ସୁନ୍ଦରଗଡ଼: ଦିନକୁ ଦିନ ବଢିବାରେ ଲାଗିଛି ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୃଭ୍ରାବ । ତେବେ ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସୁନ୍ଦରଗଡ ଟାଉନ ଥାନା ଘେରାଓ କଲେ ବଡପତ୍ରା ପାଲି ଗ୍ରାମବାସୀ । ସ୍ଥାନୀୟ ଅଞ୍ଚଳର ଦୁଇ ଅସାମାଜିକ ଯୁବକଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଡପତ୍ରାପାଲି ଗ୍ରାମର ଶତାଧିକ ମହିଳା ଶନିବାର ଥାନାକୁ କିଛି ସମୟ ଧରି ଘେରାଓ କରିଥିଲେ । 12 ଘଣ୍ଟା ମଧ୍ୟରେ ସଂପୃକ୍ତ ଅଭଯୁକ୍ତ ଦୁଇଙ୍କୁ ଗିରଫ କରିବେ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଏମାନେ ଥାନା ସମ୍ମୁଖରୁ ଓହରିଥିଲେ ।
ସୂଚନାମୁତାବକ, ଗତ 31 ତାରିଖ ରାତିରେ କିଶୋର ପୃଷେଠ ନାମକ ଜଣେ ଯୁବକଙ୍କୁ ବିନା କାରଣରେ ଏହି ଅଭିଯୁକ୍ତ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ । କିଶୋରଙ୍କୁ ଚିକିତ୍ସାପାଇଁ ପ୍ରଥମେ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରଯାଇଥିଲା । କିନ୍ତୁ ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ତାଙ୍କର ଏକ ପାର୍ଶ୍ବ ସଂପୂର୍ଣ୍ଣ ଅକାମୀ ହୋଇଯିବା ଖବର ମିଳିବା ପରେ ଉତ୍ତେଜିତ ଗ୍ରାମବାସୀ ନ୍ୟାୟ ଦାବି କରିବା ସହ ଥାନାକୁ ଘେରାଓ କରିଥିଲେ ।
ହିମାଂଶୁ ଦାସ ଓ ସୁଧାଂଶୁ ଦାସ ନାମକ ଦୁଇ ଅସାମାଜିକ ବ୍ୟକ୍ତି ଦୀର୍ଘ ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ମଚାଇଥିବା ବେଳେ ପୋଲିସ ନିଷ୍କ୍ରିୟ ରହୁଥିବା କଥା ଏହି ମହିଳା ମାନେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଯଦି ସେହି ଅସାମାଜିକ ଯୁବକମାନଙ୍କୁ ସଠିକ ଦଣ୍ଡ ନ ଦିଏ ତେବେ ସେମାନେ ବାଧ୍ୟ ହୋଇ ଆଇନକୁ ହାତକୁ ନେବେ ବୋଲି ଟାଉନ ପୋଲିସକୁ ଚେତାବନୀ ଦେଇଛନ୍ତି ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ