ହାଇଦ୍ରାବାଦ: ଗ୍ରୀଷ୍ମ, ବର୍ଷା ହେଉ କି ଶୀତ ପ୍ରତିଟି ଋତୁରେ ଶରୀରର ଯତ୍ନ ଭିନ୍ନ ଢଙ୍ଗରେ ନିଆଯାଏ । ବୟସାନୁସାରେ ମଧ୍ୟ ଯତ୍ନ ନେବାର ପ୍ରଣାଳୀ ଭିନ୍ନ ରହିଥାଏ । ଋତୁ ପରିବର୍ତ୍ତନ ସମୟରେ ବିଶେଷ ଭାବରେ ଶରୀରର ଯତ୍ନ ନେବା ଆବଶ୍ୟକ । ଯଦି ଆମେ ଗ୍ରୀଷ୍ମ ଋତୁ ସମ୍ପର୍କରେ ଆଲୋଚନା କରିବା ତେବେ ଡିହାଇଡ୍ରେସନ ଓ ଅନେକ ଚର୍ମ ରୋଗ ଭଳି ସମସ୍ୟା ମଧ୍ୟ ଦେଖାଯାଏ । ହେଲେ ନବଜାତ ଶିଶୁ ଏହି ଋତୁକୁ ପ୍ରଥମ କରି ଅନୁଭବ କରୁଥିବାରୁ ସେମାନଙ୍କ କ୍ଷେତ୍ରରେ ପିତାମାତା ଅଧିକ ଯତ୍ନବାନ ହେବା ଦରକାର ।
- ଗ୍ରୀଷ୍ମ ଋତୁରେ ନବଜାତ ଭୋଗୁଥିବା ସାଧାରଣ ସମସ୍ୟା:-
ହରିୟାଣାର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅନୁଜା ଡାଗରଙ୍କ ଅନୁସାରେ ଗ୍ରୀଷ୍ମ ଋତୁରେ ଚର୍ମ ସମସ୍ୟା 1 ବର୍ଷରୁ କମ୍ ଶିଶୁମାନଙ୍କୁ କଷ୍ଟ ଦେଇପାରେ । ଚର୍ମ ସମସ୍ୟା ବ୍ୟତୀତ ପିତାମାତାମାନେ ପ୍ରାୟତଃ ନିଜ ଶିଶୁକୁ ଫ୍ୟାନ୍ ତଳେ କିମ୍ବା ଏସି କି କୁଲର ସାମ୍ନାରେ ଶୁଆଇଥାନ୍ତି । ଏହି କାରଣରୁ ଶିଶୁଙ୍କୁ ଥଣ୍ଡା ହୋଇପାରେ ଏବଂ ସେମାନଙ୍କ ନାକ ପ୍ରବାହିତ ହୋଇପାରେ । ଏଣୁ ଶିଶୁକୁ ସର୍ବଦା ଭଲ ଭାବେ ବାୟୁ ଯିବାଆସିବା ବା ଭେଣ୍ଟିଲେସନ ହେଉଥିବା କୋଠରୀରେ ରଖିବା ଆବଶ୍ୟକ । କୁଲର, ଫ୍ୟାନ୍ କିମ୍ବା ଏସିର ପ୍ରତ୍ୟକ୍ଷ ବାୟୁରେ ସଂସ୍ପର୍ଶରେ ଆସିବା ଉଚିତ୍ ନୁହେଁ । ଯଦି ଶିଶୁ ଏସି ଚାଳିତ କୋଠରୀରେ ଶୋଇଛନ୍ତି ତେବେ ତାପମାତ୍ରାକୁ ନିୟନ୍ତ୍ରଣ କରିବା ଉଚିତ ।
ଡକ୍ଟର ଅନୁଜା ଆହୁରି କହିଛନ୍ତି ଯେ କଠିନ ଖାଦ୍ୟ ଖାଇବା ଆରମ୍ଭ କରିଥିବା ୬ ମାସରୁ ଅଧିକ ଶିଶୁର ଖାଦ୍ୟ ମଧ୍ୟ ଏହି ଋତୁରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ତାଙ୍କ ଖାଦ୍ୟରେ ଅସାବଧାନତା ଯୋଗୁଁ କୋଷ୍ଠକାଠିନ୍ୟ ଏବଂ ଅନ୍ୟାନ୍ୟ ହଜମ ପ୍ରକ୍ରିୟା ପ୍ରଭାବିତ ହୋଇପାରେ । ଏଣୁ ଯଥାସମ୍ଭବ ସେମାନଙ୍କୁ ଡାଲି ଜାତୀୟ ଖାଦ୍ୟ ଖାଇବାକୁ ଦିଅନ୍ତୁ । ଏହା ପୁଷ୍ଟିକର ଖାଦ୍ୟ ସହିତ ସେମାନଙ୍କ ଶରୀରର ଜଳ ଆବଶ୍ୟକତା ମଧ୍ୟ ପୂରଣ କରେ ।
ହେଲେ ୬ ମାସରୁ କମ ବୟସର ଶିଶୁ ସଂପୂର୍ଣ୍ଣ ଭାବେ ମା' କ୍ଷୀର ଉପରେ ନିର୍ଭର କରନ୍ତି । ଏଭଳି କ୍ଷେତ୍ରରେ ନିଜ ସନ୍ତାନଙ୍କୁ ମାଆ କମ ବ୍ୟବଧାନରେ ସ୍ତନ୍ୟପାନ କରାଇବା ଆବଶ୍ୟକ । ଏହାଦ୍ବାରା ଶିଶୁ ଶରୀରରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ରହିବ ଏବଂ ଶିଶୁ ଡିହାଇଡ୍ରେସନର ଶିକାର ହେବନାହିଁ । ଏହାସହିତ ଅଧିକ ପୋଷକଯୁକ୍ତ ଖାଦ୍ୟ ଦେବା ଆବଶ୍ୟକ । ଯାହାକୁ ଶିଶୁ ସହଜରେ ହଜମ କରିପାରିବ ।
- କେତେ ପରିମାଣର ପାଣି ଦେବା ଆବଶ୍ୟକ ?
ଡକ୍ଟର ଅନୁଜାଙ୍କ ଅନୁସାରେ ମା' କ୍ଷୀରରେ 80 ପ୍ରତିଶତରୁ ଅଧିକ ଜଳ ଥାଏ, ଏଥିଲାଗି ଶିଶୁକୁ ପୃଥକ ଭାବରେ ପାଣି ଦେବାର ଆବଶ୍ୟକତା ନାହିଁ । ଏହା ବ୍ୟତୀତ କିଛି ଶିଶୁଙ୍କ ପାଇଁ ଯେଉଁମାନେ ପ୍ରାରମ୍ଭିକ ମାସରେ ଫର୍ମୁଲା କ୍ଷୀର(ଗାଈ କ୍ଷୀର) ଖାଇବା ଆରମ୍ଭ କରନ୍ତି, ସେମାନଙ୍କ ଶରୀରର ଜଳ ଆବଶ୍ୟକତା ମଧ୍ୟ ପୂରଣ ହୁଏ କାରଣ କ୍ଷୀରକୁ ପାଣିରେ ମିଶାଇ କ୍ଷୀର ପ୍ରସ୍ତୁତ କରାଯାଏ । ତଥାପି, ଯଦି କୌଣସି କାରଣରୁ ଶିଶୁର ଶରୀର ଡିହାଇଡ୍ରେଡ୍ ହୋଇଯାଏ, ତେବେ ଶିଶୁରୋଗ ବିଶେଷଜ୍ଞଙ୍କ ଦ୍ବାରା ସୁପାରିଶ କରାଯାଇଥିବା ପରିମାଣରେ କେବଳ ପରିଷ୍କାର ଏବଂ ଉଷୁମ ପାଣି ଦିଆଯିବା ଉଚିତ ।
- ଶରୀରକୁ ତାପମାତ୍ରା ପ୍ରଭାବରୁ କିପରି ରକ୍ଷା କରିବେ ?
ଡାକ୍ତର ଅନୁଜାଙ୍କ ଅନୁସାରେ ଗ୍ରୀଷ୍ମ ସମୟରେ ଶିଶୁକୁ କେବଳ ଖାଲି ସୂତା ପୋଷାକ ପିନ୍ଧିବା ଜରୁରୀ । ଏହା ସେମାନଙ୍କୁ ଝାଳରୁ ରକ୍ଷା କରିଥାଏ । ଏହି ଝାଳ ଶରୀରରେ ଜମା ହେବା ଦ୍ବାରା ଚର୍ମ ସମସ୍ୟା ସୃଷ୍ଟି ହୋଇପାରେ । ଡାଏପର ତିଆରିରେ ବ୍ୟବହୃତ ସାମଗ୍ରୀ ଶିଶୁର ଚର୍ମରେ ଆଲର୍ଜି ପ୍ରତିକ୍ରିୟା ସୃଷ୍ଟି କରିପାରେ । ଏଣୁ ଅଳ୍ପ ସମୟ ମଧ୍ୟରେ ଡାଏପର ଗୁଡ଼ିକ ପରିବର୍ତ୍ତନ କରିବା ନିହାତି ଜରୁରୀ । ଆହୁରି ମଧ୍ୟ ଶିଶୁକୁ ଦିନକୁ ଅତି କମରେ ଦୁଇଥର କିଛି ସମୟ ପାଇଁ ଡାଏପର ବିନା ଛାଡି ଦିଆଯିବା ଆବଶ୍ୟକ । ଯଦି ସମ୍ଭବ ଡାଏପର ବଦଳରେ ସୂତା କପଡା ବ୍ୟବହାର କରାଯିବା ଆବଶ୍ୟକ ।
- ମନେ ରଖନ୍ତୁ !
ସମସ୍ତ ସତର୍କତା ପରେ ମଧ୍ୟ ଯଦି କୁଣ୍ଡାଇ ହେବା କିମ୍ବା ଚର୍ମ ସମ୍ବନ୍ଧୀୟ ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ । ଶିଶୁର ପରିସ୍ରା ଏବଂ ଅନ୍ତନଳୀ ସମ୍ବନ୍ଧୀୟ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ