ସାନ ଫ୍ରାନ୍ସିକୋ: ଆଜିର ସମୟରେ ଅନେକଙ୍କ ଠାରେ ହୃଦ ରୋଗ ଜନୀତ ସମସ୍ୟା ଦେଖିବାକୁ ମିଳୁ୍ଛି । ତେବେ ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ,ଖାଦ୍ୟକୁ ଶୀଘ୍ର ଖାଇବା ଦ୍ୱାରା ହୃଦ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମଥାଏ । ନେଚର କମ୍ୟୁନିକେସନ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଅନୁସନ୍ଧାନକାରୀମାନେ ଖାଦ୍ୟ ଗ୍ରହଣ କରିବା ପ୍ରଣାଳୀ ଏବଂ ହୃଦରୋଗ ମଧ୍ୟରେ ସମ୍ପର୍କ ଅଧ୍ୟୟନ କରିବା ପାଇଁ ନ୍ୟୁଟ୍ରି ନେଟ-ସାଣ୍ଟେ କୋହର୍ଟ (NutriNet-Sante cohort)ରେ 1,03,389 ଜଣଙ୍କୁ ଗବେଷଣାଭୁକ୍ତ କରିଥିଲେ । ସେଥିମଧ୍ୟରୁ 79 ପ୍ରତିଶତ ମହିଳା ଥିଲେ । ଯେଉଁମାନଙ୍କର ବୟସ ପାଖାପାଖି 42 ବର୍ଷ ଥିଲା ।
ସମ୍ଭାବ୍ୟ ପକ୍ଷପାତର ବିପଦକୁ ହ୍ରାସ କରିବାକୁ ଅନୁସନ୍ଧାନକାରୀମାନେ ବିଶେଷକରି ସୋସିଓଡେମୋଗ୍ରାଫିକ୍ ଫ୍ୟାକ୍ଟର୍ (ବୟସ, ଲିଙ୍ଗ, ପାରିବାରିକ ସ୍ଥିତି ଇତ୍ୟାଦି) ଖାଦ୍ୟପେୟର ପୁଷ୍ଟିକର ଗୁଣ, ଜୀବନଶୈଳୀ ଏବଂ ଶୟନ ଚକ୍ରକୁ ଧ୍ୟାନରେ ରଖିଥିଲେ । ତେବେ ଅନୁସନ୍ଧାନରୁ ଜଣାପଡିଛି ଯେ, ଜଳଖିଆ ନକରିବା ଏବଂ ଦିନ ବେଳାର ଖାଦ୍ୟକୁ ବିଳମ୍ବରେ ଖାଇବା ଦ୍ବାରା ହୃଦରୋଗର ଆଶଙ୍କା ଅଧିକ ରହିଥାଏ । ଯାହା ପ୍ରତ୍ୟେକ ଘଣ୍ଟା ବିଳମ୍ବରେ ଖାଇବା ଦ୍ବାରା ଏହି ବିପଦ 6 ପ୍ରତିଶତ ବୃଦ୍ଧି ପାଇଥାଏ ।
ତେବେ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ, ଉଦାହରଣ ସ୍ୱରୂପ- ଯେଉଁ ବ୍ୟକ୍ତି ସକାଳ 9ଟାରେ ପ୍ରଥମେ ଖାଦ୍ୟ ଖାଏ, ତାଙ୍କ ପାଖରେ ହୃଦ୍ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସକାଳ 8 ଟାରେ ଖାଇଥିବା ଲୋକ ଠାରୁ 6 ପ୍ରତିଶତ ଅଧିକ ଥାଏ । ସେହିପରି ଯଦି ଡିନର କଥା କହିବା ତେବେ ରାତି 8ଟା ପୂର୍ବରୁ ଖାଇବା ତୁଳନାରେ ରାତି 9ଟା ପରେ ଖାଇବା ଦ୍ବାରା ସେରେବ୍ରୋଭାସ୍କୁଲାର ରୋଗ ଭଳି ଷ୍ଟ୍ରୋକ ହେବାର ଆଶଙ୍କା 28 ପ୍ରତିଶତ ଅଧିକ ଥାଏ । ମହିଳାମାନଙ୍କ କ୍ଷେତ୍ରରେ ଏହି ବିପଦ ବିଶେଷ ଭାବରେ ଅଧିକ ଥାଏ ।
ଏହା ମଧ୍ୟ ପଢ଼ନ୍ତୁ......ହାର୍ଟ ଉପରେ ପ୍ରଭାବ ପକାଏ ଶୀତ, ଜାଣନ୍ତୁ ବର୍ତ୍ତିବାର ତରିକା
ଏଥିସହ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ରାତ୍ର ଭୋଜନ (ଡିନର) ଏବଂ ଏହାପର ଦିନର ପ୍ରଥମ ଭୋଜନ ମଧ୍ୟରେ ବ୍ୟବଧାନ ସେରେବ୍ରୋଭାସ୍କୁଲାର ରୋଗର ବିପଦ ସହିତ ଜଡିତ ଥିାଏ । ତେବେ ଗ୍ଲୋବାଲ୍ ବର୍ଡନ୍ ଅଫ୍ ଡିଜେଜ୍ ଅଧ୍ୟୟନ ଅନୁଯାୟୀ, ହୃଦରୋଗ ହେଉଛି ବିଶ୍ୱରେ ହେଉଥିବା ଅଧିକାଂଶ ମୃତ୍ୟୁର ମୁଖ୍ୟ କାରଣ । 2019ରେ ବାର୍ଷିକ 18.6 ନିୟୁତ ମୃତ୍ୟୁ ଘଟିଥିଲା, ସେଥିମଧ୍ୟରୁ ପ୍ରାୟ 7.9 ଖାଦ୍ୟ କାରଣରୁ ହୋଇଥିଲା । ଏହାର ଅର୍ଥ ହେଉଛି ଏହି ରୋଗ ଗୁଡିକର ବିକାଶ ଏବଂ ପ୍ରଗତିରେ ଡାଏଟ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ଗବେଷକମାନେ କହିଛନ୍ତି । ପାଶ୍ଚାତ୍ୟ ସମାଜର ଆଧୁନିକ ଜୀବନଶୈଳୀ ରାତିରେ ବିଳମ୍ବରେ ଖାଇବା ଏବଂ ସକାଳୁ ଜଳଖିଆ ନକରିବା ଅଭ୍ୟାସ ସୃଷ୍ଟି କରିଛି । ଏହା ବ୍ୟତୀତ ଅନୁସନ୍ଧାନକାରୀମାନେ ମତ ଦେଇଛନ୍ତି ଯେ, ଲମ୍ବା ସମୟ ଧରି ରାତିରେ ଉପବାସ ରହିବା ସହ ପ୍ରଥମ ଓ ଶେଷ ଭୋଜନ ଶୀଘ୍ର ଖାଇବାର ଅଭ୍ୟାସ ଆପଣାଇବା ଦ୍ବାରା ହୃଦରୋଗ ଭଳି ବିପଦରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ