ରାଉରକେଲା: ହକି ବିଶ୍ବକପକୁ ନେଇ ପ୍ରଦୂଷଣ ବିଭାଗର କଡା ପଦକ୍ଷେପ । ରାଉରକେଲା ସହର ଅନ୍ତର୍ଗତ କଲୁଙ୍ଗା ଏବଂ କୁଆରମୁଣ୍ଡା ଅଞ୍ଚଳର ସମସ୍ତ କାରଖାନାକୁ ବନ୍ଦ କରିବାକୁ ନିର୍ଦ୍ଦେଶ । ଏନେଇ ଜାନୁଆରୀ ୧ ରୁ ଜାନୁଆରୀ ୩୧ ଯାଏ ବନ୍ଦ ରହିବ ପ୍ଲାଣ୍ଟ । ଇସ୍ପାତ ସହରର ବାୟୁମଣ୍ଡଳର ମାନ କ୍ରମଶଃ ନିମ୍ନଗାମୀ ହେବାରେ ଲାଗିଛି । ସଂପ୍ରତି ସହରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ଚାରିଆଡ଼େ ଧୂଳି, ଧୁଆଁ ଭର୍ତ୍ତି ହୋଇଯାଇଛି । ବିଗତ କିଛି ମାସ ହେଲା ସହରର ବାୟୁର ମାନ ନିମ୍ନ-ମଧ୍ୟମ ବର୍ଗରେ ରହିଛି, ଯାହାକି ଜାନୁଆରି ୧୩ ତାରିଖରୁ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ । ଖେଳାଳି ଓ ଦର୍ଶକ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି । ଏଣୁ ସହର ଭିତରେ ବାୟୁ ଗୁଣବତ୍ତା ଉଚ୍ଚ ମାନର କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି ।
ଗାଡ଼ି ମଟର ଚଳାଚଳ ଉପରେ ଅଙ୍କୁଶ ଲଗାଇବା ସହ ଆଖପାଖ ଅଞ୍ଚଳର କଳକାରଖାନା, ସହର ଭିତରେ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶାନାମା ଜାନୁଆରି ୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ପ୍ରଦୂଷଣ ବୋର୍ଡ ନିର୍ଦ୍ଦେଶାନୁଯାୟୀ, ଆସନ୍ତା ଜାନୁଆରୀ ମାସ ସାରା ରାଉରକେଲା ସମେତ ପାନପୋଷ ଓ ବେଦବ୍ୟାସ ଅଞ୍ଚଳରେ ସମସ୍ତ ପ୍ରକାର ନିର୍ମାଣ ଓ ଭାଙ୍ଗିବା କାର୍ଯ୍ୟ ବନ୍ଦ ରହିବ । ଏମିତିକି ରାଉରକେଲା ଇସ୍ପାତ କାରଖାନାର ନିର୍ଦ୍ଦିଷ୍ଟ କେତୋଟି ୟୁନିଟ୍କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆର୍ଏସ୍ପିର ସିଣ୍ଟର୍ ପ୍ଲାଣ୍ଟ୍-୧, ଏସ୍ଏମ୍ଏସ୍-୨ର ବ୍ଲାଷ୍ଟ୍ଫର୍ଣ୍ଣେସ୍-୧, କୋକ୍ ଓଭେନ ବ୍ୟାଟେରୀ ନଂ ୫ ଓ ୬ ଆଦି ୟୁନିଟ୍ ଅପେକ୍ଷାକୃତ ଅଧିକ ପ୍ରଦୂଷଣ କରୁଥିବା ନଜରକୁ ଆସିଥିଲା ।
ଏଣୁ ଜାନୁଆରୀ ମାସରେ ଏସବୁ ୟୁନିଟ୍କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି । କୁଆରମୁଣ୍ଡା, କଲୁଙ୍ଗା ଶିଳ୍ପାଞ୍ଚଳରେ ଥିବା ସମସ୍ତ ସ୍ପଞ୍ଜ୍ ଆଇରନ କାରଖାନା ଜାନୁଆରୀ ମାସରେ ବନ୍ଦ ରହିବ । ଏ ଧରଣର କଳକାରଖାନାରେ ପୂର୍ବରୁ ଗଚ୍ଛିତ ରହିଥିବା ଲୁହାପଥର, କାର୍, କୋଇଲାକୁ ତାର୍ପୋଲିନରେ ଘୋଡ଼ାଇ ରଖିବା ସହ ଆଦ୍ର ରଖିବା ବାଧ୍ୟତାମୂଳକ । ଷ୍ଟାଡିୟମ ଆଖପାଖ ଅଞ୍ଚଳକୁ ‘ନିମ୍ନ ନିର୍ଗମନ କ୍ଷେତ୍ର’ ଘୋଷଣା କରାଯାଇଛି। ଏ ଅଞ୍ଚଳଗୁଡ଼ିକ ହେଲା, ରିଂ ରୋଡ୍ ଏୟାରପୋର୍ଟ ଛକରୁ ପୁରୁଣା ଏୟାରପୋର୍ଟ ଗେଟ୍ । ଷ୍ଟାଡିୟମର ୧ ନମ୍ବର ଗେଟ୍ରୁ ଗେଟ୍ ନମ୍ବର ୨-ଗେଟ୍ ନମ୍ବର ୪ । କନକମଞ୍ଜରୀ ସ୍କୁଲ ଛକ ଏବଂ ରିଂ ରୋଡ ଅଭିଜ୍ଞାନ ଛକରୁ-ବିପିୟୁଟି କ୍ୟାମ୍ପସ୍ଦେଇ ଷ୍ଟାଡିୟମ ପର୍ଯ୍ୟନ୍ତ ରାସ୍ତାରେ ଗମନାଗମନ ଉପରେ ଅଙ୍କୁଶ ଲଗାଯାଇଛି ।
ଏହି ଅଞ୍ଚଳ ଦେଇ ଡିଜେଲ, ପେଟ୍ରୋଲ ଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ଯେଉଁମାନେ ବି ଏହି ରାସ୍ତା ଦେଇ ଯିବେ, ସେମାନେ କେବଳ ଚାଲିଚାଲି କିମ୍ବା ସାଇକେଲର ବ୍ୟବହାର କରିପାରିବେ । ଏହି ରାସ୍ତାକୁ ପ୍ରତ୍ୟହ ସଫା କରିବା ସହ ପାଣି ସିଞ୍ଚନ କରାଯିବ । ଏହାସହ ରାସ୍ତାକଡ଼ରେ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ, ଯଥା ବାଲି, ସିମେଣ୍ଟ୍, ଚିପ୍ସ, ଅଳିଆଆବର୍ଜନା ଗଚ୍ଛିତ ରଖାଯାଇପାରିବ ନାହିଁ । ଖଣିଜ ପଦାର୍ଥ, ପାଉଁଶ କୋଇଲା, ଶିଳ୍ପସଂସ୍ଥାରୁ ନିର୍ଗତ ବର୍ଜ୍ୟ ଆଦି ପରିବହନ କରୁଥିବା ଯାନବାହନ ସହର ଭିତରକୁ ପ୍ରବେଶ କରିବାକୁ ନିଷଧାଦେଶ ଜାରି କରାଯାଇଛି । ସହର ଭିତରର ସବୁ ରାସ୍ତା ଅତ୍ୟାଧୁନିକ ଯନ୍ତ୍ରପାତିରେ ପ୍ରତିଦିନ ସଫେଇ କରାଯିବା ସହ ଆବଶ୍ୟକସ୍ଥଳେ ନିୟମିତ ପାଣି ସିଞ୍ଚନ ହେବ । ଏହି ସମୟରେ ଶୁଖିଲା ପତ୍ର, ପଲିଥିନ କିମ୍ବା ବର୍ଜ୍ୟବସ୍ତୁ ପୋଡ଼ାଯାଇପାରିବ ନାହିଁ । ସମସ୍ତ ନିୟମାବଳୀର କଡ଼ା ପାଳନ ପାଇଁ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କର୍ତ୍ତୃପକ୍ଷ, ପରିବହନ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ, ରାଉରକେଲା ମହାନଗର ନିଗମ ପ୍ରଶାସନ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଇଟିଭି ଭାରତ, ରାଉରକେଲା