ରାଉରକେଲା: ଗୋଟିଧର ଡଲାକୁଦରରେ ସଡକ ଦୁର୍ଘଟଣା । ଶ୍ରମିକ ବୋଝେଇ ଗାଡି ଓଲଟି ୪୫ ଆହତ । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ହୋଇଥିବା ବେଳେ ୩୫ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ଗୁରୁବାର ଗୋଟିଧର ଡଲାକୁଦରରେ ଓଲଟିଲା ରାଉରକେଲା ଶିବା କମ୍ପାନୀର ଶ୍ରମିକ ବୋଝେଇ ଗାଡି । ଡାଲାରେ ଭର୍ତ୍ତି କରି ଅବହେଳିତ ଭାବରେ ଗାଡି ଚଳାଇବାରୁ ଏହି ଅଘଟଣ ହୋଇଥିବା ଅନୁମାନ କରାଯାଉଛି । ରାଉରକେଲା ବେଦବ୍ୟାସକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା ।
ସୂଚନାଯୋଗ୍ୟ ଯେ, ରାଉରକେଲା ବେଦବ୍ୟାସ ଅନ୍ତର୍ଗତ ଶିବା କାରଖାନାକୁ ସମସ୍ତ ଶ୍ରମିକ ଗୁରୁଣ୍ଡିଆ ବ୍ଲକ ଯୋଡ଼ା ଏବଂ ପଙ୍କଡ଼ିହି ଅଞ୍ଚଳରୁ କାମ କରିବା ପାଇଁ ଆସୁଥିଲେ । ପ୍ରାୟ ୫୦ ଜଣ ଦିନ ମଜୁରିଆ କାରଖାନାରେ ଶ୍ରମିକ ଭାବେ କାମ କରନ୍ତି । ତେବେ ଯୋଡ଼ା ପଙ୍କଡ଼ିହି ଠାରୁ ରାଉରକେଲା ବେଦବ୍ୟାସକୁ ଏକ ପିକଅପ ଭ୍ୟାନର ଡାଲା ଉପରେ ଛିଡା ହୋଇ ଆସୁଥିବା ବେଳେ ଗୋଟିଧର ଡଲାକୁଦର ଗ୍ରାମ ନିକଟରେ ହଠାତ୍ ପିକଅପ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ଶ୍ରମିକମାନେ ଗାଡିରୁ ଛିଟିକି ହୋଇ ପଡିଥିଲେ । ଫଳରେ ମୋଟ ୪୫ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ: President Murmu's Odisha Visit: ଆଜି ଆସୁଛନ୍ତି ମହାମହିମ, ରାଜଧାନୀରେ ପୋଲିସ ଛାଉଣୀ
ତେବେ ସଙ୍ଗେସଙ୍ଗେ ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ହୋଇଥିବା ବେଳେ ୩୫ଜଣ ଆହତ ହୋଇଥିବା ସୂଚନା ରହିଛି । ତେବେ ଡ୍ରାଇଭର ଜଣକ ସମ୍ପୂର୍ଣ୍ଣ ବେପରୁଆ ଭାବରେ ଗାଡି ଚଳାଉଥିବାରୁ ଏଭଳି ଅଘଟଣ ହୋଇଥିବା ନେଇ ଆହତ ହୋଇଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏନେଇ ଆହତ ଯାତ୍ରୀ କହିଛନ୍ତି, " ଗୁରୁଣ୍ଡିଆ ବ୍ଲକ ଯୋଡ଼ା ଏବଂ ପଙ୍କଡ଼ିହି ଅଞ୍ଚଳରୁ ଆମେ ରାଉରକେଲା ବେଦବ୍ୟାସ ଶିବା କମ୍ପାନୀରେ କାମ କରିବା ପାଇଁ ଆସୁଥିଲୁ । ଡାଲା ଅଟୋରେ ପ୍ରାୟ ୬୦ଜଣ ଶ୍ରମିକ ଥିଲୁ । ସେହି ଗାଡି ମଧ୍ୟ କମ୍ପାନୀ ଗାଡି ଥିଲା । ଆମେ ପ୍ରତ୍ୟେକ ଦିନ ଆସୁଥିଲୁ କିନ୍ତୁ ଗୁରୁବାର ଡ୍ରାଇଭର ଜଣକ ବେପରୁଆ ଗାଡି ଚଳାଇଥିଲା । ଫଳରେ ଅଟୋଟି ପାଲଟି ଯାଇଥିଲା । "
ଇଟିଭି ଭାରତ, ରାଉରକେଲା