ରାଉରକେଲା: ସଫେଇ କର୍ମଚାରୀଙ୍କ ପାଇଁ କୋଭିଡ ଟୀକାକରଣର ସ୍ବତନ୍ତ୍ର କ୍ୟାମ୍ପ । ଆଗଧାଡ଼ିର କୋରୋନା ଯୋଦ୍ଧା ଭାବେ ସରକାର ସଫେଇ କର୍ମଚାରୀଙ୍କୁ ଗଣନା କରୁଛନ୍ତି । ସେଥିପାଇଁ ସଫେଇ କର୍ମଚାରୀଙ୍କ ପାଇଁ ଗୁରୁବାର ରାଉରକେଲାରେ ଏକ ସ୍ବତନ୍ତ୍ର କୋଭିଡ୍ ଟିକାକରଣ କ୍ୟାମ୍ପ୍ କରାଯାଇଥିଲା । ଯେଉଁ କର୍ମଚାରୀମାନେ ଆଗରୁ ଟିକା ନେଇପାରି ନଥିଲେ ସେମାନେ ପଞ୍ଜୀକରଣ କରି ଟିକା ନେଇଛନ୍ତି ।
ଉଦିତ ନଗର ମ୍ୟୁନିସିପାଲ କଲେଜସ୍ଥିତ ଟିକାଦାନ କେନ୍ଦ୍ରରେ ଏଥିପାଇଁ ମହାନଗର ନିଗମ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା । ଟିକା ନେବା ବେଳେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ସେମାନେ ଟିକାଦାନ କେନ୍ଦ୍ରକୁ ଆସି ଟିକା ନେଇଥିଲେ । ଏଥିପାଇଁ ସେମାନେ ରାଜ୍ୟ ସରକାର ଏବଂ ରାଉରକେଲା ମହାନଗର ନିଗମକୁ ଧନ୍ୟବାଦ ଜଣାଇଛନ୍ତି ।
ରାଉରକେଲା ସହରକୁ ସ୍ବଚ୍ଛ ରଖିବାରେ ସଫେଇ କର୍ମଚାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । କୋଭିଡ୍ କାଳରେ ସେମାନେ ନିୟମିତ ବିଭିନ୍ନ ୱାର୍ଡ ବୁଲି ସଫେଇ କାର୍ଯ୍ୟ ଜାରି ରଖିଛନ୍ତି । ଲୋକଙ୍କ ଦୁଆର ମୁହଁରୁ ଆବର୍ଜନା ସଂଗ୍ରହ କରୁଛନ୍ତି । ସେମାନଙ୍କ ସୁରକ୍ଷା ପାଇଁ ମହାନଗର ନିଗମ ବିଶେଷ ଧ୍ୟାନ ଦେଉଛି । କାମ କରିବା ସମୟରେ ସୁରକ୍ଷା ପାଇଁ ସେମାନଙ୍କୁ ଗ୍ଲୋଭସ୍ ଓ ସାନିଟାଇଜର ଆଦି ଦିଆଯାଉଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ