ରାଉରକେଲା: ବସ୍ତି ଉଚ୍ଛେଦ ନେଇ ତାତିଲେ ବସ୍ତି ବାସିନ୍ଦା । ବିଧାୟକ ଭୂଆଁ ବୁଲାଉଥିବା ଅଭିଯୋଗ କରି ଆଜି ବିଧାୟକଙ୍କ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ବସ୍ତି ବାସିନ୍ଦା । ସେମାନଙ୍କୁ ଥଇଥାନ କରିବା ପାଇଁ ଦାବି କରିଛନ୍ତି । ନଚେତ୍ ପାର୍କ ନିର୍ମାଣ କରାଇ ଦିଆଯିବ ନାହିଁ ବୋଲି ଚେତାବନି ମଧ୍ୟ ଦେଇଛନ୍ତି ।
ରାଉରକେଲାରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ଅଫିସ ଘେରାଉ କରିଛନ୍ତି ବସ୍ତି ବାସିନ୍ଦା । ସେକ୍ଟର ୨୦ ହିଲଟପ ବସ୍ତିରେ ବର୍ତ୍ତମାନ ରାଉରକେଲା ଇସ୍ପାତ କାରଖାନା ଏକ ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି । ତେବେ ଏହି ବସ୍ତିରେ ପାର୍କ ନିର୍ମାଣ କରିବା ଯୋଗୁ ଲୋକଙ୍କୁ ନୋଟିସ ଜାରି କରି ସେମାନଙ୍କ ଘର ଭାଙ୍ଗିବାକୁ ଆଦେଶ ଦେଇଛି ରାଉରକେଲା ଇସ୍ପାତ କାରଖାନା । ସେନେଇ ବସ୍ତି ବାସିନ୍ଦା ବାରମ୍ବାର ଅଭିଯୋଗକୁ ନେଇ ରଘୁନାଥପଲ୍ଲୀ ବିଧାୟକଙ୍କୁ ଭେଟ କରିବାକୁ ଆସିଛନ୍ତି । କିନ୍ତୁ କେବେବି ସେମାନେ ବିଧାୟକଙ୍କୁ ଭେଟିପାରି ନଥିଲେ । ବର୍ତ୍ତମାନ ହଠାତ ବସ୍ତି ଉଚ୍ଛେଦ କଥା ଉଠିବା କାରଣରୁ ଉତ୍ୟକ୍ତ ବସ୍ତି ବାସିନ୍ଦା ବିଧାୟକଙ୍କ କାର୍ଯ୍ୟାଳୟ ଘେରଉ କରିଥିଲେ । ତା ସହିତ ବିଧାୟକ ଭୂଆଁ ବୁଲାଉଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.... ମତ୍ସ୍ୟଜୀବୀଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ
କାହିଁ କେଉଁ କାଳରୁ ଲୋକେ ଏହି ହିଲଟପ ବସ୍ତିରେ ବସବାସ କରି ଆସୁଛନ୍ତି । ବସ୍ତିରେ ରହୁଥିବା ଲୋକ ଦିନ ମଜୁରିଆ କାମ କରି ଏବଂ ମହିଳା ମାନେ ଲୋକଙ୍କ ଘରେ ବାସନ ମାଜି ନିଜର ପରିବାର ପ୍ରତିପୋଷଣ କରନ୍ତି । ତେବେ ବର୍ତ୍ତମାନ ବିନା କିଛି ଥଇଥାନରେ ଲୋକେଙ୍କୁ କିଭଳି ଭାବରେ ଉଚ୍ଛେଦ କରାଯିବା ପାଇଁ ନୋଟିସ ଆସିଛି ସେନେଇ ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା । ଏହାର ସମାଧାନ ବାଟ ଖୋଲିବାକୁ ବିଧାୟକଙ୍କ ପାଖକୁ ଯାଇ ନୟାନ୍ତ ହେବା ପରେ ବର୍ତ୍ତମାନ ଚରମ ନିଷ୍ପତ୍ତି ନେଇ ବିଧାୟକଙ୍କ ଅଫିସ ସମ୍ମୁଖରେ ବସି ରହିଛନ୍ତି ଶହ ଶହ ବସ୍ତି ବାସିନ୍ଦା ।
ବସ୍ତି ବାସିନ୍ଦାଙ୍କୁ ପ୍ରଥମେ ସ୍ଥାୟୀ ଜାଗା ଏବଂ ଘର ନିର୍ମାଣ କରି ଯୋଗାଇ ଦିଆଯାଉ ଏବଂ ଏହାପରେ ସେହି ସ୍ଥାନରେ ପାର୍କ ନିର୍ମାଣ କରାଯାଉ ବୋଲି ଦାବି କରାଯାଉଛି । ନଚେତ ପାର୍କ ନିର୍ମାଣ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସେକ୍ଟର ୨୦ ହିଲଟପର ବସ୍ତି ବାସିନ୍ଦା । ଭୋଟ ମାଗିଲା ବେଳେ ଅନେକ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେହି ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଧାୟକ ବିଫଳ ହୋଇଥିବା କହିଛନ୍ତି ବସ୍ତି ବାସିନ୍ଦା ।
ଇଟିଭି ଭାରତ, ରାଉରକେଲା