ସୁନ୍ଦରଗଡ଼: ଓଡ଼ିଶାରେ ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲା । ଏହି ଜିଲ୍ଲାରୁ ଭାରତୀୟ ହକି ଦଳର ସ୍ଥାନ ପାଇଛନ୍ତି ଅନେକ ଖେଳାଳୀ । ତେବେ ଚଳିତ ହକି ବିଶ୍ବକପ ପାଇଁ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ଜଣେ ଗରିବ ଆଦିବାସୀ ପରିବାରର ପ୍ରତିଭାବାନ ହକି ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତି ଆଦିବାସୀ ପୁଅ ନୀଲମ ସଞ୍ଜୀପ ଖେସ । ପୁଅ ଦେଶ ପାଇଁ ଖେଳିବ ବୋଲି ପରିବାର ଲୋକଙ୍କ ଭିତରେ ଖୁସିର ଲହରୀ । ସୁଯୋଗ ମିଳିଲେ ପୁଅ ଦଳ ପାଇଁ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ପରିବାର ।
ଗାଁ ପଡ଼ିଆରୁ ଭାରତୀୟ ହକି ଦଳ- ଗରିବ ଆଦିବାସୀ ପରିବାରରୁ ହକି ବିଶ୍ବକପ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବା ସୌଭାଗ୍ୟର କଥା । ଏହି ପ୍ରତିଭାବନ ହକି ଖେଳାଳି ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକର କାଦବାହାଲ ପଞ୍ଚାୟତ ଅନ୍ତର୍ଗତ ସରନାଟୋଲି ଗ୍ରାମର ପୁଅ ନିଲମ ସଞ୍ଜୀପ ଖେସ । ନିଜର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରି ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବ ପାଲଟିଛନ୍ତି ନୀଲମ । ଆଜି ପୁଅ ବିଶ୍ବ ଦରବାରରେ ପରିଚୟ ସୃଷ୍ଟି କରିଛି ଏଥିପାଇଁ ପରିବାରର ଖୁସି କହିଲେ ନସରେ । ନୀଲମ ନିଜର ଖେଳ ଜୀବନରେ ଯେତିକି ମେଡଲ ଏବଂ ଟ୍ରଫି ପାଇଛନ୍ତି, ସେ ସବୁକୁ ସାଇତି ରଖିଛନ୍ତି ତାଙ୍କ ପରିବାର । ଦିନେ ଘର ବାରଣ୍ଡାରେ ଏବଂ ଘର ବାହାର ଗଳିରେ ଗୋଟିଏ ବାଡ଼ି ସହ ପେଣ୍ଡୁ ଧରି ଖେଳୁଥିବା ପୁଅ ଆଜି ନିଜ ଜିଲ୍ଲା ମାଟିରେ ହେବାକୁ ଥିବା ବିଶ୍ବକପରେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ।
ସଂଘର୍ଷର ଫଳ ପାଇଛନ୍ତି ନୀଲମ- ନୀଲମଙ୍କ ବାପା ଆଜି ମଧ୍ୟ ଚାଷ କରି ନିଜର ଘର ଚଳାନ୍ତି । ମାଆ ଜଣେ ଗୃହିଣୀ । ସେଇ କିଛିଟା ଚାଷ କରି ପୁଅକୁ ପାଠ ପଢ଼ାଇବା ସହ ତାକୁ ଖେଳିବାକୁ ଉତ୍ସାହିତ କରିଥିଲେ ପରିବାର । ଆଜି ପୁଅ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଖେଳି ଯାଇଛି ଖୁସିର ଲହରୀ । ପରିବାର ଲୋକଙ୍କ ଆଖିରେ ଭରି ଆସୁଛି ଖୁସିର ଲୁହ । ପୁଅକୁ ଦେଶ ପାଇଁ ଖେଳୁଥିବା ଦେଖିବାକୁ ଚାହିଁ ବସିଛନ୍ତି ପରିବାର ଲୋକେ । ରାଉରକେଲାରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ବର୍ତ୍ତମାନ ଭାରତୀୟ ଦଳ କ୍ୟାମ୍ପରେ ଅଛନ୍ତି ନୀଲମ ସଞ୍ଜୀପ ଖେସ । କିନ୍ତୁ ଦୁଃଖର ବିଷୟ ସେ ଏବେ ପର୍ଯ୍ୟନ୍ତ ପରିବାର ସହିତ ରହୁଛନ୍ତି ଏକ ମାଟି ଖପରରେ ପ୍ରସ୍ତୁତ ଘରେ । ନିପଟ ମଫସଲ ଗାଁରେ ଜନ୍ମ ନେଇ ବିଶ୍ବକପ୍ ଖେଳିବା ପଛରେ ତାଙ୍କର କେତେ ନିଷ୍ଠାପର ଉଦ୍ୟମ ଥିବ, ତାଙ୍କର ସେହି ଜନ୍ମମାଟିରେ ପହଞ୍ଚିଲେ ଅନୁଭବ କରିହେବ ।
SAI ସହଯୋଗରେ ଆଗକୁ ବଢ଼ିଥିଲେ- ନୀଲମଙ୍କ ପରିବାର କହିଲେ ବାପା ବିପିନ ଖେସ୍, ମାଆ ଜୀରା ଖେସ୍, ଦୁଇ ବଡ଼ ଭଉଣୀ ଆଶ୍ରିତା ଓ ବିମଳା ଓ ବଡ଼ଭାଇ ପ୍ରଦୀପ । ଦୁଇ ଭଉଣୀ ବିବାହିତା । ନିଜର ଭଲ ଖେଳ ପ୍ରଦର୍ଶନ କରି ପ୍ରଥମେ ନିଜ ଗାଁ ଓ ପରେ ବ୍ଲକରେ ଚର୍ଚ୍ଚାକୁ ଆସିଥିଲେ ନୀଲମ । ଏହାପରେ ତାଙ୍କର ହକି ଖେଳ ପ୍ରତି ଆଗ୍ରହ ବଢ଼ିବାରେ ଲାଗିଲା । ଏହି ସମୟରେ ସେ ଆସିଥିଲେ ସୁନ୍ଦରଗଡ଼ରେ ଥିବା SAI (ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ) ଛାତ୍ରାବାସର ପ୍ରଶିକ୍ଷକଙ୍କ ନଜରକୁ । ବଣ ମଲ୍ଲୀ ବଣରେ ଫୁଟି ଝଡ଼ିଯିବା ପୂର୍ବରୁ ତାକୁ ସାଇତି ରଖିବା ପାଇଁ ବାହାରି ଥିଲା ଭାରତୀୟ କ୍ରୀଡ଼ା ପ୍ରାଧୀକରଣ କ୍ରୀଡ଼ାବାସ । ଏହାପରେ ସେ ଆଉ ପଛକୁ ବୁଲି ଚାହିଁ ନାହାନ୍ତି । ଏକ ଗରିବ ପରିବାରରୁ ଯାଇ ନିଜର ଅଭାବ ଅନଟନକୁ କାନ୍ଧରେ ପକାଇ ହକି ଖେଳି ପାଇଲେ ଅନେକ ସଫଳତା । ରାଜ୍ୟସ୍ତରରୁ ଆରମ୍ଭ କରି ନ୍ୟାସନାଲ ଗେମ୍ସ ଓ ଏସିଆନ ଗେମ୍ସ, ସବୁ ସ୍ଥାନରେ ନିଜର ଦମ୍ ଦେଖାଇ ସମସ୍ତଙ୍କୁ ଆକର୍ଷିତ କରିଛନ୍ତି ନୀଲମ ।
ଯେତେବେଳେ ହକି ଷ୍ଟିକ କିଣିବାକୁ ନଥିଲା ଅର୍ଥ- ଗାଁରେ ଭଲ ପଡ଼ିଆଟିଏ ନଥିବାରୁ ଘର ସମ୍ମୁଖରେ ଥିବା ଖାଲଖମାପୂର୍ଣ୍ଣ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିଥିଲେ ସଞ୍ଜୀପ । ବଡ଼ଭାଇ ସମେତ ସାହିର ଅନ୍ୟ ସାଙ୍ଗମାନଙ୍କ ସହ ଖେଲୁଥିଲେ । ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ହକି ଷ୍ଟିକ୍ କିଣିପାରିନଥିଲେ । କିନ୍ତୁ, ବାଉଁଶ ଓ କେନ୍ଦୁ କାଠରୁ ହକି ଷ୍ଟିକ୍ ତିଆରି କରୁଥିଲେ । ଏମିତିକି ମହୁଲ, ବାଉଁଶ ଗଛର ଗଣ୍ଠିରୁ ବଲ୍ ତିଆରି କରି ଖେଳିବାସହ ବହୁ ସମୟରେ କଞ୍ଚା ଆତକୁ ବଲ୍ଭାବେ ବ୍ୟବହାର କରୁଥିଲେ ନୀଲମ । ତେବେ ସେ ଆଜି ସାରା ରାଜ୍ୟର ଗର୍ବ ପାଲଟିଛନ୍ତି । ସଞ୍ଜୀପଙ୍କୁ ନେଇ ବେଶ୍ ଗର୍ବ ଅନୁଭବ କରିଛନ୍ତି ଗ୍ରାମବାସୀ । ଟିକେଟ୍ ମିଳିଲେ ବହୁସଂଖ୍ୟାରେ ଗ୍ରାମବାସୀ ମ୍ୟାଚ୍ ଦେଖିବାକୁ ଯାଇ ସଞ୍ଜୀପଙ୍କୁ ଉତ୍ସାହିତ କରିବେ ବୋଲି କହିଛନ୍ତି । ଏହାସହ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ବି ଜଣାଇଛନ୍ତି ଗ୍ରାମବାସୀ ।
ସୁନ୍ଦରଗଡ଼ ଜିଲ୍ଲାରୁ ଭାରତୀୟ ହକି ଦଳରେ ସ୍ଥାନ ପାଇ ଦେଶ ପାଇଁ ଗୌରବ ଆଣିଛନ୍ତି ବହୁ ଖେଳାଳୀ । ସୁନ୍ଦରଗଡ଼ରୁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ବର୍ତ୍ତମାନର ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ସୁଭଦ୍ରା ପ୍ରଧାନ, ଇଗ୍ନେସ ତିର୍କୀ, ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଲିଲିମା ମିଞ୍ଜ ଓ ଲଜରୁସ ବାର୍ଲାଙ୍କ ଭଳି ବହୁ ଖେଳାଳି । ଏବେ ଏମାନଙ୍କ ମଧ୍ୟରେ ସାମିଲ ହେଲେ ନୀଲମ ସଞ୍ଜୀପ ଖେସ । ତେବେ ନୀଲମ ଖେଳିବାର ସୁଯୋଗ ପାଇଲେ ଦଳ ପାଇଁ ଭଲ ପ୍ରଦର୍ଶନ କରନ୍ତୁ ବୋଲି ଆଶୀର୍ବାଦ କରିଛନ୍ତି ପରିବାର ।
ଇଟିଭି ଭାରତ, ସୁନ୍ଦରଗଡ଼