ରାଉରକେଲା: ରାସ୍ତା କଡରେ ବସି କ୍ରିକେଟ ମ୍ୟାଚ ଦେଖିବା ହେଲା କାଳ । ମୋବାଇଲରେ କ୍ରିକେଟ ମ୍ୟାଚ ଦେଖୁଥିବା ବେଳେ ବାଇକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଅନ୍ତର୍ଗତ ଗମଲେଇ ଠାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
ଏହାମଧ୍ୟ ପଢନ୍ତୁ..Road Mishap in Rayagada: କାର୍ ଧକ୍କାରେ ଶ୍ରମିକ ମୃତ, ୩ ଗୁରୁତର
ସୂଚନା ଅନୁଯାୟୀ, ଗତକାଲି(ରବିବାର) ଇଣ୍ଡିଆ- ସାଉଥ ଆଫ୍ରିକା ବିଶ୍ୱ କପ ମ୍ୟାଚ ଚାଲିଥିବା ବେଳେ ବଣାଇ ଅନ୍ତର୍ଗତ ଲହୁଣୀପଡା ଥାନା ଅଞ୍ଚଳରେ ଗମଲେଇ ଗ୍ରାମର ରାସ୍ତା କଡରେ ତିନି ଜଣ ଯୁବକ ମୋବାଇଲ ମାଧ୍ୟମରେ ଖେଳ ଦେଖୁଥିଲେ । ରାତି ପ୍ରାୟ ସାଢେ ଆଠଟା ସମୟରେ ହଠାତ ପଛରୁ ଏକ ବାଇକ ଆସି ତିନି ଜଣଙ୍କୁ ଧକ୍କା ଦେଇଥିଲା । ତେବେ ଘଟଣାସ୍ଥଳରେ ତିନିଜଣ ଗୁରୁତର ହୋଇପଡିଥିଲେ । ତେବେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ 108 ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ରାଉରକେଲା ହସ୍ପିଟାଲ ରେଫର କରାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ମଧ୍ୟ ଗାଡିରୁ ଛିଟିକି ପଡି ଆହତ ହୋଇଥିଲେ । ବଣାଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି ।
ଏହାମଧ୍ୟ ପଢନ୍ତୁ..ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ଆଖି ବୁଜିଲେ ଗୋଟିଏ ପରିବାରର 5 ସଦସ୍ୟ
ତେବେ ମୃତକ ଜଣକ ସତ୍ୟ କିସାନ ହୋଇଥିବା ବେଳେ ଆହତ 2ଜଣ ହେଉଛନ୍ତି ଦିପକ କିସାନ, ଆକାଶ କିସାନ । ସମସ୍ତଙ୍କ ଘର ଗମଲେଇ ଗ୍ରାମରେ ହୋଇଥିବା ଜଣାପଡିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଯୁବକ ଜଣକ ହେଉଛନ୍ତି ନରହରି କିସାନ । ସେ ମଧ୍ୟ ଗୁରୁତର ଅବସ୍ଥାରେ ବଣାଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ତେବେ ଲହୁଣୀପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ସତ୍ୟ କିସାନଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏଭଳି ରାସ୍ତା କଡରେ ମୋବାଇଲରେ କ୍ରିକେଟ ମ୍ୟାଚ ଦେଖି ମୃତ୍ୟୁ ହୋଇଥିବା ଘଟଣା ବର୍ତ୍ତମାନ ବଣାଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଇଟିଭି ଭାରତ, ରାଉରକେଲା