ଝାଡୁ ଧରିଲେ ଯନ୍ତ୍ରଣା ହେଉଛି କି ? କାରଣ ଜାଣନ୍ତୁ...
ହାତରେ ଝାଡୁ ଧରିଲେ କି କପ୍ଟିଏ ଧରିଲେ ଆପଣ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? କପଡା ଧୋଇଲେ, ହ୍ୟାଣ୍ଡଲ ବୁଲାଇଲେ, କୌଣସି ବସ୍ତୁକୁ ମୁଠାଇ ଧରିଲେ, ଛୁରୀରେ ପରିବା କାଟିଲେ ଓ ଦୀର୍ଘ ସମୟ ଧରି କଂପ୍ୟୁଟର ମାଉସ ବ୍ୟବହାର କଲେ ବି ଆପଣ ଯଦି ଯନ୍ତ୍ରଣା ଅନୁଭବ କରନ୍ତି, ତାହା ହେଲେ ଆପଣ ଟେନିସ ଏଲ୍ବୋରେ ପୀଡିତ । ଆଉ ଯଦି ଏଭଳି ସ୍ଥିତି ଅନୁଭବ କରନ୍ତି, ତାହାହେଲେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ । ଟେନିସ ଏଲବୋ ହେଉଛି ଏକ ଚିନ୍ତାଜନକ ସ୍ଥିତି । ଆଉ କୋଭିଡ-୧୯ ମହାମାରୀ ଯୋଗୁଁ ଆଜିକାଲି ଏହି ରୋଗରେ ପୀଡିତ ଅଧିକାଂଶ ଲୋକ ଅନଲାଇନରେ ପ୍ରଫେସନାଲ ସହାୟତା ଲୋଡୁଛନ୍ତି । ଟେନିସ ଏଲବୋ ଯୋଗୁଁ ଯନ୍ତ୍ରଣା ଅସହ୍ୟ ହେଲେ ହିଁ ସେମାନେ ନିଜେ ଡାକ୍ତରଙ୍କ ପାଖକୁ ଯାଇ ଦେଖା କରୁଛନ୍ତି ।
ଟେନିସ ଏଲବୋ କଣ ଓ ଏହାର ଚିକିତ୍ସା କିପରି ହୋଇପାରିବ, ତାହା ଜାଣିବା ପାଇଁ ଇଟିଭି ଭାରତ ପକ୍ଷରୁ ଫିଜିଓଥେରାପିଷ୍ଟ , ଅଲଟେରନେଟିଭ ମେଡିସିନ ପ୍ରାକ୍ଟିସନର ଓ ଯୋଗ ଶିକ୍ଷକ ଡକ୍ଟର ଜାହ୍ନବୀ କଥ୍ରାନିଙ୍କ ସହଯୋଗାଯୋଗ କରାଯାଇଥିଲା । କହୁଣୀ ଗଣ୍ଠିର ବାହାର ପାର୍ଶ୍ବରେ ପ୍ରଦାହ ହେବାକୁ ଟେନିସ ଏଲବୋ କୁହାଯାଏ । ଟେନିସ ଖେଳାଳିମାନଙ୍କ ମଧ୍ୟରେ ଏହା ଦେଖିବାକୁ ମିଳିଥିବାରୁ ଏପରି ନାମକରଣ ହୋଇଛି । କହୁଣୀ ଗଣ୍ଠିର ବାହ୍ୟ ଅଂଶରେ ଯନ୍ତ୍ରଣା ଓ କୋମଳତା ହିଁ ଟେନିସ୍ ଏଲବୋ । ତେବେ ଟେନିସ ଏଲବୋ ଭାବେ ନାମକରଣ ହୋଇଥିବାରୁ ଯେ, କେବଳ ଟେନିସ ଖେଳାଳିମାନେ ଏହି ଯନ୍ତ୍ରଣା ଭୋଗନ୍ତି, ତାହା ଭାବିବା ଭୁଲ । ଘରପରିବାରର ଭାରି କାମ କରୁଥିବା ସଦସ୍ୟ, କଂପ୍ୟୁଟର ବ୍ୟବହାର କରୁଥିବା ପେଷାଦାର କର୍ମଚାରୀ ଓ ବିଶେଷକରି ମହିଳାମାନଙ୍କଠାରେ ଟେନିସ ଏଲବୋ ଅଧିକ ଦେଖାଯାଇଥାଏ । ମହିଳାମାନେ ରୋଷେଇ ଓ ସାଧାରଣ ଘରକାମ ଅଧିକ କରୁଥିବାରୁ ସେମାନଙ୍କ ବାହୁର ଅଗ୍ରଭାଗ ଉପରେ ଚାପ ଅଧିକ ପଡିଥାଏ । ତେଣୁ ସେମାନେ ଟେନିସ ଏଲବୋରେ ପୀଡିତ ହେବା ସ୍ବାଭାବିକ । ୩୦ରୁ ୫୦ ବର୍ଷ ବୟସ ବର୍ଗର ଲୋକଙ୍କ ମଧରେ ଟେନିସ ଏଲବୋ ସାଧାରଣ । ଆଗରୁ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବା ଲୋକେ ଘରେ ଅଧିକ କାମର ବୋଝ ଉଠାଉଥିବାରୁ ସେମାନଙ୍କଠାରେ ଟେନିସ ଏଲବୋ ଲକ୍ଷଣ ଅଧିକ ଦେଖାଦେଉଛି ।
ଟେନିସ ଏଲବୋ କିପରି ଚିହ୍ନଟ କରିବା?
ଯନ୍ତ୍ରଣା ହେଉଛି ପ୍ରଥମ ଲକ୍ଷଣ । ସାଧାରଣତଃ ଏହା କହୁଣୀର ବାହାର ଅଂଶ ଓ ବେଳେ ବେଳେ କଚଟି ଓ ବାହୁର ଅଗ୍ରଭାଗରେ ହୋଇଥାଏ । କହୁଣୀର ହାଡ ସହ ସଂଯୋଗ ହୋଇଥିବା ଟେଂଡନରେ କୋମଳତା ଯୋଗୁଁ ପ୍ରକୃତରେ କହୁଣୀରେ ପ୍ରଦାହ ହୋଇଥାଏ । ହାଡ ସହ ସଂଲଗ୍ନ ମାଂସପେଶୀୟ ଢାଂଚାକୁ ଟେଂଡନ କୁହାଯାଏ । ତେଣୁ ମାଂସପେଶୀରେ କୌଣସି ପ୍ରକାର ଚାପ ଦ୍ବାରା ସିଧାସଳଖ ପ୍ରଭାବିତ ହୋଇଥାଏ ଟେଂଡନ୍ । ବାହୁର ଅଗ୍ରଭାଗର ମାଂସପେଶୀର ବହୁଳ ବ୍ୟବହାର ଓ ଏଥିରେ ଦୁର୍ବଳତା ସହ କହୁଣୀକୁ ଝଟକା ଦେବା ଭଳି କାର୍ଯ୍ୟକଳାପ ଦ୍ବାରା ବି ଅସହ୍ୟ ଯନ୍ତ୍ରଣା ହୁଏ । କୌଣସି ଭାରୀ ଜିନିଷ ଉଠାଇଲେ ପ୍ରାଥମିକ ଭାବେ କହୁଣୀ ଗଣ୍ଠିରେ ଯନ୍ତ୍ରଣା ହୁଏ । କିନ୍ତୁ ପରେ ଅନ୍ୟଭାଗରେ ବି ଯନ୍ତ୍ରଣା ଅନୁଭୂତ ହୁଏ । ବିନ୍ଧାଟଣା ଆଦି ହୁଏ । ଟେନିସ ଏଲବୋ ଦୁଇ ପ୍ରକାର । ରେଜିଡୁଆଲ ଟେନିସ ଏଲବୋ ଓ ମୁଭମେଣ୍ଟ ଇନଡ୍ୟୁସଡ୍ ଟେନିସ ଏଲବୋ । ରେଜିଡୁଆଲ ଟେନିସ ଏଲ୍ବୋ ସହ ଖାପ ଖୁଆଇବା ଅଧିକ କଷ୍ଟକର ।
ତ୍ବରିତ ଯତ୍ନ
୧. ଯନ୍ତ୍ରଣା ହେଲେ କହୁଣୀରେ ବରଫ ଘଷନ୍ତୁ । ଏଥିସହ କହୁଣୀ ସଂଲଗ୍ନ ଫୋରଆର୍ମ ମସଲ୍ସ ଘୋଡାଇ ରଖନ୍ତୁ । ଏହା ହେଲେ ବ୍ୟଥା ହ୍ରାସ ହେବା ସହ ମାଂସପେଶୀରେ ରକ୍ତ ସଂଚାଳନ
ବୃଦ୍ଧି ଘଟିବ ।
୨. କହୁଣୀକୁ ଘୋଡାଇ ରଖିବା ଜରୁରୀ । ବଜାରରେ ମିଳୁଥିବା ଏଲବୋ ବ୍ୟାଣ୍ଡ୍ ଆଣି ଆପଣ ବ୍ୟବହାର କରିପାରିବେ । ନହେଲେ ଉଲ୍ ସକ୍ସ ବ୍ୟବହାର କରିପାରିବେ । କିଛି ନ ହେଲେ ଅସ୍ଥାୟୀ ଭାବେ ଏକ
ରୁମାଲରେ ଆପଣ କହୁଣୀକୁ ବାନ୍ଧି ପାରିବେ । ଏଲବୋ ବ୍ୟାଣ୍ଡ୍ ରୋଗୀକୁ ଆରାମ ଦେଇଥାଏ ।
୩. ଉପଯୁକ୍ତ ପରାମର୍ଶ ନେଇ ବାହ୍ୟ ଔଷଧ ସେବନ କରିପାରିବେ ।
୪. ଉପର ଅଙ୍ଗରେ କୌଣସି ଚାପ ନ ପକାଇ କହୁଣୀକୁ ସୁସ୍ଥ ହେବାକୁ ଦିଅନ୍ତୁ ।
୫. ରୋଗ ଉପଶମ ପ୍ରକ୍ରିୟା ବେଳେ ସକାରାତ୍ମକ ମନୋଭାବ ରଖନ୍ତୁ । ଏହା ନହେଲେ ସ୍ଥିତି ଆହୁରି ଖରାପ ହୋଇପାରେ । କୌଣସି ଚିନ୍ତା ନକରି ବିଶ୍ରାମନିଅନ୍ତୁ ।
ଦୀର୍ଘକାଳିନ ଚିକିତ୍ସା
୧ . ମାଂସପେଶୀକୁ ସୁଦୃଢ କରନ୍ତୁ । କଚଟିର ବି ବ୍ୟାୟାମ ଜରୁରୀ ।
୨. ନିୟମିତ ଷ୍ଟ୍ରେଚିଂ କଲେ କହୁଣୀ ଯନ୍ତ୍ରଣାରହିବ ନାହିଁ ।
୩. ବିନା ଚାପ ବା ସୀମିତ ଚାପରେ କହୁଣୀର ଯନ୍ତ୍ରଣାଗ୍ରସ୍ତ ସ୍ଥାନକୁ ମାଲିସ କଲେ ଏହା ଉପଶମ ହୋଇପାରିବ ।
ଆପଣ ଡକ୍ଟର ଜାହ୍ନବୀଙ୍କ ସହ ତାଙ୍କଇମେଲ ଜରିଆରେ ଯୋଗାଯୋଗକରିପାରିବେ । ତାଙ୍କ ଆଇଡି ହେଲା - jk.swasthya108@gmail.com