Ram Navami: ରାମ ନବମୀ ପାଇଁ ଉତ୍ସବ ମୁଖର କଳାହାଣ୍ଡି
🎬 Watch Now: Feature Video
ଭବାନୀପାଟଣା: ଆଜି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମୋଉତ୍ସବ ଆଜି ସାରା ଭାରତ ବର୍ଷରେ ପାଳନ କରାଯାଉଛି । କଳାହାଣ୍ଡିରେ ମଧ୍ୟ ରାମ ନବମୀ ବେଶ ଧୁମଧାମରେ ପାଳିତ ହେଉଛି । ରାମ ନବମୀ ମହୋତ୍ସବ ସମିତି ଓ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଭବାନୀପାଟଣାଠାରେ ଶ୍ରୀରାମ ନବମୀ ପାଳିତ ହୋଇଯାଇଛି । ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମନବମୀ ପାଳିତ ହୁଏ । ପ୍ରଭୁ ଶ୍ରୀରାମ ଧର୍ମର ପ୍ରତୀକ ହୋଇଥିବା ବେଳେ ଯେବେ ଯେବେ ଧର୍ମର ଅବକ୍ଷୟ ଘଟି ଅଧର୍ମର ପ୍ରାଦୁର୍ଭାବ ବଢିଛି ନର ରୂପ ଧାରଣ କରି ସ୍ବୟଂ ନାରାୟଣ ଧରାବତରଣ କରିଛନ୍ତି । ରାକ୍ଷସ ରାବଣ ନିଜ ବାହୁବଳରେ ସ୍ବର୍ଣ୍ଣର ଲଙ୍କା ପ୍ରତିଷ୍ଠା କରି ଧରାରେ ଲୋକଙ୍କ ଉପରେ ଅତ୍ୟାଚାର କରିଥିଲା । ସେବେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କର ଆବିର୍ଭାବ ହୋଇଥିଲା ।
ଜିଲ୍ଲାର ପ୍ରତ୍ୟେକ ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଜୟ ଶ୍ରୀରାମ ଧ୍ଵନିରେ ଚତୁର୍ଦ୍ଦିଗ ମୁଖରିତ ହେଉଛି । ରାମ ନବମୀ ମହୋତ୍ସବ ସମିତି ପକ୍ଷରୁ କାସାକେନ୍ଦୁ ହନୁମାନ ମନ୍ଦିରରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରିଥିଲେ ସଂକୀର୍ତ୍ତନ ଓ ଘୁମୁରା ସହ ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଶହଶହ ଯୁବକଯୁବତୀ ସାମିଲ ହୋଇଥିଲେ । ରାମନାମ ଗାନ କରି ସହର ପରିକ୍ରମା କରିବା ସହ ସହରର ରାମସ୍ୱାମୀ ମନ୍ଦିରରେ ପହଞ୍ଚିଥିଲେ । ଏଠାରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । କେବଳ ଭବାନୀପାଟଣା ନୁହେଁ ପୁରା ଜିଲ୍ଲାରେ ରାମ ନବମୀ ପାଳନ କରାଯାଉଛି । ଏହାସହ ଗୁଡ଼ହାଣ୍ଡି ଡୋକରି ଚଞ୍ଚରାରେ ଥିବା ରାମ ମନ୍ଦିରରେ ଆଜିଠାରୁ ରାମ ନବମୀ ଉତ୍ସବ ଆରମ୍ଭ ହୋଇଛି ୯ ଦିନ ଧରି ଚାଲିବ ଏହି ଉତ୍ସବ ।
ଇଟିଭି ଭାରତ, କଳାହାଣ୍ଡି