ହାଇଦ୍ରାବାଦ: ମୌସୁମୀ ପ୍ରବଳ ଗରମରୁ ଆଶ୍ବସ୍ତି ଆଣିଛି କିନ୍ତୁ ଏହା ସହିତ ସ୍ୱାସ୍ଥ୍ୟ ସମସ୍ୟା ବଢିବାରେ ଲାଗିଛି । ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ବର୍ଷା ଋତୁରେ ଦୂଷିତ ପାଣି ଏବଂ ଖାଦ୍ୟ ଯୋଗୁଁ ଡାଇରିଆ ସମସ୍ୟାରେ ପୀଡ଼ିତ ହେଉଛନ୍ତି । ଡାଇରିଆ, ଡେଙ୍ଗୁ, ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଡାଇରିଆ ହେଲେ ଶରୀରର ବିଶେଷ ଯତ୍ନ ନିଆଯିବା ଉଚିତ ଏବଂ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରାଯିବା ଜରୁରୀ । ଯଦି ଡାଇରିଆରେ ଡାଇରିଆ ସମସ୍ୟାକୁ ହାଲୁକା ଭାବେ ନିଆଯାଏ, ତେବେ ଏହା ସାଂଘାତିକ ହୋଇପାରେ ।
ଡାଇରିଆ କ'ଣ ଏବଂ ଏହା କପରି ହୋଇଥାଏ: ଡାଇରିଆ ହେଉଛି ଏକ ହଜମ ପ୍ରକ୍ରିୟା ସମ୍ବନ୍ଧୀୟ ବ୍ୟାଧି, ଯେଉଁଥିରେ ଜଣେ ବ୍ୟକ୍ତି ଏକାଧିକ ଥର ଝାଡା କରିଥାଏ ଏବଂ ଷ୍ଟୁଲ ବା ଝାଡା ପାଣି ପରି ପତଳା ହୋଇଥାଏ । ମୁଖ୍ୟତଃ ରୋଟାଭାଇରସ୍ କିମ୍ବା ସଲମାନେଲା କିମ୍ବା ଇକୋଲାଇ ପରି ଜୀବାଣୁ ଦ୍ବାରା ଡାଇରିଆ ହୋଇଥାଏ । ବର୍ଷା ଋତୁରେ ପିଲାମାନଙ୍କ ଠାରେ ଡାଇରିଆ ସମସ୍ୟା ବୃଦ୍ଧି ପାଇଥାଏ । ମଇଳା ବା ଦୂଷିତ ପାଣି, ଷ୍ଟ୍ରିଟ୍ ଫୁଡ୍ ଯୋଗୁଁ ଏହା ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: Home Remedies For Loose Motion: ପ୍ରବଳ ଖରା ପାଇଁ ହୋଇଥାଏ ଝାଡା, ଜାଣନ୍ତୁ ଚିକିତ୍ସା ଉପାୟ
ଡାଇରିଆର ଲକ୍ଷଣ: ଡାଇରିଆର ଲକ୍ଷଣ ହେଲା ବାରମ୍ବାର ପତଳା ଝାଡା ହେବା, ବାନ୍ତି, ପେଟରେ ଯନ୍ତ୍ରଣା, ପାଟି ଶୁଖିଯିବା, ଅଳ୍ପ ପରିସ୍ରା, ଦୁର୍ବଳତା, ଥକାପଣ ଏବଂ ଜ୍ୱର ହୋଇପାରେ । ତେବେ ବାରମ୍ବାର ଝାଡା ହେବା ଦ୍ବାରା ଶରୀରରୁ ଜଳୀୟ ଅଂଶ କମି ଯାଇଥାଏ । ଏଭଳି ପରିସ୍ଥିତିରେ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
ଡାଇରିଆ ପ୍ରତିରୋଧ:
- ତେଲ ଏବଂ ମସଲା ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଏବଂ ଖାଇବା ପୂର୍ବରୁ 20 ସେକେଣ୍ଡ ପାଇଁ ସାବୁନ୍ ଏବଂ ପାଣିରେ ହାତ ଧୋଇବା ଆବଶ୍ୟକ ।
- ବାସି ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ଏବଂ ରାନ୍ଧିବା ପୂର୍ବରୁ କଞ୍ଚା ପନିପରିବା ଭଲ ଭାବରେ ଧୋଇବା ଆବଶ୍ୟକ । ଡାଇରିଆ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବର୍ଷା ଋତୁରେ ଷ୍ଟ୍ରିଟ୍ ଫୁଡ୍ ଖାଆନ୍ତୁ ନାହିଁ ।
- ବାହାରୁ ପାଣି କିଣି ପିଇବା ଉଚିତ ନୁହେଁ ।
- ତରଳ ଝାଡା ସମୟରେ ଶରୀରକୁ ହାଇଡ୍ରେଟ ରଖିବା ପାଇଁ ଓଆରଏସ୍ କିମ୍ବା ଘରେ ମିଳୁଥବା ତୋରାଣି, ପଇଡ ପାଣି, ଚିନି ଲୁଣ ସର୍ବତ ଆଦି ପିଅନ୍ତୁ ।
- ଡିହାଇଡ୍ରେସନ ରୋକିବା ପାଇଁ ଲୁଣ ଓ ପାଣି ଦରକାର ପଡେ । ସାବୁଦାନା କାଂଜି, ପଇଡ ପାଣି, ଡାଲି ପାଣି ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ଓଆରଏସ ଦେଲେ ହାଇଡ୍ରେସନ ବଜାୟ ରହେ । ଡାଇରିଆ ହୋଇଥିଲେ ଛୁଆକୁ ଫଳରସ ଦିଅନ୍ତୁ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ