thumbnail

By ETV Bharat Odisha Team

Published : Oct 21, 2023, 5:35 PM IST

ETV Bharat / Videos

କଫସିରପ ରାକେଟର ପର୍ଦ୍ଦାଫାସ: ୩୪୭ ବୋତଲ କଫସିରପ ଜବତ, 2 ଗିରଫ

ରାଉରକେଲା: କଫସିରପ ଚୋରା ଚାଲାଣର ପର୍ଦ୍ଦାଫାସ । ନିଶା କାରବାରରେ ବ୍ୟବହାର ପାଇଁ କଫ୍‌ ସିରପ ଚୋରା ଚାଲାଣ ବେଳେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ରାଉରକେଲା ଅବକାରୀ ବିଭାଗ । ବର୍ତ୍ତମାନ ନିଶାର ମୁଖ୍ୟ ସ୍ରୋତ ପାଲଟୁଛି କଫସିରପ । ତେବେ ଦୁଇ ଜଣ ଯୁବକଙ୍କୁ ସନ୍ଦେହ କରି ଯାଞ୍ଚ ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।  

ଆଜି ସକାଳ ପ୍ରାୟ ସାଢ଼େ ୯ ଟାରେ ରାଉରକେଲା ରେଳ ଷ୍ଟେସନ ବାହାରେ  ଦୁଇ ଜଣ ଯୁବକ ଛିଡ଼ା ହୋଇଥିଲେ । ତାଙ୍କ ପାଖରେ କଫ୍ ସିରପ ଭରା ଦୁଇଟି ବଡ଼ ବ୍ୟାଗ୍ ରହିଥିଲା । ସେମାନଙ୍କ ଗତିବିଧିକୁ ସନ୍ଦେହ କରି କିଛି ଲୋକେ ଅବକାରୀ ପୋଲିସ ସହ ରେଳବାଇ ପୋଲିସକୁ ସୂଚନା ଦେଇଥିଲେ । ଠିକ ସମୟରେ ଅବକାରୀ ପୋଲିସ, ଷ୍ଟେସନ ନିକଟରେ ପହଞ୍ଚି ଅଭିଯୁକ୍ତ ଦ୍ବୟଙ୍କ ଗତିବିଧି ଦେଖିଲେ । ପରେ ଅବକାରୀ ପୋଲିସ ଏବଂ ରେଳବାଇ ପୋଲିସ ଚଢ଼ଉ କରି ଷ୍ଟେସନ ସମ୍ମୁଖ ହନୁମାନ ମନ୍ଦିର ପାଖରୁ ଉଭୟଙ୍କୁ କାବୁ କରିନେଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ....ବଲାଙ୍ଗୀରରେ କଫ୍‌ ସିରପ କାରବାର ରାକେଟର ପର୍ଦ୍ଦାଫାସ: 4 ହଜାର କଫ୍‌ ସିରପ ଜବତ, 6 ଗିରଫ

ତେବେ ଦୁଇ ଜଣ ଅଭିଯୁକ୍ତ  ମାଦକ ଦ୍ରବ୍ୟରେ ବ୍ୟବହାର କରିବା ପାଇଁ କଫ୍‌ ସିରପ ଚୋରା ଚାଲାଣ କରୁଥିବା ଜଣାପଡ଼ିଛି ।  ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ । ଅଭିଯୁକ୍ତ ଦ୍ବୟ ବରଗଡ଼ ଜିଲ୍ଲା ଗାଇସିଲାଟର ରତ୍ନମଣି ନାଗ(୩୦) ଓ ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଭତ୍ରାର ସଚିନ ଗୁରୁ (୨୮) ବୋଲି ଜଣାପଡ଼ିଛି । ସେମାନଙ୍କ ପାଖରୁ ୩୪୭ ବୋତଲ କଫ୍ ସିରପ ବୋତଲ ଜବତ ହୋଇଛି ।  ଯାହାର ମୂଲ୍ୟ 45 ହଜାର ଟଙ୍କା ହେବା ନେଇ ଆକଳନ କରାଯାଇଛି । ତେବେ ଅଭିଯୁକ୍ତମାନେ ଟ୍ରେନ ଯୋଗେ ରାଜ୍ୟ  ବାହାରୁ ଆଣି ବସ୍‌ରେ ବରଗଡ଼କୁ କଫ୍‌ ସିରପ୍ ଚାଲାଣ କରିବାକୁ ଯୋଜନା କରୁଥିଲେ । ସେମାନେ ନିର୍ଦ୍ଦିଷ୍ଟ ଭାବେ କେଉଁଠାରୁ ସିରପ ଆଣିଥିଲେ ସେନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି । ତେବେ ଟ୍ରେନରେ କୋଲକାତାରୁ କଫ୍‌ ସିରପ ଆଣିଥିବା ଅବକାରୀ ବିଭାଗ ପୁଲିସ ଅନୁମାନ କରୁଛି ।  

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.