ରାଉରକେଲା: ଯୁବକଙ୍କ ଉପରକୁ ଗୁଳି ଚାଳନା କରିବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଅଭିଯୁକ୍ତମାନେ ହେଲେ ବିଶ୍ରା ବ୍ଳକ ଅଞ୍ଚଳର ମହମ୍ମଦ ସାହିଲ ଖାନ ଓରଫ ସୋନୁ ଓ ହମିଦ ସାହିଦ ଉଲ୍ଲା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତ ଦୁଇ ଦିନ ତଳେ ବିଶ୍ରା ଥାନା ଅଞ୍ଚଳରେ ବିକି ସିଂ ନାମକ ଯୁବକ ଉପରକୁ ଗୁଳି ଚାଳନା କରିଥିଲେ । ସେମାନଙ୍କଠାରୁ ପୋଲିସ ଏକ ବନ୍ଧୁକ ଏବଂ କିଛି ରାଉଣ୍ଡ ଗୁଳି ଜବତ କରିଛି । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।
ଏହା ମଧ୍ୟ ପଢ଼ନ୍ତୁ: ବିଶ୍ରାରେ ଫୁଟିଲା ଗୁଳି, ଅଳ୍ପକେ ବର୍ତ୍ତିଗଲେ ଯୁବକ
ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ରାତି ସମୟରେ ବିଶ୍ରା ଥାନା ଅଞ୍ଚଳର ଇଂରାଜୀ ବିଦ୍ୟାଳୟ ନିକଟରେ ହଠାତ ଦୁଇ ଜଣ ଯୁବକ ଆସି ବିକି ସିଂ ନାମକ ଯୁବକ ଉପରକୁ ଗୁଳିମାଡ଼ କରିଥିଲେ । ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଗୁଳି ଚଳାଇ ଥିବା ବେଳେ ଏଥିରୁ ବିକି ଅଳ୍ପକେ ବର୍ତ୍ତିଯାଇଥିଲେ । ଅନ୍ୟପଟେ ଗୁଳିମାଡ଼ ଶବ୍ଦ ଶୁଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଏନେଇ ବିକି ବିଶ୍ରା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅନେକ ଖୋଜିବା ପରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି । ତେବେ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ପ୍ରତିକ୍ରିୟା ଦେଇଥିଲେ ଯେ, ପୂର୍ବରୁ ମଧ୍ୟ ଅନ୍ୟ କିଛି ଦୁର୍ବୃତ୍ତଙ୍କ ସହ ତାଙ୍କର ମାରପିଟ ହୋଇଛି । ଏପରିକି ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ମିଳୁଥିଲା । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଝଗଡ଼ା ଚରମ ସୀମାରେ ପହଞ୍ଚିଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ସାଙ୍ଗକୁ ଗୁଳି ମାରିଲା ସାଙ୍ଗ, ରଜ ପାଇଁ ଦୁହେଁ ଗାଁକୁ ଆସିଥିଲେ
ପୋଲିସର ସୂଚନା ମୁତାବକ, କିଛି ଦିନ ପୂର୍ବରୁ କ୍ରିକେଟ ଖେଳକୁ ନେଇ ବିକି ସିଂ ଏବଂ ମହମ୍ମଦ ସାହିଲ ଖାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା । ତେଣୁ ସେମାନେ ବିକିକୁ ଜୀବନରୁ ମାରି ଦେବାକୁ ଯୋଜନା କରୁଥିଲେ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ବିଶ୍ରା ପୋଲିସ ରାଉରକେଲା କୋର୍ଟକୁ ପଠାଇଛି । ଏହି ଘଟଣା ନେଇ ପୋଲିସର ତଦନ୍ତ ଜାରି ରହିଛି ।
ଇଟିଭି ଭାରତ, ରାଉରକେଲା