ନବରଙ୍ଗପୁରର ସମସ୍ତ ବ୍ଲକ ଘେରାଉ, ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସର ନାରାବାଜି - ୧୦ ଟି ବ୍ଲକ ଘେରାଉ ସହ ନାରାବାଜି
🎬 Watch Now: Feature Video
ନବରଙ୍ଗପୁର: ପିସିସି ସଭାପତି ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ବ୍ଲକ ଘେରାଉ କରିଛି କଂଗ୍ରେସ । ୧୦ଟି ଯାକ ବ୍ଲକ ଘେରାଉ ସହ ବିଡିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର କଂଗ୍ରେସ ସଭାପତି ମୁନା ତ୍ରିପାଠୀଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ବ୍ଲକ ଘେରାଉ କରିବା ସହ ନାରାବାଜି କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ଶାସନ କରି ଆସୁଥିବା ବିଜେଡି ସରକାରର ବିଫଳତାକୁ ପାଥେୟ କରି ଦଳୀୟ କର୍ମୀଙ୍କୁ ନେଇ ବ୍ଲକ ଘେରାଉ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...ଗୋଷାଣୀ ବ୍ଲକ ଘେରାଉ କଲା କଂଗ୍ରେସ, ବିଜେପି-ବିଜେଡି ଏକାଠି କହିଲେ ବିଜୟ
ଏନେଇ ନବରଙ୍ଗପୁର କଂଗ୍ରେସ ସଭାପତି ମୁନା ତ୍ରିପାଠୀ କହିଛନ୍ତି, "ଓଡ଼ିଶାରେ ସବୁ କ୍ଷେତ୍ରରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ବ୍ଲକର ବିଭିନ୍ନ କାର୍ଯ୍ୟକୁ ନେଇ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଚାଷୀ ମାରଣ ନୀତି, ଟାଟା କମ୍ପାନୀର ମନମାନି, ଶିଶୁ ମଙ୍ଗଳ ବିଭାଗରେ ଛତୁଆ ଦୁର୍ନୀତି, MGNREGA ଘୋଟାଲା, 5T କାମରେ ବ୍ୟାପକ ଲୁଟ୍ ଚାଲିଛି ।" ଏହି ସବୁ ପ୍ରସଙ୍ଗକୁ ନେଇ ସ୍ବର ଉତ୍ତୋଳନ କରିଛି ପ୍ରଦେଶ କଂଗ୍ରେସ । ଏହିଭଳି ୯ଟି ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଉପରୋକ୍ତ ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଉଗ୍ର ରୂପ ନେବ ବୋଲି କଂଗ୍ରେସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ନବରଙ୍ଗପୁର