ରାଉରକେଲା: ରାଉରକେଲା ବାର ଆସୋସିଏସନ ନିର୍ବାଚନ ଫଳ ପ୍ରକାଶ ପାଇଛି । ନିର୍ବାଚନରେ ନୂଆ ସଭାପତି, ଉପସଭାପତି ଏବଂ ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଫଳକୁ ନେଇ ରାଉରକେଲା ଓକିଲ ସଂଘରେ ଖୁସିର ଲହରୀ ଖେଳିଯାଇଛି । ପ୍ରଦୀପ କୁମାର ମିଶ୍ର ରାଉରକେଲା ବାର ଆସୋସିଏସନର ନବନିର୍ବାଚିତ ସଭାପତି ହୋଇଛନ୍ତି ।
ରାଉରକେଲା ବାର ଆସୋସିଏସନ ନୂଆ ସଭାପତିକୁ ନିର୍ବାଚିତ କରିଛି । ପ୍ରଦୀପ କୁମାର ମିଶ୍ର ରାଉରକେଲା ବାର ଆସୋସିଏସନର ସଭାପତି ନିର୍ବାଚିତ ହୋଇଛନ୍ତି । ସେହିପରି ଅବନୀ ପ୍ରଧାନ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଗତକାଲି (ଶନିବାର) ସାରା ରାଜ୍ୟରେ ବାର ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସମ୍ପୂର୍ଣ୍ଣ ରାଜ୍ୟରେ ପ୍ରାୟ 153ଟି ବାର ଆସୋସିଏସନରେ ନିର୍ବାଚନ ଶେଷ ହୋଇଛି । ଏହିକ୍ରମରେ ଶାନ୍ତିଶୃଙ୍ଖଳାର ସହିତ ରାଉରକେଲା ଓକିଲ ସଂଘ ନିର୍ବାଚନ ସମାପ୍ତ ହୋଇଥିଲା । ସକାଳ 8ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୬ଟା ୩୦ ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା । ରାଉରକେଲା ବାର ଆସୋସିଏସନ ସଭାପତି ଦୌଡରେ ମୋଟ 3 ଜଣ ପ୍ରାର୍ଥୀ ରହିଥିଲେ । ତିନି ଜଣଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ପ୍ରଦୀପ ମିଶ୍ର, ବିସ୍ମୟ ଦାସ, ରାମ ପ୍ରସାଦ ପଟ୍ଟନାୟକ ତିନି ଜଣ ସଭାପତି ପଦ ପାଇଁ ଲଢେଇ କରିଥିଲେ । ବାଜି ମାରି ନେଇଥିଲେ ପ୍ରଦୀପ ମିଶ୍ର ।
ସେହିପରି ଉପସଭାପତି ଭାବରେ ଏମ. ମାଲେଶ୍ବରମ ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ପଦରେ ଅବନୀ ପ୍ରଧାନ ବିଜୟୀ ହୋଇଛନ୍ତି । ମୋଟ ୫୭୯ ଜଣ ଓକିଲ ସଦସ୍ୟ ଏହି ନିର୍ବାଚନରେ ମତଦାନ କରିଥିଲେ । ସଭାପତିଙ୍କୁ ୨୨୭ଟି ଭୋଟ ମିଳିଥିବାବେଳେ ସଂପାଦକଙ୍କୁ ୩୬୮ଟି ଭୋଟ ଦେଇଥିଲେ । ମତଦାନ କାର୍ଯ୍ୟ ସମାପ୍ତ ହେବା ପରେ ସନ୍ଧ୍ୟା ୭ ଘଟିକା ଠାରୁ ମତଗଣନା କାର୍ଯ୍ୟ କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା । ନୂତନ ଭାବରେ ରାଉରକେଲା ବାର ଆସୋସିଏସନ ପାଇଁ ସଭାପତି ଏବଂ ସମ୍ପାଦକ ଭାବରେ ଓକିଲ ନିର୍ବାଚିତ ହୋଇଥିବା ବେଳେ ଓକିଲ ସଂଘ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା ।
ରାଉରକେଲା ବାର ଆସୋସିଏସନ ନିର୍ବାଚନ ଗ୍ରୁପ ଭାବରେ ନଲଢ଼ି ଓକିଲମାନଙ୍କ ପାଇଁ ଆଇନକୁ ଆଗେଇ ନେବା ପାଇଁ ନିର୍ବାଚନ ଲଢ଼ିଥିବା କହିଛନ୍ତି ସଭାପତି ପ୍ରଦୀପ ମିଶ୍ର । ସମ୍ପାଦକ ଅବନୀ ପ୍ରଧାନ ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଏକ ନୂଆ ଭାବରେ ରାଉରକେଲା ଓକିଲ ସଂଘ ନ୍ୟାୟ ପାଇଁ ଲଢ଼ିବ ଏବଂ ଓକିଲଙ୍କ ନ୍ୟାୟ ଦାବିକୁ ନେଇ ଲଢ଼ିବେ ବୋଲି କହିଛନ୍ତି । ଗତବର୍ଷ ବାର ଆସୋସିଏସନର କର୍ମକର୍ତ୍ତା ରହିଥିବା ଓକିଲମାନେ ନବ ନିର୍ବାଚିତ ସଭାପତି ଏବଂ ସମ୍ପାଦକ, ଉପ ସଭାପତି ଏବଂ ଆସିଷ୍ଟାଣ୍ଟ ସମ୍ପାଦକଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଇଟିଭି ଭାରତ, ସୁନ୍ଦରଗଡ