ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପେସା ଗ୍ରାମ ସଭା ପକ୍ଷରୁ ଗୁରୁବାର ଏକ ବିଶାଳ ରାଲି କରାଯାଇଥିଲା । ରାଉରକେଲା ବିଶ୍ରା ଛକରୁ ପାନପୋଷ ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଏହି ରାଲି ଚାଲିଥିଲା । ସୁନ୍ଦରଗଡ଼ ଜିଲ୍ଲାକୁ ଭାଗ ଭାଗ ନକରିବା ଦାବି ନେଇ ଏହି ରାଲି କରିଥିଲା ସୁନ୍ଦରଗଡ଼଼ ପେସା ଗ୍ରାମସଭା ।
ବର୍ତ୍ତମାନ ରାଉରକେଲାକୁ ଜିଲ୍ଲା ମାନ୍ୟତା ଦାବି ଉଠୁଥିବା ବେଳେ ବଣାଇକୁ ମଧ୍ୟ ଜିଲ୍ଲା ଘୋଷଣା କରିବା ପାଇଁ ଦାବି ତେଜିବାରେ ଲାଗିଛି । ତେଣୁ ସୁନ୍ଦରଗଡ଼ ଜିଲ୍ଲାରୁ ଯଦି ରାଉରକେଲାକୁ ସ୍ୱତନ୍ତ୍ର ଗୋଟିଏ ଜିଲ୍ଲା ଏବଂ ବଣାଇକୁ ମଧ୍ୟ ସ୍ୱତନ୍ତ୍ର ଜିଲ୍ଲା କରିଦିଆଯାଏ ତେବେ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ଖଣ୍ଡ ବିଖଣ୍ଡିତ ହୋଇଯିବ ବୋଲି ପେସା ଗ୍ରାମସଭା ପକ୍ଷରୁ କୁହାଯାଇଛି । ଏହାଦ୍ବାରା ଯେଉଁ ଭାଇଚାରା ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାରେ ଅଛି ତାହା କ୍ଷୁର୍ଣ୍ଣ ହେବ ।
ତେଣୁ ସୁନ୍ଦରଗଡ଼ ଜିଲ୍ଲାକୁ ଭାଗ ଭାଗ ନକରିବା ଦାବିରେ ଆଜି ଏହି ବିଶାଳ ଶୋଭଯାତ୍ରା କରାଯାଇଛି । ହଜାରହଜାର ସଂଖ୍ୟାରେ ପେସା ଗ୍ରାମସଭା କମିଟି ପକ୍ଷରୁ ସୁନ୍ଦରଗଡ ଜିଲ୍ଲାର କୁତ୍ରା, ସୁନ୍ଦରଗଡ, ବଡ଼ଗାଁ, ବିଶ୍ରା, ବୀରମିତ୍ରପୁର, ରାଜଗାଙ୍ଗପୁର, କୁଆରମୁଣ୍ଡା, ରାଉରକେଲା, ବଣାଇ ଆଦି ବିଭିନ୍ନ ସ୍ଥାନରୁ ଲୋକେ ଆସି ସୁନ୍ଦରଗଡ଼ ଜିଲ୍ଲାକୁ ଭାଗ ନକରାଯାଉ ବୋଲି ଦାବି କରିଛନ୍ତି । ପାନପୋଷ ଉପଜିଲ୍ଲାପାଳ ଙ୍କ ଅଫିସ ଯାଏଁ ଏହି ରାଲି ଯାଇଥିଲା । ଏହାପରେ ସେଠାରେ ରାଲିରେ ସାମିଲ ଥିବା ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାକୁ ଭାଗ ଭାଗ ନକରିବା ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।