ହାଇଦ୍ରାବାଦ: ନଭେମ୍ବର 14ରେ ସାରା ବିଶ୍ୱରେ ଡାଇବେଟିସ୍ ଦିବସ(World Diabetes Day) ଭାବରେ ପାଳନ କରାଯାଏ । ଏହି ଦିନ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଏହି ରୋଗ ବିଷୟରେ ଅବଗତ କରାଇବା ସହ ସଚେତନ କରାଇବା । ମଧୁମେହ ଏକ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ । ଯଦି ଏକ ଖରାପ ଜୀବନଶୈଳୀ ଥାଏ, ତେବେ ମଧୁମେହ ହେବାର ଆଶଙ୍କା ଅଧିକ ଥାଏ । ଏହା ସହିତ ହୃଦଘାତ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ଆରମ୍ଭ ହୁଏ ।
ମଧୁମେହ ମହିଳା, ପୁରୁଷ, ଶିଶୁ, ବୃଦ୍ଧ, ଯୁବକ କାହାକୁ ବି ହୋଇପାରେ । ଏହାର ଲକ୍ଷଣ ଗୁଡ଼ିକୁ ଚିହ୍ନିବା ଏବଂ ଠିକ୍ ସମୟରେ ଚିକିତ୍ସା କରିବାର ଆବଶ୍ୟକତା ରହିଛି । କିନ୍ତୁ ଆପଣ ଜାଣନ୍ତି କି ମଧୁମେହରେ ମହିଳା ଏବଂ ପୁରୁଷଙ୍କ ଲକ୍ଷଣ ଭିନ୍ନ ଥାଏ ବୋଲି ? ଆଜ୍ଞା ହଁ ମହିଳାଙ୍କ ଠାରେ ମଧୁମେହର ଅନେକ ଲକ୍ଷଣ ପୁରୁଷମାନଙ୍କ ମଧୁମେହଠାରୁ ସମ୍ପୂର୍ଣ୍ଣ ଭିନ୍ନ(Diabetes symptoms in women are different from men), ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...
ମୂତ୍ରାଶୟ ସଂକ୍ରମଣର ଆଶଙ୍କା:-
ମହିଳାମାନଙ୍କରେ ଟାଇପ୍-୨ ମଧୁମେହ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଖରାପ ଜୀବନଶୈଳୀ ହେତୁ ମହିଳାମାନେ ମୋଟାପଣର ଶିକାର ହୁଅନ୍ତି । ଏପରି ପରିସ୍ଥିତିରେ, ସେମାନେ ଟାଇପ୍-୨ ଡାଇବେଟିସ୍ରେ ପୀଡିତ ହେବାର ଆଶଙ୍କା ଅଧିକ । ମଧୁମେହରେ ପୀଡିତ ମହିଳାମାନେ ମୂତ୍ରନଳୀ ସଂକ୍ରମଣର ଆଶଙ୍କା ଅଧିକ ଥାଏ । ଯଦି ସେମାନଙ୍କର ରକ୍ତରେ ଶର୍କରା ସ୍ତର ଅତ୍ୟଧିକ ଅଧିକ, ତେବେ ପରିସ୍ଥିତି ଗୁରୁତର ହୋଇପାରେ । ଡାକ୍ତରମାନେ କହିଛନ୍ତି ଯେ, ରକ୍ତରେ ଶର୍କରା ସ୍ତର ବୃଦ୍ଧି ହେଲେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୁଏ । ଶର୍କରା କାରଣରୁ କିଛି ମହିଳାଙ୍କ ପରିସ୍ରା ବ୍ଲାଡର ଖାଲି ହୁଏ ନାହିଁ । ଏହା ଦ୍ବାରା ଜୀବାଣୁ ବଢିବାର ସମ୍ଭାବନା ଅଧିକ ଥାଏ ।
ଋତୁସ୍ରାବରେ ଅନିୟମିତ ହୋଇପାରେ:-
ମଧୁମେହ ମଧ୍ୟ ଋତୁସ୍ରାବ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଯଦି ମଧୁମେହ ଥାଏ, ତେବେ ଋତୁସ୍ରାବ ଅନିୟମିତ ହୋଇପାରେ । ଟାଇପ୍-୧ ମଧୁମେହରେ ପୀଡିତ ମହିଳାଙ୍କର ପ୍ରଥମ ମାସିକ ଧର୍ମର ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ମଧୁମେହରେ ଆକ୍ରାନ୍ତ ସମସ୍ତ ମହିଳାଙ୍କର ଯେ ଅନିୟମିତ ଋତୁସ୍ରାବ ହୋଇଥାଏ ତାହା ନୁହେଁ, କେତେକ ମହିଳା ଅସୁସ୍ଥ ଥିଲେ ମଧ୍ୟ ଋତୁସ୍ରାବ ନିୟମିତ ହୋଇନଥାଏ ।
ପଲିସିଷ୍ଟିକ୍ ଓଭାରିଆନ୍ ହେବାର ଆଶଙ୍କା:-
ମହିଳାଙ୍କ ମଧୁମେହ କାରଣରୁ ଅନ୍ୟ ଏକ ସମସ୍ୟା ଦେଖାଯାଏ, ତାହା ହେଉଛି ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ । ଏହାକୁ PCOS ମଧ୍ୟ କୁହାଯାଏ । ଅଧ୍ୟୟନ ଅନୁଯାୟୀ, PCOS ଥିବା ବ୍ୟକ୍ତିମାନେ ଟାଇପ୍-୨ ଡାଇବେଟିସ୍ ହେବାର ସମ୍ଭାବନା 4 ଗୁଣ ଅଧିକ । ଗର୍ଭରୁ ମଧୁମେହ ଥିଲେ ମଧ୍ୟ PCOSର ଆଶଙ୍କା ଅଧିକ ଥାଏ ।