ହାଇଦ୍ରାବାଦ: ସମଗ୍ର ବିଶ୍ବରେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ହୃଦ୍ରୋଗ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ 17.9 ନିୟୁତ ଲୋକ ହୃଦ୍ରୋଗରେ ପ୍ରାଣ ହରାନ୍ତି । କାମ କରୁଥିବା ସମୟରେ, ନାଚୁଥିବା-ଗାଉଥିବା ସମୟରେ ଅନେକ ଲୋକ ହୃଦ୍ରୋଗରେ ପ୍ରାଣ ହରାଇଥିବା ଭିଡିଓ ଗତବର୍ଷ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ପ୍ରାରମ୍ଭିକ ଲକ୍ଷଣ ଜାଣିନପାରିବା ଏହାର ମୁଖ୍ୟ କାରଣ ହୋଇପାରେ । ତେବେ ଆଜିର ଏହି ଆର୍ଟିକିଲରେ ଆମେ ଆଲୋଚନା କରିବା ଯେ କେଉଁ କେଉଁ ଲକ୍ଷଣ ଦେଖାଦେଲେ ତୁରନ୍ତ ଜଣେ ହୃଦ୍ରୋଗ ବିଶେଷଜ୍ଞଙ୍କ ପରାମର୍ଶ କରିବା ଉଚିତ୍ ।
ଛାତି ଯନ୍ତ୍ରଣା: ହୃଦଘାତର ଏକ ସାଧାରଣ ଲକ୍ଷଣ ହେଉଛି ଛାତି ଯନ୍ତ୍ରଣା । ଛାତି ଯନ୍ତ୍ରଣାର ଅନ୍ୟାନ୍ୟ କାରଣ ହୋଇପାରେ । କିନ୍ତୁ ବେଳେ ବେଳେ ଛାତିରେ ଯନ୍ତ୍ରଣା ହୃଦୟକୁ ରକ୍ତ ସଂଚାଳନ ନହେବା କାରଣରୁ ହୋଇପାରେ । ତେଣୁ ଛାତିରେ ଯନ୍ତ୍ରଣା କିମ୍ବା ବଥା ହେଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।
ହୃଦସ୍ପନ୍ଦନରେ ଅନିୟମିତତା କିମ୍ବା ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା: ହୃଦସ୍ପନ୍ଦନରେ ଅନିୟମିତତା କିମ୍ବା ମୁଣ୍ଡ ବୁଲାଇବା ସହିତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ମଧ୍ୟ ହୃଦରୋଗର ଲକ୍ଷଣ ହୋଇପାରେ । ଅଧିକ ପରିଶ୍ରମ କରିବା ଦ୍ବାରା ଏପରି ସଙ୍କେତ ଦେଖାଦିଏ । ଯଦି ସାମାନ୍ୟ କାର୍ଯ୍ୟକଳାପରେ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯାଆନ୍ତୁ ।
ଉଚ୍ଚ କୋଲେଷ୍ଟ୍ରୋଲ ସ୍ତର: ଉଚ୍ଚ କୋଲେଷ୍ଟ୍ରଲ ସ୍ତର ଧମନୀରେ ପ୍ଲେକ୍ ତିଆରି କରିଥାଏ, ଯାହାଦ୍ୱାରା ଷ୍ଟ୍ରୋକ୍, ହୃଦ୍ରୋଗ ଏବଂ ଅନ୍ୟାନ୍ୟ ହୃଦୟ ଜନିତ ସମସ୍ୟାର କାରଣ ହୋଇଥାଏ । ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରିବା ସହ ଏକ ସୁସ୍ଥ ଖାଦ୍ୟ ଅବଲମ୍ବନ କଲେ ଉଚ୍ଚ କୋଲେଷ୍ଟ୍ରୋଲ ସ୍ତର ନିୟନ୍ତ୍ରଣରେ ରହିଥାଏ । ସର୍ବଦା ମନେ ରଖନ୍ତୁ ଯେ, କୋଲେଷ୍ଟ୍ରୋଲ ସ୍ତର ଉଚ୍ଚ ହେଉ ଅବା ନିମ୍ନ ଉଭୟ ସ୍ବାସ୍ଥ୍ୟ ହାନିକାରକ, ତେଣୁ ଏହା ସର୍ବଦା ନିୟନ୍ତ୍ରଣରେ ରହିବା ଉଚିତ୍ ।
କ୍ରମାଗତ ଭାବରେ ରକ୍ତଚାପ ବୃଦ୍ଧି: କ୍ରମାଗତ ଭାବରେ ଉଚ୍ଚ ରକ୍ତଚାପ ହୃଦୟକୁ ସଠିକ୍ ରକ୍ତ ସଞ୍ଚାଳନ କରିପାରେ ନାହିଁ । ଫଳରେ ଷ୍ଟ୍ରୋକ ଏବଂ ହୃଦଘାତର ଆଶଙ୍କା ବଢିଯାଇଥାଏ । ଏହି ପ୍ରକ୍ରିୟାରେ ବେଳେ ବେଳେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନଥାଏ, ତେଣୁ ନିୟମିତ ଭାବରେ ରକ୍ତଚାପ ଉପରେ ନଜର ରଖିବା ଜରୁରୀ ।
ରକ୍ତରେ ଶର୍କରା ବୃଦ୍ଧି: ହୃଦରୋଗ ମଧୁମେହ ସହିତ ଜଡିତ । ଅନିୟନ୍ତ୍ରିତ ରକ୍ତରେ ଶର୍କରା ସ୍ତର ରକ୍ତଭଣ୍ଡାରର କାର୍ଯ୍ୟକୁ ପ୍ରଭାବିତ କରିଥାଏ ଏବଂ କରୋନାରୀ ଧମନୀ ରୋଗ ହେବାର ଆଶଙ୍କା ବଢାଇଥାଏ । ତେଣୁ ହୃଦରୋଗ ଆଶଙ୍କାକୁ ଦୂର କରିବା ପାଇଁ ମଧୁମେହ ଚିକିତ୍ସା ଉପରେ ଗୁରୁତ୍ବ ଦିଅନ୍ତୁ ।
ଧୂମପାନ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା: ତମାଖୁ ସେବନ କରିବା ଦ୍ବାରା ହୃଦୟର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିଥାଏ । ଯେଉଁମାନେ ଧୂମପାନ କରନ୍ତି, ସେମାନେ ହୃଦ୍ରୋଗରେ ଆକ୍ରାନ୍ତ ହେବାର ଦୁଇରୁ ଚାରି ଗୁଣ ବିପଦ ଅଧିକ । ସିଗାରେଟ୍ ଟାଣିବା ଦ୍ୱାରା ଧମନୀ ଲାଇନ୍ରେ କ୍ଷତି ହୋଇଥାଏ, ଫଳସ୍ୱରୂପ ପ୍ଲେକ୍ ତିଆରି ହୋଇ ଜୀବନ ପ୍ରତି ବିପଦ ସୃଷ୍ଟି ହୁଏ । ତେଣୁ ଧୂମପାନ ଅଭ୍ୟାସ ଥିଲେ ହୃଦରୋଗ ବିଶେଷଜ୍ଞଙ୍କ ସହିତ ନିୟମିତ ପରାମର୍ଶରେ ରୁହନ୍ତୁ ।
ହୃଦ ସ୍ପନ୍ଦନରେ ଅନିୟମିତତା: ଏହି ଲକ୍ଷଣ ହୃଦଘାତର ଏକ ପ୍ରମୁଖ ଲକ୍ଷଣ । ହାର୍ଟ ବିଟ୍ ବା ହୃଦ ସ୍ପନ୍ଦନ କିଛି ସମୟ ପାଇଁ ଧୀର କିମ୍ବା ଦ୍ରୁତ ହୋଇଯାଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।