- ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ପୁଷ୍ଟିକାରକ
- କୋଭିଡ୍ ବିଶ୍ବ ମହାମାରୀ ସମୟରେ ବିଶେଷଜ୍ଞଙ୍କ ପରାମର୍ଶ
ହାଇଦ୍ରାବାଦ: ସଂପ୍ରତି ସାରା ସହରରେ କରୋନା ସଂକ୍ରମଣ ଜନିତ ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ପରିବାରର କେହି ଜଣେ ସଂକ୍ରମିତ ହେଲେ, ଅନ୍ୟ ସଦସ୍ୟମାନେ ମଧ୍ୟ ସଂକ୍ରମଣ ଆଶଙ୍କାର ସମ୍ମୁଖୀନ ହୁଅନ୍ତି । ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ, ସମସ୍ତେ ପ୍ରତିଷେଧମୂଳକ ପଦକ୍ଷେପ ନେବା ସହିତ ନିଜେ ନିଜର ଯତ୍ନ ନେବା ଉଚିତ । ନିଜ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଅନେକ ଲୋକ ଭିଟାମିନ-ସି, ଭିଟାମିନ-ଡି3 ଏବଂ ଜିଙ୍କ ସେବନ କରୁଛନ୍ତି । ଏହାକୁ ନିୟମିତ ସେବନ କଲେ,ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ ମାସକୁ 600-650 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଅତ୍ୟଧିକ ଚାହିଦା ଯୋଗୁଁ ଆଜିକାଲି ଏହି ଔଷଧଗୁଡ଼ିକ ଔଷଧ ଦୋକାନରେ ସହଜରେ ମିଳୁନାହିଁ । ଏହି ପ୍ରସଙ୍ଗରେ, ପୁଷ୍ଟି ବିଶେଷଜ୍ଞ ସୁଜାତା ଷ୍ଟିଫେନ୍ କହନ୍ତି ଯେ, ଉପଯୁକ୍ତ ଯତ୍ନ ସହିତ, ଯେ କୌଣସି ସାଧାରଣ ରନ୍ଧାଘରେ ଉପଲବ୍ଧ କେତେକ ଉପାଦାନ ସହିତ ଅନ୍ୟ କେତେକ ପୁଷ୍ଟିସାର ପରିପୂରକ ଦ୍ରବ୍ୟ ସେବନ କଲେ, ତାହା ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟତା କରିବ । ଏ ଦିଗରେ ନିମ୍ନଲିଖିତ ଉପାୟ ଅବଲମ୍ବନ କରାଯାଇପାରେ:
♦ ପ୍ରତିଦିନ ସକାଳେ, ଫୁଟୁଥିବା ଗରମ ପାଣିରେ ତୁଳସୀ, ଗୋଲମରିଚ, ଡାଲଚିନି, ରସୁଣ, ଗୁଡ଼ ଓ ହଳଦୀ ମିଶାନ୍ତୁ । ଏହି ଉପାଦାନଗୁଡ଼ିକୁ ଛାଣି, ନିୟମିତ ଚା’ବଦଳରେ ଏହି କ୍ବାଥ ପିଇଲେ, ଏହା କାଶ, କଫ ଏବଂ ଗଳା ଦରଜର ଉପଶମ କରିଥାଏ ।
♦ ଏହି ଚେରମୂଳି ମିଶ୍ରିତ କ୍ବାଥ ପିଇବା ପରେ ପ୍ରାୟ 30 ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ କରିବା ଆବଶ୍ୟକ । ଏହି ସମୟରେ ଶରୀରକୁ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ମିଳୁଛି ବୋଲି ନିଶ୍ଚିତ କରିନେବା ଉଚିତ । ଯୋଗ କରିବା କିମ୍ବା ଦ୍ରୁତ ଗତିରେ ଚାଲିବା ମଧ୍ୟ ଉପକାର କରିବ ।
♦ ପ୍ରତିଦିନ ସକାଳ 8ଟା ସୁଦ୍ଧା ପ୍ରାତଃଭୋଜନ ସାରିବା ଆବଶ୍ୟକ । ପ୍ରାତଃଭୋଜନରେ ବିରି କିମ୍ବା ମାଣ୍ଡିଆ
ଚୂନାର ପିଠଉରେ ତିଆରି ଇଡିଲି ଖାଇବା ଶ୍ରେୟସ୍କର । ପିଠଉରେ କଟା ଗାଜର ଏବଂ ପତର ବାହାରିଥିବା ଗଜା ମିଶାଇ ଏହାକୁ ସ୍ବାଦିଷ୍ଟ କରାଯାଇପାରେ ।
♦ ଦିନ 10ଟା 30ରେ କିଛି ଋତୁକାଳୀନ ଫଳକୁ କାଟି ଖାଆନ୍ତୁ । ଆଜିକାଲି ପିଜୁଳି, ଅମୃତଭଣ୍ଡା, ଆପ୍ରିକଟ୍ (ଜେଉଟ) ଓ ବ୍ଲୁବେରୀ (କୋଳି) ପ୍ରଚୁର ପରିମାଣରେ ଓ ସହଜରେ ମିଳୁଛି ଏବଂ ଏଗୁଡ଼ିକ ନିୟମିତ ଭାବେ ଖାଇବା ସ୍ବାସ୍ଥ୍ୟ ପ୍ରତିହିତକାରକ ।
♦ ମଧ୍ୟାହ୍ନ ଭୋଜନରେ ନିୟମିତ ଖାଦ୍ୟ ସହିତ ସବୁଜ ପନିପରିବା, ରନ୍ଧା ହୋଇଥିବା ଡାଲି, ଛଚିନ୍ଦ୍ରା, ଲାଉ, ମୂଳା, ଫୁଲକୋବି, ବନ୍ଧାକୋବି ଏବଂ ଅନ୍ୟ ପତ୍ରଯୁକ୍ତ ପରିବା ଖାଇଲେ ତାହା ଜଣେ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି ସ୍ତର ବଢ଼ାଇବାରେ ସହାୟତା କରିଥାଏ । ଏସବୁ ପରିବାପତ୍ରରେ ଭୂତାଣୁ ଓ ଜୀବାଣୁ ସଂକ୍ରମଣ ବିରୋଧରେ ସୁରକ୍ଷା ପ୍ରଦାନକାରୀ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ ।
♦ ଶରୀରକୁ ପର୍ଯ୍ୟାପ୍ତ ପୁଷ୍ଟିସାର ଯୋଗାଇବା ପାଇଁ ଜଣେ ବ୍ୟକ୍ତି ସପ୍ତାହକୁ ଦୁଇ ବା ତିନି ଥର 150-200 ଗ୍ରାମ କୁକୁଡ଼ା ମାଂସ ଏବଂ 75 ଗ୍ରାମ ଛେଳିମାଂସ, 100 ଗ୍ରାମ ମାଛ ଏବଂ 50 ଗ୍ରାମ ପନୀର ଖାଇବା ଉଚିତ । ନିରାମିଷାଶୀ ବ୍ୟକ୍ତିମାନେ ଏସବୁ ବଦଳରେ ଚିନାବାଦାମ, ବାଜରା, ସୋୟାବିନ ପ୍ରଭୃତିରୁ ଏଭଳି ପୁଷ୍ଟିସାର ଆହରଣ କରିପାରିବେ ।
♦ ସନ୍ଧ୍ୟାବେଳର ଜଳଖିଆରେ ଶୁଷ୍କ ଫଳକୁ ସାମିଲ କରାଯିବା ଉଚିତ । ବାଜରା, ବାଦାମ, ସୋଲା, ତରଭୁଜ ଏବଂ କଖାରୁ ମଞ୍ଜି ପ୍ରଭୃତିରେ ପ୍ରଚୁର ଜିଙ୍କ, ସେଲେନିୟମ ଏବଂ ଆଇରନ୍ ଅଂଶ ଥିବାରୁ ଏଗୁଡ଼ିକୁ ଆହାରରେ ସାମିଲ କରାଯାଇପାରିବ । ଏହା ସହିତ ପରିବାକୁ ସିଝାଇ ପ୍ରସ୍ତୁତ କରାଯାଇଥିବା ଷ୍ଟକ୍ରେ ଗୋଲମରିଚ ଗୁଣ୍ଡ ଏବଂ ଲୁଣ ପକାଇ ଏହାକୁ ଗରମ ସୁପ୍ ଭାବରେ ନିଆଯାଇପାରିବ ।
♦ ଦିନ ଶେଷରେ, ରାତି 7.30ରୁ 8ଟା ଭିତରେ ରାତ୍ରୀଭୋଜନ ସାରିଦେବା ଉଚିତ । ଯାହା ଫଳରେ ଶୋଇବା ପୂର୍ବରୁ ଖାଦ୍ୟ ହଜମ ହେବା ପାଇଁ ପ୍ରଚୁର ସମୟ ମିଳିବ । ରାତ୍ରୀଭୋଜନରେ ସୀମିତ ପରିମାଣର ମକା ଏବଂ ଗହମ ଅଟାରେ ତିଆରି ରୁଟି ଖାଇବା ଉଚିତ । ରାତିରେ ଶୋଇବାକୁ ଯିବା ପୂର୍ବରୁ ଗୋଟିଏ କପ୍ କ୍ଷୀରରେ ଅଳ୍ପ ହଳଦୀ ମିଶାଇ ପିଇଲେ, ଏହା ଫୁସ୍ଫୁସ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରେ ।