ସୁନ୍ଦରଗଡ: ଜିଲ୍ଲା ଏନଟିପିସି ଦୁଲୁଙ୍ଗା କୋଇଲା ଖଣି ପ୍ରକଳ୍ପ ଯେଉଁସବୁ ଜନକଲ୍ୟାଣ ଯୋଜନା ହାତକୁ ନେଇଛି ଓ ଆଗାମୀ ଦିନରେ ନେବାକୁ ଯାଉଛି, ସେନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ସୂଚିତ କରିଛି । ଏହି ଖଣି ତାର ବର୍ତ୍ତମାନର ସ୍ଥିତି, ଉନ୍ନତି ସମ୍ପର୍କରେ ମଧ୍ୟ ଜଣାଇଛି । 2019ରୁ ଆଂଶିକ ଭାବେ ଏହି ଦୁଲୁଙ୍ଗା କୋଇଲା ଖଣି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇ ଆଜି ତାହା ପୂର୍ଣ୍ଣାଙ୍ଗ ହେବାକୁ ଯାଉଥିବା ଏନଟିପିସି ଗ୍ରୁପ ମ୍ୟାନେଜର କହିଛନ୍ତି ।
ତେବେ ଏହି କୋଇଲା କ୍ଷେତ୍ର ପରିଚାଳନା କରିବା ନେଇ 24 ବର୍ଷ ପାଇଁ ଏମଓୟୁ ସ୍ବାକ୍ଷର ହୋଇଥିବାବେଳେ କୋଇଲା ଉତ୍ତୋଳନ ଓ ପରିବହନ କାର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ଆରମ୍ଭ ହୋଇଛି । ଦୁଲୁଙ୍ଗା କୋଇଲା କ୍ଷେତ୍ରରୁ ବାର୍ଷିକ 7 ହଜାର ମ୍ୟାଟ୍ରିକ ଟନ କୋଇଲା ଉତ୍ତୋଳନ ହେବାକୁ କମ୍ପାନୀ ଲକ୍ଷ୍ୟ ରଖିଥିବା କୁହାଯାଇଛି ।
ତେବେ ଏହି କୋଇଲା କ୍ଷେତ୍ରରୁ ଦର୍ଲ୍ଲିପାଲି ଏନଟିପିସି ତାପଜ ବିଦ୍ୟୁତ୍ କେନ୍ଦ୍ରରେ ଆବଶ୍ୟକ ହେଉଥିବା ସମସ୍ତ କୋଇଲା ଯୋଗାଇବା ସହ ରାଜ୍ୟ ରାଜକୋଷକୁ ଇତିମଧ୍ୟରେ 148.62 କୋଟି ଟଙ୍କା ଦେଇ ସାରିଥିବାବେଳେ ଜିଲ୍ଲା ଖଣିଜ ପାଣ୍ଠିକୁ 153 କୋଟି ଟଙ୍କା ଅଦ୍ୟାବଧି ପ୍ରଦାନ କରିଥିବା କହିଛି । କେବଳ ସେତିକି ନୁହେଁ ଏହି କମ୍ପାନୀ ଦ୍ବାରା ଉତ୍ପାଦିତ ବିଦ୍ୟୁତରୁ ମଧ୍ୟ 50 ପ୍ରତିଶତ ବିଦ୍ୟୁତ ରାଜ୍ୟ ସରକାରଙ୍କୁ ତାଙ୍କ ଭାଗ ଅଂଶ ଭାବେ ଯୋଗାଇ ଆସୁଥିବା କଥା ଗ୍ରୁପ ଜେନେରାଲ ମ୍ୟାନେଜର କହିଛନ୍ତି । ଏହାସହ କମ୍ପାନୀ ନିଜର ଉନ୍ନତି କରିବା ସହ ସ୍ଥାନୀୟ ଅଞ୍ଚଳ ପାଇଁ ମଧ୍ୟ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିଆସୁଥିବା ସେ ଜଣାଇଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ