ହାଇଦ୍ରାବାଦ: ମ୍ୟାଲେରିଆ ଏଭଳି ଏକ ରୋଗ ଅଟେ, ଯାହା ଅନେକ ବିକଶିତ ଦେଶରେ ମଧ୍ୟ ତାଣ୍ଡବ ମଚାଇଥାଏ। ଏହାରି ଭିତରେ ବୈଜ୍ଞାନିକମାନେ ମ୍ୟାଲେରିଆ ପାଇଁ ଏକ ଟିକା ପ୍ରସ୍ତୁତ କରିଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ହୁ ପକ୍ଷରୁ ମଧ୍ୟ ଏହାକୁ ଅନୁମୋଦନ କରାଯାଇଛି। ଗତ ଅକ୍ଟୋବର ମାସରେ R21 / Matrix-Mକୁ ଅନୁମୋଦନ କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ଓ୍ବାଲ୍ଡ ଚେଞ୍ଚର ଭାବେ ବିବେଚନା କରାଯାଉଥିବା ଏହି ଟିକାକୁ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ତିଆରି କରାଯାଇଥିଲା। ତେବେ ହୁ ପକ୍ଷରୁ ରଖାଯାଇଥିବା ଲକ୍ଷ୍ୟକୁ 75 ପ୍ରତିଶତ ପୁରା କରିପାରିଛି ଏହି ଟିକା। ତେବେ ବର୍ତ୍ତମାନ ଟିକା ତାଲିକାରେ ଏହି ଟିକାକୁ ଅନ୍ତର୍ଭୁକ୍ତ କରିଛି ହୁ।
R21 / Matrix-M ଟିକାକୁ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବେଳେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ କରାଯାଇଥିଲା। ତେବେ ଘାନା ହେଉଛି ପ୍ରଥମ ଦେଶ ଯେଉଁଠାରେ ଖାଦ୍ୟ ଏବଂ ଔଷଧ ପ୍ରାଧିକରଣ ବିଭାଗ ପକ୍ଷରୁ ଏହି ଟିକାକୁ 5-36 ମାସ ବୟସର ପିଲାମାନଙ୍କ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି। ସାଧାରଣତଃ ଏହି ବୟସରେ ହିଁ ଛୁଆ ମ୍ୟାଲେରିଆରେ ଆକ୍ରାନ୍ତ ହେଉଥିବା ବେଳେ, ରୋକ ଲଗାଇବା ପାଇଁ ଘାନାର ଏହା ଉଚିତ ପଦକ୍ଷେପ କୁହାଯାଇ ପାରେ।
RTS, S / AS21 ଟିକା ପରେ R21 ହେଉଛି ଦ୍ବିତୀୟ ମ୍ୟାଲେରିଆ ଟିକା । ଏହି ଟିକାକୁ 2021 ମସିହାରେ ହୁ ପକ୍ଷରୁ ସୁପାରିସ ମିଳିଥିଲା । ପିଲାମାନଙ୍କଠାରେ ମ୍ୟାଲେରିଆ ରୋକିବାରେ ଉଭୟ ଟିକା ନିରାପଦ ଏବଂ ପ୍ରଭାବଶାଳୀ ବୋଲି ଦର୍ଶାଯାଇଥିଲା। ତେବେ କମ ମୂଲ୍ୟ ଏବଂ ସହଜରେ ଉପଲବ୍ଧତା କାରଣରୁ ଏହି ଟିକା ଶିଶୁଙ୍କୁ ମ୍ୟାଲେରିଆରୁ ରକ୍ଷା କରିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମନରେ ଆଶା ସଞ୍ଚାର ହୋଇଛି।
ଏହା ମଧ୍ୟ ପଢନ୍ତୁ: ମ୍ୟାଲେରିଆ ପାଇଁ ମହୌଷଧି; R21 / Matrix-M ଟିକାକୁ WHOର ମଞ୍ଜୁରୀ
ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିକାକରଣ ଏବଂ ବାୟୋ ବିଭାଗର ନିର୍ଦ୍ଦେଶକ କେଟ୍ ଓବ୍ରାୟନ କହିବା ଅନୁସାରେ, "R21 ଟିକା ପ୍ରିକ୍ବାଲିଫିକେସ ପାସ କରି ସାରିଛି। ଏହା ଏକ ଉତ୍ତମ ଏବଂ ନିଶ୍ଚିନ୍ତ ଖବର ଅଟେ। ସାରା ବିଶ୍ବରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଉନ୍ନତି ହୋଇଛି। ମ୍ୟାଲେରିଆ ବିପର୍ଯ୍ୟସ୍ତ ଦେଶରେ ପିଲାମାନଙ୍କୁ ଏହି ମାରାତ୍ମକ ରୋଗରୁ ରକ୍ଷା କରିବାକୁ ଏହି ସଂଗଠନ ପ୍ରତିବଦ୍ଧ ଅଟେ।"
ପ୍ରକାଶଥାଉକି, ଆର 21 ଟିକାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛି।ଡାଟା ଅଧ୍ୟୟନ, ନମୁନା ପରୀକ୍ଷା, ଅନୁସନ୍ଧାନ ଏବଂ ବିକାଶ ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇଛି। ଏହାର ସମସ୍ତ ଫଳାଫାଳ ପଜିଟିଭ ଆସିବା ପରେ ଏହାକୁ ପ୍ରିକ୍ବାଲିଫାଇଡ ଭ୍ୟାକ୍ସିନ ଲିଷ୍ଟରେ ସାମିଲ କରାଯାଇଛି। ଏହି ଟିକା ବିକଶିତ କରିଥିବା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହାକୁ ତିଆରି କରିବାରେ ତିରିଶ ବର୍ଷ ଅତିବାହିତ କରିଛନ୍ତି।