ୍ୟାପି ଥାଏ ।  

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.