ସୁନ୍ଦରଗଡ଼: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ନିୟମକୁ ଠିକ୍ ଭାବେ ପାଳନ କରି ଜିଲ୍ଲାରେ କୋରୋନା ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।
ଲକଡାଉନ ବେଳେ ଜାରି ରହିବ ଜରୁରୀ ସେବା
ଲକଡାଉନ୍ ବେଳେ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଗ୍ରୋସରି, ପନିପରିବା, କ୍ଷୀର, ମାଛ, ମାଂସ ଓ ଅଣ୍ଡା ଆଦି ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ । ସେହିପରି ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ କେବଳ ପାର୍ସଲ ନେବାକୁ ଅନୁମତି ରହିଛି । ଲକଡାଉନ ସମୟରେ ବିଭିନ୍ନ ସାମଗ୍ରୀର ହୋମ ଡେଲିଭରି ଉପରେ ସୁନ୍ଦରଗଡ଼ ପ୍ରଶାସନ ଗୁରୁତ୍ୱ ଦେଇଛି । ତେଣୁ କୌଣସି ଦୋକାନରେ କିଣାବିକା ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ନକରିବାକୁ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।
ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ କେତେକ ଦୋକାନୀଙ୍କ ସହ ପ୍ରଶାସନ ଯୋଗାଯୋଗ କରିଛି । ରାଉରକେଲା, ବଣାଇଁ, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନ ପାଇଁ କେତେକ ଦୋକାନୀ ନମ୍ବରକୁ ଏକାଠି କରି ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଉଛି ।
ଲକଡାଉନ୍ ବେଳେ କେଉଁ କାର୍ଯ୍ୟ ଚାଲୁ ରହିବ ଏବଂ କେଉଁ କାର୍ଯ୍ୟ ବନ୍ଦ ରହିବ ସେ ବାବଦରେ ରାଜ୍ୟ ସରକାର ପୂର୍ବରୁ ଅବଗତ କରିଛନ୍ତି । ସେହି ନିୟମକୁ ସାଧାରଣ ଜନତା, ବ୍ୟବସାୟିକ ପ୍ରତିଷ୍ଠାନ, ବିଭିନ୍ନ ଘରୋଇ ସଂସ୍ଥା ଏବଂ ବିଭିନ୍ନ ସେବା ପ୍ରଦାନକାରୀ ଅନୁଷ୍ଠାନ ଓ ବ୍ୟକ୍ତି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।
ଭୟଭୀତ ନହେବାକୁ ପରାମର୍ଶ
ଲକଡାଉନ୍ ବେଳେ ବିଭିନ୍ନ କେନ୍ଦ୍ରରେ କୋଭିଡ୍ ଟେଷ୍ଟିଂ ଚାଲିବା ସହ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିବ। ଏହି ସମୟରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କୋଭିଡକୁ ନେଇ ଜିଲ୍ଲାବାସୀ ଭୟଭୀତ ନହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । କୋଭିଡ୍ ରୋଗୀଙ୍କ ପାଇଁ ଜିଲ୍ଲାରେ ଅକ୍ସିଜେନ୍ ସିଲିଣ୍ଡର ଯଥେଷ୍ଟ ପରିମାଣରେ ମହଜୁଦ ଅଛି । ଜିଲ୍ଲାର ସବୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଅକ୍ସିଜେନ୍ ସୁବିଧା କରାଯାଇଛି ।
ସୁନ୍ଦରଗଡ଼ ପାଇଁ ଜାରି ହେଲ୍ପଲାଇନ୍ ନମ୍ବର
ଲକଡାଉନ୍ ସମୟରେ ଜିଲ୍ଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ କୌଣସି ବାଧା ଉପୁଜିବ ନାହିଁ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଜାରି ରହିବ। ଆବଶ୍ୟକ ମନେହେଲେ ଜଣେ ବ୍ୟକ୍ତି ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧ରେ ଯୋଗାଯୋଗ କରିପାରିବେ । ଏହାସହ ଜିଲ୍ଲା ପ୍ରଶାସନର ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଲୋକେ ବିଭିନ୍ନ ବିଷୟରେ ପ୍ରଶାସନର ଧ୍ୟାନ ଆକର୍ଷଣ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ଲକଡାଉନ୍ ସମୟରେ ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ କଳକାରଖାନାର କର୍ମଚାରୀଙ୍କୁ ଅଫିସ ଯିବା ଆସିବା ଲାଗି ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ହେବ । ଲାଠିକଟା, ବିଶ୍ରା, କଲୁଙ୍ଗା ଶିଳ୍ପାଞ୍ଚଳ, ରାଉରକେଲା ଟାଉନସିପ୍, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ବେଦବ୍ୟାସ ଭଳି ଅଞ୍ଚଳ ପାଇଁ ରାଉରକେଲା ମହାନଗର ନିଗମ କମିଶନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ଅନ୍ୟ ଅଞ୍ଚଳରେ ଉପଜିଲ୍ଲାପାଳଙ୍କଠାରୁ ଅନୁମତି ମିଳିପାରିବ । ଏହି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପାଖକୁ ଆସୁଥିବା ଆବେଦନଗୁଡ଼ିକୁ ତୁରନ୍ତ ବିଚାର କରି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପା ନିଖିଲ ପବନ କଲ୍ୟାଣ ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ