ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ନିଦ୍ରାହୀନତା ଆଉ ଏକ ବଡ ବ୍ୟାଧି ଭାବେ ଉଭା ହୋଇଛି । ଅଧିକାଂଶ ଯୁବପିଢି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କୋରୋନା ମହାମାରୀ ପରଠାରୁ ଏହି ସମସ୍ୟା ଦ୍ରୁତଗତିରେ ବୃଦ୍ଧିପାଉଛି । ଚାକିରିରେ ଛଟେଇ ହେଉ କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ କାରଣରୁ ଏହା ଦେଖାଦେଉଛି । ନିଦ୍ରାହୀନତା ଏକ ରୋଗ ହୋଇନଥିଲେ ମଧ୍ୟ ଏହା ବିଭିନ୍ନ ରୋଗର କାରଣ ହୋଇପାରେ ।
ରାତିରେ ଭଲ ନିଦ ନହେବା କାରଣରୁ ଦିନସାରା ଶକ୍ତି କମ୍ ରହିଥାଏ । ଏହି କାରଣରୁ କାମରେ ମନ ଲାଗିନଥାଏ, ଜଣେ ବ୍ୟକ୍ତି ଚିଡ୍ଚିଡା ସ୍ବଭାବର ହୋଇପାରନ୍ତି । କମ୍ ନିଦ ହେତୁ ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ମଧ୍ୟ ବଢିଯାଏ । ତେବେ ଆଜିର ଏହି ଆର୍ଟିକିଲରେ ଏହାର ସମାଧାନ ପାଇଁ କେତେକ ଟିପ୍ସ ବା ପ୍ରତିକାର ବାବଦରେ ଆଲୋଚନା କରାଯାଇଛି ।
ଶୋଇବା ପୂର୍ବରୁ ଗାଧୋଇବାର ଅନେକ ଲାଭ ରହିଛି । ଶୀତଦିନେ, ରାତିରେ ଗାଧୋଇବାରେ କିଛି ଅସୁବିଧା ହୁଏ, କିନ୍ତୁ ଗ୍ରୀଷ୍ମଋତୁରେ ଶୋଇବା ପୂର୍ବରୁ ସାଧାରଣ ପାଣିରେ ଗାଧୋଇବା ଭଲ ନିଦ ଯୋଗାଇଥାଏ । ଗାଧୋଇବା ପରେ ସତେଜ ଲାଗିଥାଏ । ଯଦି ଗାଧୋଇବା ସମ୍ଭବ ନୁହେଁ, ତେବେ ହାତ ଓ ପାଦ ଧୋଇ ଶୋଇବାକୁ ଚେଷ୍ଟା କରନ୍ତୁ । ଭଲ ନିଦ ହୋଇପାରେ ।
ଶୋଇବା ପୂର୍ବରୁ 2-5 ମିନିଟ୍ ପାଇଁ କିଛି ତେଲ ସହ ତଳିପାଦ ମାଲିସ୍ କରନ୍ତୁ । ତଳିପାଦ ମାଲିସ୍ କରିବା ଦ୍ବାରା ଆରାମ ନିଦ ହୋଇଥାଏ । ବାସ୍ତବରେ, ତଳିପାଦରେ ଅନେକ ଆକ୍ୟୁପ୍ରେସର ପଏଣ୍ଟ ଅଛି, ଯାହା ଉପରେ ଯଦି କୌଣସି ତେଲରେ ମାଲିସ୍ କରାଯାଏ ତେବେ ଆରାମ ଲାଗିତାଏ । ମସାଜ ପାଇଁ ଅଲିଭ୍ ତେଲ, ନଡିଆ ତେଲ କିମ୍ବା ସୋରିଷ ତେଲ ବ୍ୟବହାର କରିପାରିବେ ।
ଶୋଇବା ପୂର୍ବରୁ ଏକ କପ୍ ଉଷୁମ କ୍ଷୀର ପିଇବା ମଧ୍ୟ ଶୀଘ୍ର ଶୋଇବାରେ ସାହାଯ୍ୟ କରିଥାଏ । କ୍ଷୀରରେ ଟ୍ରାଇପଟୋଫାନ୍ ଥାଏ, ଯାହା ଶୀଘ୍ର ଶୋଇବାରେ ସାହାଯ୍ୟ କରେ । ଯଦି ଚାହାଁନ୍ତି, ଉଷୁମ କ୍ଷୀରରେ ଏକ ଚାମଚ ହଳଦୀ ମିଶାଇ ପିଇପାରିବେ । ଏହା ସ୍ବାସ୍ଥ୍ୟ ପ୍ରତି ବେଶ୍ ଉପକାରୀ ହୋଇଥାଏ ।
ଶୋଇବା ପୂର୍ବରୁ ନିଜ ଶଯ୍ୟା କିମ୍ବା ଶୋଇବା ସ୍ଥାନକୁ ସଫା କରିବାକୁ ଭୁଲନ୍ତୁ ନାହିଁ । ପରିଷ୍କାର ପରିଚ୍ଛନ୍ନତା ଏକ ପ୍ରକାର ଭଲ ନିଦରେ ସାହାଯ୍ୟ କରେ । ଯଦି ଶୋଇବା ସମୟରେ ଟିକିଏ ଅନ୍ଧକାର ଏବଂ ଶାନ୍ତି ପସନ୍ଦ କରନ୍ତି, ତେବେ ସେହି ଅନୁଯାୟୀ ଶୋଇବା ପାଇଁ ଏକ ପରିବେଶ ସୃଷ୍ଟି କରନ୍ତୁ । ଯଦି ସମ୍ପୂର୍ଣ୍ଣ ଅନ୍ଧକାରକୁ ପସନ୍ଦ କରନ୍ତି ନାହିଁ, ତେବେ ସାମାନ୍ୟ ଆଲୋକରେ ଶୋଇପାରିବେ ।
ଶୋଇବାର 1 ଘଣ୍ଟା ପୂର୍ବରୁ ମୋବାଇଲ୍ କିମ୍ବା ଟିଭି ଦେଖନ୍ତୁ ନାହିଁ । ବାସ୍ତବରେ, ଶୋଇବା ପୂର୍ବରୁ ଫୋନ୍ କିମ୍ବା ଟିଭି ଦେଖିବା ମସ୍ତିଷ୍କକୁ ଅଧିକ ସକ୍ରିୟ ରଖେ ଏବଂ ଶୋଇବାରେ ବିଳମ୍ବ ହୁଏ । ଅନେକ ଥର ଭିଡିଓ କିମ୍ବା ପ୍ରୋଗ୍ରାମ ମନକୁ ପ୍ରଭାବିତ କରେ, ଫଳରେ ସମ୍ପୃକ୍ତ କଥାରେ ମସ୍ତିଷ୍କ ବ୍ୟସ୍ତ ରହେ । ଏହି କାରଣରୁ ନିଦ ହୋଇନଥାଏ । ତେଣୁ ଗୁଣାତ୍ମକ ନିଦ୍ରା ପାଇଁ ଏହି ସବୁ ଅଭ୍ୟାସକୁ ଛାଡିପାରିବେ ।