ହାଇଦ୍ରାବାଦ: ଆଳୁ..ରୋଷେଇ ଘରର ମୁଖ୍ୟ ଖାଦ୍ୟ ପଦାର୍ଥ । ଅନେକ କହନ୍ତି ଆଳୁ ବିନା ପ୍ରସ୍ତୁତ ଖାଦ୍ୟ ସ୍ବାଦହୀନ । ସମସ୍ତେ ପ୍ରାୟ ଆଳୁ ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ଆଳୁରେ ସ୍ବାଦିଷ୍ଟ ତରକାରୀ, ଭଜା ଏବଂ ଚିପ୍ସ ହୋଇଥାଏ । ଏହାସହ ଅନ୍ୟ ତରକାରୀରେ ମଧ୍ୟ ଆଳୁ ବ୍ୟବହୃତ ହୋଇଥାଏ । ସାଧାରଣତଃ ଛୁଆମାନେ ଆଳୁ ଖାଇବା ପାଇଁ ପସନ୍ଦ କରିଥାଆନ୍ତି । ତେବେ ଅନେକ ଆଜି ମଧ୍ୟ ଜାଣିନାହାନ୍ତି ଯେ କିଭଳି ଆଳୁକୁ ସଂରକ୍ଷିତ କରି ରଖିବେ । ଆଳୁକୁ ସଂରକ୍ଷଣ କରି ରଖିବାରେ ଭୁଲ କରିବା ଯୋଗୁଁ ଏହା ଶୀଘ୍ର ନଷ୍ଟ ହୋଇଯାଇଥାଏ । ପ୍ରାୟତଃ ଆଳୁକୁ ପ୍ଲାଷ୍ଟିକ ବ୍ୟାଗ କିମ୍ବା ଫ୍ରିଜରେ ସଂରକ୍ଷିତ କରି ରଖାଯାଇଥାଏ । ଫଳରେ ଆଳୁ ଶୀଘ୍ର ସଢି ଯାଇଥାଏ ।
ଏକ ରିପୋର୍ଟ ଅନୁସାରେ, ଯଦି ଆଳୁକୁ ପନିପରିବା ସହିତ ତୁଳନା କରାଯାଏ ତେବେ ପନିପରିବା ଠାରୁ ଆଳୁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇଥାଏ । କିନ୍ତୁ ଏଥିପାଇଁ ସଠିକ ପ୍ରକ୍ରିୟା ଆପଣାଇବା ଆବଶ୍ୟକତା ହୋଇଥାଏ । ନଚେତ୍ ଆଳୁରୁ ଗଜା ବାହାରି ଯାଇଥାଏ। ଫଳରେ ଆଳୁର ରଙ୍ଗ ଏବଂ ସ୍ବାଦରେ ପରିବର୍ତ୍ତନ ହୋଇଥାଏ । ରୋଷେଇ କରିବା ପାଇଁ ମଧ୍ୟ ଇଚ୍ଛା ହୋଇନଥାଏ । ତେବେ ଆଳୁକୁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷଣ ରଖିବାକୁ ହେଲେ ଆପଣାନ୍ତୁ ଏହି ଉପାୟ
⚛ ଯେତେବେଳେ ଆଳୁକୁ ଅଧିକ ଦିନ ଯାଏଁ ଫ୍ରିଜରେ ରଖାଯାଏ ତେବେ ଏହା ଅଧିକ ମିଠା ଲାଗିଥାଏ । ଆଳୁ ବିଟରେ ରହିଥିବା ଷ୍ଟ୍ରାଚ ଶର୍କରାରେ ପରିଣତ ହୋଇଥାଏ । ରୋଷେଇ କରିବା ଦ୍ବାରା ଏହା ମିଠା ଲାଗିଥାଏ।
⚛ ଆଳୁକୁ ସୂର୍ଯ୍ୟାଲୋକ କିମ୍ବା ଅଧିକ ତାପମାତ୍ରା ରହିଥିବା ସ୍ଥାନରେ ରଖନ୍ତୁ ନାହିଁ । ଏହାକୁ ଥଣ୍ଡା, ଅନ୍ଧକାର ସ୍ଥାନରେ ସଂରକ୍ଷିତ କରି ରଖିଲେ ଆଳୁ ଅଧିକ ଦିନ ରହିପାରିବ।
⚛ ପେପର ବ୍ୟାଗରେ ରଖିବା ଦ୍ବାରା ଆଳୁ ଦୀର୍ଘ ସମୟ ଧରି ସଂରକ୍ଷିତ ହୋଇ ରହିଥାଏ।
⚛ କୌଣସି ଉପାୟରେ ମଧ୍ୟ ଆଳୁକୁ ସଂରକ୍ଷିତ କରିବା ପୂର୍ବରୁ ଧୋଇବା ଉଚିତ ନୁହେଁ । କାରଣ ଏହା ଦ୍ବାରା ଆଳୁ ଶୀଘ୍ର ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ।
⚛ ଆଳୁକୁ ସଠିକ ଉପାୟରେ ସଂରକ୍ଷିତ ନକରିବା ଦ୍ବାରା ଏହା ସବୁଜ ହୋଇଯାଇଥାଏ । ସୋଲାନାଇଲ ନାମକ କେମିକାଲ ଯୋଗୁଁ ଏହାର ରଙ୍ଗରେ ପରିବର୍ତ୍ତନ ହୋଇଥାଏ ।
⚛ ଅଧିକ ଦିନ ଆଳୁକୁ ରଖିବା ଦ୍ବାରା ଏହାର ସ୍ବାଦ ଏବଂ ଆକାରରେ ପରିବର୍ତ୍ତନ ହୋଇଥାଏ । ଫଳରେ ଏହାକୁ ଖାଇବା ଦ୍ବାରା ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ।
⚛ ଅନେକ ସମୟରେ ଆଳୁରୁ ଗଜା ବାହାରିଥାଏ । ତେବେ ରୋଷେଇ କରିବା ପୂର୍ବରୁ ଏହାକୁ ଭଲ ଭାବେ ସଫା କରିବା ଉଚିତ । ଥଣ୍ଡା ପରିବେଶରେ ରଖିବା ଦ୍ବାରା ଏଥିରୁ ଗଜା ବାହାରିବ ନାହିଁ।
⚛ ବଜାରରୁ ଆଳୁ କିଣିଲେ ଏହାକୁ ପୁରୁଣା ଆଳୁ ସହିତ ମିଶାନ୍ତୁ ନାହିଁ । ଦୁହିଁକୁ ଅଲଗା ରଖନ୍ତୁ । ନଚେତ୍ ସମସ୍ତ ଆଳୁ ଖରାପ ହେବାର ସମ୍ଭାବନା ଅଧିକ ରହିଥାଏ।
⚛ ଏହାସହ ଆଳୁକୁ ଅନ୍ୟ ପନିପରିବା ସହିତ ମଧ୍ୟ ମିଶାଇ ରଖନ୍ତୁ ନାହିଁ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ