ରାଉରକେଲା: ଆପଣ ବ୍ୟବହାର କରୁଛନ୍ତି କି ନାମିଦାମୀ କମ୍ପାନୀର ହେୟାର ଅଏଲ । ଯଦି ହଁ ହୋଇଯାଆନ୍ତୁ ସାବଧାନ । ଆପଣ ମଧ୍ୟ କରୁଥାଇ ପାରନ୍ତି ନକଲି ତେଲର ବ୍ୟବହାର । ଗଦାଗଦା ନକଲି ହେୟାର ଅଏଲକୁ ସିଜ କରିଛି ରାଉରକେଲା ପ୍ଲାଣ୍ଟସାଇଡ଼ ପୋଲିସ । ଏହି ନକଲି ହେୟାର ଅଏଲ ଯାହା ବିଭିନ୍ନ ନାମିଦାମୀ କମ୍ପାନୀର ନାମ ଏବଂ ଷ୍ଟିକରକୁ ବ୍ୟବହାର କରି ନିର୍ମାଣ କରୁଛନ୍ତି କଳାବଜାରୀ । ସୁଗନ୍ଧିତ ଏବଂ ସମ୍ପୂର୍ଣ୍ଣ ଅସଲି ଲାଗିଲା ଭଳି ନାମିଦାମୀ କମ୍ପାନୀର ଷ୍ଟିକର ।
ପୋଲିସ ସୂଚନା ଅନୁସାରେ, ଗତକାଲି(ବୁଧବାର) ରାତିରେ ଏକ ବିଶେଷ ସୂତ୍ରରୁ ଖବର ପାଇ ରାଉରକେଲା ପ୍ଲାଣ୍ଟସାଇଡ଼ ପୋଲିସ ବଡ଼ ଚଢ଼ାଉ କରିଥିଲା । ଚଢ଼ାଉରେ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରିଛି ପୋଲିସ । ରାଉରକେଲା ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳର ଇସଲାମନଗର ଏ. ବି ରୋଡ଼ ଅଞ୍ଚଳରେ ଠାରୁ ଏକ ନକଲି ହେୟାର ଅଏଲ ଗୋଦାମ ଠାବ ହୋଇଥିଲା । ତେବେ ଖବର ପାଇ ମାଡି ବସିଲା ପ୍ଲାଣ୍ଟ ସାଇଡ ପୋଲିସ । ପୁଳାପୁଳା ନକଲି ହେୟାର ଅଏଲ ବୋତଲ ସହ ବିଭିନ୍ନ ବ୍ରାଣ୍ଡର ଷ୍ଟିକର । ଅସଲି ବ୍ରାଣ୍ଡର ନାମରେ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ଅସାଧୁ ବ୍ୟବସାୟୀ । ଅସଲି ହେୟାର ଅଏଲ ନାମରେ ବିକୁଛନ୍ତି ନକଲି ହେୟାର ଅଏଲ । ବିଭିନ୍ନ ଜାଗାରୁ ନକଲି ଫ୍ରେଗରେନ୍ସ ସହ ଅନ୍ୟାନ୍ୟ ଶସ୍ତା ତେଲ ସଂଗ୍ରହ କରି ରଙ୍ଗ ଓ ରାସାୟନିକ ପଦାର୍ଥ ମିଶାଇ ବଡ଼ବଡ଼ କମ୍ପାନୀର ବୋତଲରେ ଷ୍ଟିକରିଂ କରି ଏହାକୁ ବିକ୍ରି କରୁଥିଲେ ଅଭିଯୁକ୍ତ । ତେବେ ଏ. ବି ଲେନ ଅଞ୍ଚଳରେ ଗୋଦାମ କରି ନିର୍ମାଣ କରୁଥିଲେ ।
ଆଡିସନାଲ SP ବିକ୍ରମ କେଶରୀ ଭୋଇ କହିଛନ୍ତି, ‘‘ଚଢ଼ାଉରେ ମୁଖ୍ୟ ଅଭିଯୁକ୍ତ ସମେତ ତାର ସହଯୋଗୀକୁ ଗିରଫ କରାଯାଉଛି । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ମହମ୍ମଦ ଜାକିର ହୁସେନ ଏବଂ ସଇଦ ଅଖତର । ଏହି ଚଢ଼ାଉରେ ପୋଲିସ ପ୍ରାୟ ୧୬୪୬ଟି ନକଲି ହେୟାର ଅଏଲ ଜବତ କରିଛି । ଏହାସହ ୧୦ହଜାର ୭୦୦ ଟି ନକଲି ହେୟାର ଅଏଲର ଖାଲି ବୋତଲ ମଧ୍ୟ ଜବତ କରିଛି । ୧୨୬୦ ଲିଟର କଞ୍ଚା ନକଲି ତେଲ ଏବଂ ୧୫ ଲିଟର ସୁଗନ୍ଧ ସହ ବିପୁଳ ପରିମାଣର ନକଲି ହେୟାର ଅଏଲ ବୋତଲର ଠିପି ଜବତ କରିଛି । ଜବତ ନକଲି ତେଲର ଆନୁମାନିକ ମୂଲ୍ୟ ସାଢ଼େ ସାତ ଲକ୍ଷ ଟଙ୍କା ହେବ ।’’
ଇଟିଭି ଭାରତ, ରାଉରକେଲା