ହାଇଦ୍ରାବାଦ: କୋରୋନା ମହାମାରୀ ଅନେକ କ୍ଷେତ୍ରରେ ଘାତକ ପ୍ରମାଣିତ ହୋଇଛି । ଏହି ଭାଇରସଠୁ ଗର୍ଭବତୀ ଅଧିକ ସଚେତନ ରହିବା ଆବଶ୍ୟକ । କାରଣ ଏହା Stillbirth( ଡେଲିଭରି ପୂର୍ବରୁ ମା' ପେଟରେ ବା ଡେଲିଭରି ବେଳେ ଶିଶୁର ମୃତ୍ୟୁ)ର କାରଣ ହୋଇଥାଏ । ବୈଜ୍ଞାନିକମାନେ ଆନ୍ତର୍ଜାତିକ କ୍ଷେତ୍ରରେ ଷ୍ଟିଲବର୍ଥ ହୋଇଥିବା ପ୍ରାୟ ୬୪ ଜଣ ମହିଳାଙ୍କୁ ନେଇ ଗବେଷଣା କରିଥିଲେ । ତେବେ ଏଥିରୁ ଜଣାପଡ଼ିଛି ଯେ ଗର୍ଭବତୀ ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ପ୍ଲାସେଣ୍ଟା(ପେଟ ଭିତରେ ଥିବା ଶିଶୁ) ନିକଟକୁ ଯଥେଷ୍ଟ ପରିମାଣରେ ଅମ୍ଳଜାନ ପହଞ୍ଚି ନଥାଏ ।
ଗର୍ଭବତୀ ସଂକ୍ରମିତ ହେବା ପରେ ଭାଇରସ ସେମାନଙ୍କ ଶିଶୁ ନିକଟରେ ପହଞ୍ଚିଥାଏ । ମା' ଓ ଶିଶୁ ମଧ୍ୟରେ ଥିବା ଯୋଗାଯୋଗ ଉପରେ ଏହା ପ୍ରଭାବ ପକାଇଥାଏ । ଏ ନେଇ ଡାକ୍ତର ଡେଭିଡ଼ ସ୍କାର୍ଜ କହିଛନ୍ତି ଯେ ମୋଟ ୬୪ଟି ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୭୭ ପ୍ରତିଶତଙ୍କଠାରେ ଏହି ସମସ୍ୟା ଦେଖାଦେଇଥିଲା । ଶିଶୁ ନିକଟକୁ ଖାଦ୍ୟ, ରକ୍ତ ଓ ଅମ୍ଳଜାନର ଯୋଗାଣ ଆଦି ବାଧାପ୍ରାପ୍ତ ହେବା ପରେ ଜନ୍ମ ପୂର୍ବରୁ ମା' ପେଟରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା ।
ଗର୍ଭବତୀ ସଂକ୍ରମିତ ହେବା ପରେ ରକ୍ତକୁ ଜମାଟ ବାନ୍ଧୁଥିବା ଏକ ପ୍ରୋଟିନ ଫାଇବ୍ରିନ(Fibrin) ଅଧିକ ମାତ୍ରାରେ ଉତ୍ପନ୍ନ ହେଉଥିଲା । ଫଳରେ ମା' ଠାରୁ ଶିଶୁ ନିକଟକୁ ରକ୍ତ ଓ ଅମ୍ଳଜାନ ପହଞ୍ଚିବାରେ ସମସ୍ୟା ଉପୁଜୁଛି ଏବଂ ଏହା ଯିବା ରାସ୍ତାକୁ ବନ୍ଦ କରି ଦେଉଥିଲା । ଫଳରେ ଶିଶୁଟି ଅଣନିଃଶ୍ବାସୀ ହୋଇ ତାର ମୃତ୍ୟୁ ଘଟୁଥିବା ଡାକ୍ତରମାନେ କହିଛନ୍ତି । ମାଆ ଓ ଶିଶୁ ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହେବା ପରେ ଅନେକ ମୃତ କୋଷ ସୃଷ୍ଟି ହେଉଥିବା ଦେଖିବାକୁ ମିଳିଥିଲା, ଯାହାକୁ Trophoblast necrosis ବୋଲି କୁହାଯାଏ ।
ଗବେଷକମାନେ ଏହା ମଧ୍ୟ କହିଛନ୍ତି ଯେ ଏଭଳି ଷ୍ଟିଲବର୍ଥ ମାମଲା ଓମିକ୍ରନ ଅପେକ୍ଷା ଅଧିକାଂଶ ଡେଲଟା ଭାରିଏଣ୍ଟ(Delta variant) ଦ୍ବାରା ଘଟୁଛି । ଏହାସହ ଅନ୍ୟ ଭୂତାଣୁ, ଜୀବାଣୁ ଓ ପାରାସିଟିକ ସଂକ୍ରମଣ ଏହାର କାରଣ ହୋଇଥାଏ ବୋଲି ଜଣାପଡ଼ିଛି । SARS-CoV-2 ଭାଇରସ ପ୍ଲାସେଣ୍ଟାକୁ ଅଧିକ କ୍ଷତି ପହଞ୍ଚାଉଥିବା ଦେଖିବାକୁ ମିଳିଛି । ଏଥିରୁ ବର୍ତ୍ତିବା ଲାଗି ଗର୍ଭବତୀ ମହିଳା ଟିକା ନେବା ନିହାତି ଆବଶ୍ୟକ । ଏହାଦ୍ବାରା ଉଭୟ ମା' ଓ ଶିଶୁ ସୁରକ୍ଷିତ ରହିଥାନ୍ତି ।
@IANS