ସପ୍ତଦଶ ଚଉଷଠୀ ଯୋଗିନୀ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ଲାଲା ବିରେନ ରାୟଙ୍କୁ ନାଟ୍ୟ ସମ୍ମାନ - ଲାଲା ବିରେନ ରାୟଙ୍କୁ ନାଟ୍ୟ ସମ୍ମାନ
🎬 Watch Now: Feature Video
Published : Dec 25, 2023, 12:27 PM IST
chausathi jogini festival:
ନିଆଳି: ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ହୀରାପୁରସ୍ଥିତ ସପ୍ତଦଶ ଚଉଷଠୀ ଯୋଗିନୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ତେବେ ଏହି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଲାଲା ବିରେନ ରାୟଙ୍କୁ ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଅନ୍ତର୍ଧ୍ବନୀ ଏକାଡେମୀର ଗୁରୁ ସନ୍ଦୀପ କୁମାର ରାଉତଙ୍କ ରଚନା ଓ ପରିକଳ୍ପନାରେ ରୁଦ୍ଧିମନ୍ତ ତାଳବାଦ୍ୟ "ପ୍ରକୃତି"ରେ ବିଭିନ୍ନ ବାଦ୍ୟଯନ୍ତ୍ରର ପରାକାଷ୍ଠା ପ୍ରଦର୍ଶନ ଦର୍ଶକମାନଙ୍କୁ ଉତଫୁଲିତ କରିଥିଲା। ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ପୁରପଲ୍ଲୀରେ ପ୍ରଚଳିତ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟର ଧୁନ ଦର୍ଶକମାନଙ୍କୁ ତଲ୍ଲୀନ କରି ରଖିଥିଲା । ହାରମୋନିୟମରେ ଧନେଶ୍ବର ଓଝା, ମର୍ଦ୍ଦଳ ଜଳନ୍ଧର ନାଏକ, ଢୋଲକରେ ଲଳିତ କର ଓ ଢୋଲରେ କ୍ରିଷ୍ଣାରାଜ ପତିଙ୍କ ସହିତ ଅନ୍ୟ ସାଥୀ ଶିଳ୍ପୀମାନେ ସହଯୋଗ କରିଥିଲେ । ସେହିପରି ଦ୍ବିତୀୟ ପରିବେଷଣରେ ଅନୁଗୋଳ ନୃତ୍ୟନିଳୟ ଅନୁଷ୍ଠାନର ଗୁରୁ ସ୍ୱପ୍ନାରାଣୀ ଓ ସାଥୀ ଶିଳ୍ପୀମାନେ ପ୍ରଥମ ପ୍ରସ୍ତୁତିରେ ଅଗ୍ନିସ୍ତୁତମ୍ ଓ ଦ୍ବିତୀୟ ପ୍ରସ୍ତୁତିରେ ମା’ଙ୍କ ଆରାଧନା ବିନ୍ଧ୍ୟଗିରିବାସିନୀ ଉପସ୍ଥିତ ଦର୍ଶକମାନଙ୍କୁ ବେଶ୍ କିଛି ସମୟ ଧରି ଭକ୍ତିଭାବରେ ବାନ୍ଧି ରଖିଥିଲା । ଏହାର ନୃତ୍ୟ ସଂଯୋଜନା କରିଥିଲେ ନିଜେ ସ୍ବପ୍ନାରାଣୀ । ଏହାପରେ ତୃତୀୟ ପରିବେଷଣରେ ବିଶାଖାପାଟଣାର ଲକ୍ଷମଞ୍ଜରୀ କଳାକ୍ଷେତ୍ରମ୍ ଅନୁଷ୍ଠାନର ଗୁରୁ ରାଧେଶ୍ୟାମ ତରେଇ ଓ ସାଥୀ ଶିଳ୍ପୀମାନେ ପଦ୍ମଶ୍ରୀ ଭୋଲେତିରାମ ରଙ୍ଗମଣୀଙ୍କ ସଂଙ୍ଗୀତ ସଂଯୋଜନାରେ "ସିଂହନନ୍ଦିନୀ" ଓ "ତରଙ୍ଗମ"ରେ କୃଷ୍ଣଙ୍କ ବାଲ୍ୟଲୀଳା ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଶେଷ ପର୍ଯ୍ୟାୟରେ କଳାହାଣ୍ଡି କେଶିଙ୍ଗାର ଘୁମୁରା ନୃତ୍ୟ ଝୁଲା ପରେ ଝାକିଡ଼ି ଲୋକନୃତ୍ୟରେ ସେଠାରେ ପାଳିତ ପାରମ୍ପରିକ ଛତର ଜାତରା ପରିବେଷଣ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ସପ୍ତଦଶ ଚଉଷଠୀ ଯୋଗିନୀ ମହୋତ୍ସବ ଉଦଘାଟିତ
ଇଟିଭି ଭାରତ, ନିଆଳି