ସରିଲା 5T ସଚିବଙ୍କ ଦୁଇ ଦିନିଆ ଅନୁଗୋଳ ଗସ୍ତ; ଲୋକଙ୍କୁ ମିଳିଲା ପ୍ରତିଶ୍ରୁତି, ୭ ଦିନ ମଧ୍ୟରେ ପୂରଣ ହେବ ଦାବି - 5T ସଚିବ ଭିକେ ପାଣ୍ଡିଆନ
🎬 Watch Now: Feature Video
ଅନୁଗୋଳ: ସରିଲା ଓଡିଶା ସରକାରଙ୍କ 5T ସଚିବ ଭିକେ ପାଣ୍ଡିଆନଙ୍କ ଅନୁଗୋଳ ଗସ୍ତ । ଦୁଇ ଦିନିଆ ଗସ୍ତ ମଧ୍ୟରେ ବହୁ ଜନ ଅଭିଯୋଗ ଓ ଦାବିପତ୍ର ଗ୍ରହଣ କରିଛନ୍ତି ସଚିବ । ଆସନ୍ତା ୭ ଦିନ ମଧ୍ୟରେ ଲୋକଙ୍କ ଦାବି ପୂରଣ ହେବାନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି 5T ସଚିବ ଭିକେ ପଣ୍ଡିଆନ ।
ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ପ୍ରଥମେ ସକାଳ ସମୟରେ ଶୈଳଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ ପରେ ଖଲାରୀସ୍ଥିତ 5T ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ସଚିବ । ସେଠାରୁ ଅନୁଗୋଳ ପୌରପାଳିକାର ମିଶନ ଶକ୍ତି କାଫେ ଠାରେ ଜଳପାନ ପରେ ହେଲିକ୍ୟାପଟର ଯୋଗେ କଣିହାଁ ବ୍ଲକ୍ ଅନ୍ତର୍ଗତ ପବିତ୍ରନଗର କଲେଜ ପଡିଆଠାରେ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ । ସେଠାରୁ ପାଲଲହଡା ଅଭିମୁଖେ ଯାତ୍ରା କରି ପାଲଲହଡା ଷ୍ଟାଡିୟମଠାରେ ଏକ ସାଧାରଣସଭାରେ ଯୋଗ ଦେଇଥିଲେ । ମଞ୍ଚ ଉପରକୁ ଯିବା ପୂର୍ବରୁ ସେ ସେଠାରେ ଉପସ୍ଥିତ ଥିବାଜନସାଧାରଣଙ୍କ ସହିତ ମିଶି ସେମାନଙ୍କଠାରୁ ଅଭିଯୋଗ ପତ୍ର ସବୁ ଗ୍ରହଣ କରିଥିଲେ । ମଞ୍ଚ ଉପରକୁ ଯାଇ ମନ୍ଦିର, ମସ୍ଜିଦ୍, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟରଗୁଡ଼ିକର ବିକାଶ ପାଇଁ ମିଳିଥିବା ସମସ୍ତ ଦରଖାସ୍ତର ଆସନ୍ତା ୭ ଦିନ ମଧ୍ୟରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...5T Secretary Anugul Visit: ଶୁଣିଲେ ଲୋକଙ୍କ ଅଭିଯୋଗ, ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତା ମନ୍ତ୍ର
ଏହାପରେ ଆଠମଲ୍ଲିକରେ ପହଞ୍ଚି ମା' ମାହେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ଏବଂ ଆଠମଲ୍ଲିକ ଷ୍ଟାଡିୟମଠାରେ ଏକ ସାଧାରଣ ସଭାରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ 5T ସଚିବ । ଦେଉଳଝରୀ ମନ୍ଦିର ଦର୍ଶନ ପରେ ମାନଜୋର ଡ୍ୟାମକୁ ପରିଦର୍ଶନ କରିଥିଲେ । ସେଠାରୁ ବାହାରି କିଶୋରନଗର କଲେଜ ପଡିଆଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣାଣୀ କରିଥିଲେ । ପରେ କିଶୋରନଗର ବ୍ଲକ୍ ମିଶନ ଶକ୍ତି କାଫେ ଠାରେ ମଧ୍ୟାହ୍ନ ଭୋଜନ ସାରି କିଶୋରନଗର ପଡିଆଠାରୁ ହେଲିକ୍ୟାପଟର ଯୋଗେ ଅପରାହ୍ନ ୩ଟା ସମୟରେ ଢେଙ୍କାନାଳ ଅଭିମୁଖେ ଯାତ୍ରା କରିଥିଲେ । 5T ସଚିବଙ୍କ ସମସ୍ତ ସଭାରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ 5T ସଚିବଙ୍କ ସହ ପ୍ରତ୍ୟେକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଇଟିଭି ଭାରତ, ଅନୁଗୋଳ