ସୁନ୍ଦରଗଡ: ରାଜ୍ୟବାସୀଙ୍କୁ ପୁଣି ଡରାଇଲାଣି କୋରୋନାର ଦୈନିକ ସଂକ୍ରମଣ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ତେବେ ସୁନ୍ଦରଗଡରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗାଇଡଲାଇନ ପାଳନ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । କୋରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ସମସ୍ତେ ନିୟମ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ।
ଏହା ପୂର୍ବରୁ କୋଭିଡର ପ୍ରଥମ ଏବଂ ଦ୍ୱିତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ବର୍ତ୍ତମାନର କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି । କୋଭିଡ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସୁନ୍ଦରଗଡ଼ ଏବଂ ରାଉରକେଲାରେ ସ୍ୱତନ୍ତ୍ର କୋଭଡ ହସ୍ପିଟାଲଗୁଡ଼ିକ ପ୍ରସ୍ତୁତ ରହିଛି । ଏଥିପାଇଁ ଆବଶ୍ୟକ ସଂଖ୍ୟକ ବେଡ ଓ ଅକ୍ସିଜେନ ମଧ୍ୟ ମହଜୁଦ ରହିଛି । କୋଭିଡ ନିୟନ୍ତ୍ରଣ ପାଇଁ ଟେଷ୍ଟିଂ, ଟ୍ରାକିଂ ଏବଂ ଟୀକାକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ଏବେ କୋଭିଡ ଟେଷ୍ଟିଂରେ କୌଣସି ଅସୁବିଧା ନାହିଁ ।
କୋଭିଡ ନମୁନା ପରୀକ୍ଷା ଉପରେ ପ୍ରଶାସନ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି । ଏବେ ଜିଲ୍ଲାରେ ଦୈନିକ ୭ ହଜାରରୁ ଅଧିକ ଟେଷ୍ଟିଂ କରିବାର କ୍ଷମତା ରହିଛି । ଆବଶ୍ୟକ ହେଲେ ଆଗକୁ ଏହାକୁ କିପରି ବଢ଼ାଯାଇପାରିବ ତା’ ଉପରେ ଧ୍ୟାନ ଦିଆଯାଉଛି । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଆହୁରି କହିଛନ୍ତି ଯେ, କୋଭିଡ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ସମସ୍ତେ କୋରୋନା ଗାଇଡଲାଇନ ପାଳନ କରନ୍ତୁ । ଏଥିସହ ମାସ୍କ ଓ ସାମାଜିକ ଦୂରତା ଆଦି ରକ୍ଷା କରନ୍ତୁ । ନିହାତି ଆବଶ୍ୟକ ନଥିଲେ ଘରୁ ବାହାରକୁ ଆସନ୍ତୁ ନାହିଁ । କୋଭିଡ ମୁକାବିଲା କରିବାରେ କ୍ଷେତ୍ର କର୍ମଚାରୀ ଓ ପ୍ରଶାସନକୁ ପୂର୍ଣ୍ଣ ସହଯୋଗ କରନ୍ତୁ ।
ବର୍ତ୍ତମାନ ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ଟୀକାକରଣ ଜାରି ରହିଛି । ଯେଉଁ ହିତାଧିକାରୀମାନେ ପ୍ରଥମ ଡୋଜ ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ପଞ୍ଜୀକରଣ କରି ଟିକା ନିଅନ୍ତୁ । ବର୍ତ୍ତମାନ ୧୫-୧୮ ବର୍ଷ ବର୍ଗଙ୍କ ଟୀକାକରଣ ଚାଲିଛି । ତେଣୁ ହିତାଧିକାରୀମାନେ ଅନଲାଇନ କିମ୍ବା ଅନସାଇଟ ପଞ୍ଜୀକରଣ କରି ଟିକା ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ସରକାରଙ୍କ କୋଭିଡ୍ ନିୟମ ଅନୁଯାୟୀ ଆସନ୍ତା ଜାନୁୟାରୀ ୧୦ ତାରିଖରୁ ଆଗଧାଡ଼ିର କୋଭିଡ ଯୋଦ୍ଧା, ଡାକ୍ତର, ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ। ଏହା ପରେ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏହି ଟିକା ଦିଆଯିବ। ତେଣୁ ସମସ୍ତେ ଏହାର ସୁଯୋଗ ନେବାକୁ ଜିଲ୍ଲାପାଳ କହିଛନ୍ତି ।
କୋଭିଡ ସମ୍ପର୍କିତ ସୂଚନା ଓ ପରାମର୍ଶ ପାଇଁ ୨୪ ଘଣ୍ଟିଆ ଜିଲ୍ଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୧ ଏବଂ ରାଉରକେଲା ମହାନଗର ନିଗମ ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୮ ରହିଛି । ଆବଶ୍ୟକ ହେଲେ ଜନସାଧାରଣ ମାଗଣାରେ ଏହି ନମ୍ବରରେ କଲ୍ କରିପାରିବେ। କୋଭିଡ୍ ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ପ୍ରଶାସନର ଫେସବୁକ ଏବଂ ଟ୍ବିଟର ପେଜ ମାଧ୍ୟମରେ ନିୟମିତ ସୂଚନା ପ୍ରଦାନ କରାଯାଉଛି । ଜିଲ୍ଲାରେ ପ୍ରତିଦିନ ହେଉଥିବା କୋଭିଡ୍ ଟେଷ୍ଟିଂ ସଂଖ୍ୟା, ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ସହ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଖାଲି ଥିବା ବେଡ ସଂଖ୍ୟା ଆଦି ସମ୍ପର୍କରେ ଜନସାଧାରଣଙ୍କ ସୁବିଧା ପାଇଁ ତଥ୍ୟ ଦିଆଯାଉଛି।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ