ପିଲାମାନେ ଉଭୟ ଶାରୀରିକ ଓ ମାନସିକ ଭାବେ ଦୃଢ ରହନ୍ତୁ ବୋଲି ପ୍ରତ୍ୟେକ ବାପାମାଆ ଚାହାଁନ୍ତି । ପୁଷ୍ଟିକର ଆହାର ସହ କିଛି ଭଲ ବ୍ୟାୟାମ କଲେ ପିଲାମାନଙ୍କ ସୁସ୍ଥ ରହନ୍ତି । ସେମାନଙ୍କ ଶକ୍ତି ସାମର୍ଥ୍ୟ ବଢିଥାଏ । ତେବେ ଯୋଗଠାରୁ ଭଲ ବ୍ୟାୟାମ କଣ ବା ଅଛି । ପିଲାମାନେ ବି କିଛି ଯୋଗର ଅଭ୍ୟାସ କରି ନିଜ ମନ ଓ ଶରୀରକୁ ସୁସ୍ଥ ରଖିପାରିବେ । ବାପାମାଆମାନେ ପିଲାଙ୍କୁ ଆରମ୍ଭରୁ ହିଁ ଏଭଳି କିଛି ଯୋଗ ଅଭ୍ୟାସ ପାଇଁ ପ୍ରବର୍ତାଇବା ଦରକାର, ଯାହା ଦ୍ୱାରା କି ସେମାନଙ୍କର ଶାରୀରିକ ଓ ମାନସିକ ବିକାଶ ହୋଇପାରିବ ।
ଆମର ଯୋଗ ବିଶେଷଜ୍ଞ ତଥା ବିମଳ ଯୋଗ ପ୍ରତିଷ୍ଠାତ୍ରୀ ରିଙ୍କି ଆର୍ଯ୍ୟା ପିଲାମାନଙ୍କ ପାଇଁ କିଛି ଯୋଗାସନ ସୁପାରିଶ କରିଛନ୍ତି ।
୧. ତାଡାସନ ( ପାମ ଟ୍ରି ପୋଜ୍ )
ଏହି ଆସନ କଲେ ପିଲାଙ୍କ ଉଚ୍ଚତା ବୃଦ୍ଧି ହୋଇଥାଏ । ସେମାନଙ୍କ ମେରୁଦଣ୍ଡ ସିଧା ହେବା ସହ ଦୃଢ ବି ହୋଇଥାଏ ।
- ପିଠି ସିଧା କରି ଚଟାଣରେ ଛିଡା ହୁଅନ୍ତୁ । ଦୁଇ ହାତକୁ ପାର୍ଶ୍ବରେ ରଖନ୍ତୁ ।
- ନିଶ୍ୱାସ ନେଇ ମୁଣ୍ଡ ଉପରକୁ ବାହୁ ଟେକନ୍ତୁ । ଆପଣଙ୍କ ପାପୁଲି ଓ ଅଙ୍ଗୁଳିଙ୍କୁ ଏକାଠି କରି ମୁହଁକୁ ସିଲିଂ ବା ଆକାଶ ଆଡକୁ ରଖନ୍ତୁ ।
- ଶରୀରର ଭାରସାମ୍ୟ ରଖି ପାଦରେ ଛିଡା ହୋଇ ଯଥାସମ୍ଭବ ଉପରକୁ ଷ୍ଟ୍ରେଚ୍ କରନ୍ତୁ ।
- ଏଭଳି ପୋଜ୍ରେ କିଛି କ୍ଷଣ ରୁହନ୍ତୁ । ନିଶ୍ୱାସ ଛାଡି ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଆସନ୍ତୁ ।
- ୮ରୁ ୧୦ ଥର ରିପିଟ୍ କରନ୍ତୁ
୨. ପଦହସ୍ତାସନ ( ହ୍ୟାଣ୍ଡ୍ ଟୁ ଫିଟ ପୋଜ୍)
ଏହି ଆସନ କଲେ ହାମଷ୍ଟ୍ରିଙ୍ଗ୍ , କାଭସ୍ ଓ ହିପ୍ ସୁସଂଚାଳିତ ହୁଏ । ମସ୍ତିଷ୍କକୁ ଶାନ୍ତ ରଖେ ଓ ଜଙ୍ଘକୁ ଶକ୍ତ କରେ ଏହି ଆସନ । ହଜମ ପ୍ରକ୍ରିୟାରେ ବି ଏହା ସହାୟକ ହୁଏ ।
- ଚଟାଣରେ ସିଧା ଛିଡା ହୁଅନ୍ତୁ । ବାହୁକୁ ସିଧା କରି ରଖନ୍ତୁ ।
- ନିଶ୍ୱାସ ନେଇ ହାତ ସିଧା କରନ୍ତୁ , ଯାହା ଦ୍ୱାରା କି ପାପୁଲି ଆଗମୁହାଁ ହୋଇ ରହିବ ।
- ପରେ ନିଶ୍ୱାସ ଛାଡି ହିପ୍ ଜଏଂଟରୁ ପିଠିକୁ ନୁଆଁନ୍ତୁ । ହାତ ଦ୍ୱାରା ପାଦକୁ ଛୁଇଁବାକୁ ଚେଷ୍ଟା କରନ୍ତୁ ।
- ଯଦି ଆପଣ ସହଜରେ ପାଦକୁ ହାତରେ ଛୁଇଁ ପାରିବେ, ତାହା ହେଲେ ମୁଣ୍ଡକୁ ଆଣ୍ଠୁଆଡକୁ ଘୁଞ୍ଚାନ୍ତୁ ।
- ଏଭଳି ସ୍ଥିତିରେ ୩୦ରୁ ୬୦ ସେକେଣ୍ଡ ଯାଏଁ ରହନ୍ତୁ । ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରନ୍ତୁ ।
- ଅନ୍ତତଃ ୫ ଥର ଏହି ଆସନ ରିପିଟ୍ କରନ୍ତୁ ।
୩. ବୀରଭଦ୍ରାସନ ( ୱାରିଅର ପୋଜ୍ )
ଏହି ଆସନ ଦ୍ୱାରା ଶକ୍ତି ବୃଦ୍ଧି ହୋଇଥାଏ । ବାହୁ, ଗୋଡ, ତଳି ପିଠି ଦୃଢ ହୋଇଥାଏ ।
- ଦୁଇ ଗୋଡ ପ୍ରସାର କରି ଛିଡା ହୋଇଯାଆନ୍ତୁ । ଡାହାଣ ଗୋଡକୁ ୯୦ ଡିଗ୍ରୀ ଓ ବାମ ଗୋଡକୁ ଟିକେ ଭିତରକୁ ବୁଲାନ୍ତୁ ।
- ନିଶ୍ୱାସ ଭିତରକୁ ନେବା ବେଳେ ଦୁଇ ହାତକୁ ଉପରକୁ ଉଠାନ୍ତୁ । ଆପଣଙ୍କ ମୁଣ୍ଡକୁ ଡାହାଣ ପଟେ ମୋଡନ୍ତୁ ।
- ନିଶ୍ୱାସ ଛାଡିଲା ବେଳେ ଡାହାଣ ହାତ ପ୍ରସାର କରିବା ସହ ଡାହାଣ ଗୋଡକୁ ବେଂଡିଂ କରନ୍ତୁ । ପାଦର ଏଡି ତଳକୁ ଆଣିବାକୁ ଚେଷ୍ଟା କରନ୍ତୁ ।
- ଏଭଳି ଭଙ୍ଗୀରେ କିଛି ସମୟ ରହୁନ୍ତୁ ।
- ଆପଣଙ୍କ ହାତ ତଳକୁ କରନ୍ତୁ ଓ ବାମ ପାଶ୍ୱର୍ରେ ରିପିଟ କରନ୍ତୁ ।
୪. ଧନୁରାସନ ( ବୋ ପୋଜ୍ )
ଏହି ଆସନ ଦ୍ୱାରା ଶ୍ୱାସ ଓ ହଜମ ବ୍ୟବସ୍ଥା ସୁଦୃଢ ହୋଇଥାଏ । ସ୍ପାଇନାଲ କର୍ଡକୁ ଏହା ଶକ୍ତ କରିଥାଏ । ଥାଇରଏଡ ସମସ୍ୟାର ସମାଧାନ ପାଇଁ ବି ଏହି ଆସନ ସହାୟ ହୋଇଥାଏ ।
- ଦୁଇ ଗୋଡ ମଧ୍ୟରେ ସାମାନ୍ୟ ବ୍ୟବଧାନ ରଖି ପେଟେଇ କି ଶୁଅନ୍ତୁ । ହାତକୁ ଉଭୟ ପାଶ୍ୱ ର୍ରେ ରଖନ୍ତୁ ।
- ଆଣ୍ଠୁକୁ ନୁଆଁଇ ପଛପଟେ ହାତ ଉପରକୁ ଉଠାନ୍ତୁ ।
- ନିଶ୍ୱାସ ଉପରକୁ ନେଇ ଛାତି, ଗୋଡ ଉପରକୁ ଉଠାନ୍ତୁ । ୧୫-୨୦ ସେକେଣ୍ଡ ଯାଏଁ ଏହି ଭଙ୍ଗୀରେ ରହନ୍ତୁ ।
- ପରେ ନିଶ୍ୱାସ ଛାଡି ସ୍ୱାଭାବିକ ସ୍ଥିତିକୁ ଫେରିଆସନ୍ତୁ । ଉପରୋକ୍ତ ଆସନ ସବୁ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଏ । ଏହାଛଡା ପିଲାମାନେ ସମ୍ମୁଖୀନ ହେଉଥିବା ହଜମ ସମସ୍ୟା, ବାନ୍ତି ଓ ପେଟ ଯନ୍ତ୍ରଣା ଆଦି ଦୂର କରିବାରେ ସହାୟକ ଏସବୁ ଯୋଗାସନ । ପିଲାଙ୍କ ମଧ୍ୟରେ ନୂଆ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିବା ସହ ସକାରାତ୍ମକ ମନୋଭାବ ଉଦ୍ରେକ କରେ ଯୋଗ । ତେଣୁ ମାଆବାପାମାନେ ପିଲାଙ୍କୁ ପ୍ରତିଦିନ ଯୋଗ ଅଭ୍ୟାସ ପାଇଁ ଉତ୍ସାହିତ କରିବା ଦରକାର । ଆଉ ପିଲାଙ୍କ ସହ ସେମାନେ ବି ଯୋଗାଭ୍ୟାସ କଲେ ଭଲ ।