ସୁନ୍ଦରଗଡ: ଜିଲ୍ଲା ମୁଖ୍ୟାଳୟରେ ବହୁ ପ୍ରତିକ୍ଷିତ ସଂସ୍କୃତି ଭବନ ଓ ଜିଲ୍ଲା ପାଠାଗାରକୁ ଆଜି(ଶୁକ୍ରବାର) ସୁନ୍ଦରଗଡ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଜିଲ୍ଲାବାସୀଙ୍କୁ ଲୋକାର୍ପିତ କରିଛନ୍ତି ।
ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ଏହା ଏକ କଲଚରାଲ ହବ୍ ଭଳି କାମ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏନେଇ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ଚାଲୁ ରହିଥିବା କଥା ସେ କହିଛନ୍ତି ।
ସୁନ୍ଦରଗଡ ଜିଲ୍ଲାର ଲୋପ ପାଇ ଯାଉଥିବା ଲୋକ କଳା, ଲୋକ ସଂସ୍କୃତିକୁ ଅଧିକ ଉଜ୍ଜିବୀତ କରି ଗଢି ତୋଳିବା ଉଦ୍ଦେଶ୍ୟରେ ଏହି ଭବନର ସୃଷ୍ଟି ହୋଇଥିବା କଥା ସେ କହିଛନ୍ତି । ସଂସ୍କୃତି ଭବନର ଆଭ୍ୟନ୍ତରୀଣ ସାଜସଜ୍ଜା ସଂପୂର୍ଣ୍ଣ ସ୍ଥାନୀୟ କଳାକାରଙ୍କ କଳାକୃତିକୁ ନେଇ କରାଯାଇଥିବା କଥା ସେ କହିଛନ୍ତି ।
ତେବେ ସହର ମଧ୍ୟରେ ନିକଟ ଅତୀତରେ ଏକ ପାଠାଗାର (ଲାଇବ୍ରେରୀ)ର ଉଦଘାଟନ ହୋଇଥିବା ବେଳେ ସେ ଆଜି ଏହି ସଂସ୍କୃତି ଭବନରେ ଆଉ ଏକ ପାଠାଗାର ସୁନ୍ଦରଗଡବାସୀଙ୍କ ଉଦ୍ଦେଶ୍ୟରେ ଭେଟି ଦେଇଛନ୍ତି । କେବଳ ସେତିକି ନୁହେଁ ସମସ୍ତଙ୍କୁ ଏହି ପାଠାଗାରର ସଦ୍ ଉପଯୋଗ କରିବାକୁ ଅନୁରୋଧ କରିଛନ୍ତି ।
ଜିଲ୍ଲା ସଂସ୍କୃତି ଭବନର ଅଡିଟୋରିୟମ ପୂର୍ଣ୍ଣାଙ୍ଗ ରୂପ ନେବାପରେ ଏହି ସଂସ୍କୃତି ଭବନରେ ପ୍ରତ୍ୟେକ କ୍ୟାଲେଣ୍ଡର ମାସରେ ଗୋଟିଏ କରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ନେଇ ସେ ବ୍ୟବସ୍ଥା କରିଥିବା କଥା କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର , ଇଟିଭି ଭାରତ