ରାଉରକେଲା: ମାଟ୍ରିମୋନି ସାଇଟ୍ରୁ ବର ଖୋଜି ଝିଅକୁ ବିବାହ କରାଇଥିଲେ । ଝିଅ ସହ ଜ୍ବାଇଁ ରହୁଥିଲା ବେଙ୍ଗାଲୁରୁରେ । ବାପା ମାଆ ଭାବିଥିଲେ ଝିଅ ଖୁସିରେ ରହିବ। କିନ୍ତୁ ଏହି ଖୁସି ବେଶି ଦିନ ନଥିଲା। ବିବାହ ପରେ ପରେ ଝିଅ ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା । ଶେଷରେ ଯୌତୁକ ଯୋଗୁଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଅଭିଯୋଗ ଆସିଛି ରାଉରକେଲା ସହରରୁ । ମୃତ ମହିଳା ହେଉଛନ୍ତି ଜନଶୁଣା ଭାରତ ନାଟ୍ୟମ ନୃତ୍ୟଶିଳ୍ପୀ ରଶ୍ମିତା ଲାକ୍ରା । ଏହି ଘଟଣାରେ ପୋଲିସ ମୃତ ମହିଳାଙ୍କ ସ୍ବାମୀକୁ ଗିରଫ କରିଛି ।
ଏକ ସାମ୍ବାଦିକ ସମ୍ମିଳନୀରେ ମୃତ ରଶ୍ମିତାଙ୍କ ମାଆ ଶାନ୍ତି ଲାକ୍ରା ଅଭିଯୋଗ କରିଛନ୍ତି ଯେ, ମାଟ୍ରିମୋନିରେ ଯୋଗାଯୋଗ କରି ଝିଅ ରଶ୍ମିତାକୁ ବେଙ୍ଗାଲୁରୁରେ ଇନ୍ଫୋସିସ୍ରେ କାର୍ଯ୍ୟରତ ଗୌରୀ ଶଙ୍କର ଦଲେଇଙ୍କ ସହ ଜୁନ୍ ୨୩ ତାରିଖରେ ବିବାହ କରାଇଥିଲେ । ସ୍ଥାନୀୟ ରିଜର୍ଭ ପୋଲିସ ଲାଇନରେ ଥିବା ତ୍ରିନାଥ ମନ୍ଦିରରେ ବିବାହ ଅନୁଷ୍ଠିତ ହୋଇଥିଲା । ଗୌରୀ ଶଙ୍କରଙ୍କ ବାପା ପ୍ରଦୀପ ଦଳେଇ ସେକ୍ରେଟାରିଏଟ୍ରେ ଫାଇନାନ୍ସ ବିଭାଗରେ କାର୍ଯ୍ୟରତ ଥିବା ବେଳେ ତାଙ୍କ ମାଆ ସୀତାମଣୀ ଦଳେଇ ସହ ଭୁବନେଶ୍ବରରେ ରୁହନ୍ତି । ଝିଅକୁ ବିବାହ ଦେବା ପରେ ଦାବି ମୁତାବକ ପାଖାପାଖି 15 ଭରି ସୁନା ଅଳଙ୍କାର ସମେତ ନଗଦ ଟଙ୍କା, ଦାମୀ ହାତଗଣ୍ଟା ଆଦି ଦିଆଯାଇଥିଲା । ବିବାହ ପରେ ରଶ୍ମିତା ସ୍ବାମୀଙ୍କ ସହ ବେଙ୍ଗାଲୁରୁ ଚାଲିଯାଇଥିଲେ ।
ଏହା ମଧ୍ୟ ପଢନ୍ତୁ-ଯୌତୁକ ପାଇଁ ନର୍ସଙ୍କୁ ହତ୍ୟା ଅଭିଯୋଗ, ପରିବାର ଲୋକେ ଭଦ୍ରକ ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ
ମୃତକର ମାଆ କହିଛନ୍ତି, "ବିବାହର କିଛି ଦିନ ପରେ ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିଲା । ପୂର୍ବରୁ ଜ୍ବାଇଁ ଗୌରୀ ଶଙ୍କର ବେଙ୍ଗାଲୁରୁର ଆଇଟି କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ଭୁବନେଶ୍ଵରର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ବିବାହ ପରେ ମଧ୍ୟ ଅନୈତିକ ସମ୍ପର୍କ ରଖିଥିଲେ । ଝିଅ କୌଣସି ଉପାୟରେ ଜାଣିବାକୁ ପାଇବାରୁ ନିର୍ଯାତନା ଦ୍ଵିଗୁଣିତ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଜ୍ବାଇଁର ଦାବି ମୁତାବକ ନଗଦ ଦେଢ଼ ଲକ୍ଷ ଟଙ୍କା ତାଙ୍କ ବାପା-ମାଆଙ୍କୁ ଦିଆଯାଇଥିଲା ତଥାପି ନିର୍ଯାତନା କମିନଥିଲା ।"
ସେ ଆହୁରି କହିଛନ୍ତି,"ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ରଶ୍ମିତା ଦୁଇ ଭଉଣୀଙ୍କ ସହ ଫୋନ୍ରେ ଶେଷଥର ପାଇଁ କଥା ହୋଇ ଦୁଃଖ କଥା କହିଥିଲା । ସେହିଦିନ ରାତି ପ୍ରାୟ ସାଢ଼େ ୧୨ଟାରେ ଅଭିଯୁକ୍ତର ମାଆ ଫୋନ୍ କରି ମୋ ଝିଅ ଅଚେତ ହୋଇପଡ଼ିଛି ତୁରନ୍ତ ବେଙ୍ଗାଲୁରୁ ଯିବାକୁ ସୂଚନା ଦେଇଥିଲେ । କିନ୍ତୁ ସେତେବେଳକୁ ରଶ୍ମିତାକୁ ହତ୍ୟା କରାଯାଇସାରିଥିଲା । ତା ପରଦିନ ପରିବାରର ସଦସ୍ୟ ବେଙ୍ଗାଲୁରୁକୁ ଯିବାବେଳେ ଝିଅର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ନିଆ ସରିଥିଲା । ସେତେବେଳେ ରଶ୍ମିତା ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । କିନ୍ତୁ ପରିବାର ସଦସ୍ୟ ଯୌତୁକ ଦାବିରେ ହତ୍ୟା କରିଥିବା ବେଙ୍ଗାଲୁରୁର ଏକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲୁ । ପ୍ରଥମେ ପୋଲିସ ସହଯୋଗ କରୁନଥିବା ବେଳେ ବହୁ କାକୁତିମିନତି ପରେ ମାମଲା ରୁଜୁ କରିଥିଲା । କେବଳ ଜ୍ବାଇଁ ଗୌରୀ ଶଙ୍କରକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଳେ ଅନ୍ୟ ତିନି ଅଭିଯୁକ୍ତ, ଜ୍ବାଇଁର ବାପା- ମାଆଓ ପ୍ରେମିକାଙ୍କୁ ଛାଡ଼ି ଦିଆଯାଇଥିଲା ।"
ବାସ୍ତବରେ ରଶ୍ମିତା ଆତ୍ମହତ୍ୟା କରିନଥିଲା ବରଂ ଯୋଜନା ବଦ୍ଧ ଭାବେ ତାକୁ ଜ୍ବାଇଁ ଜୀବନରୁ ମାରିଦେଇଛନ୍ତି । ରଶ୍ମିତାଙ୍କ ବେକରେ ରଶିର ଚିହ୍ନ ବି ନଥିବାରୁ ଏହା ସୁପରିକଳ୍ପତି ହତ୍ୟାକାଣ୍ଡ ବୋଲି କହିଛନ୍ତି ରଶ୍ମିତାଙ୍କ ମାଆ । ତେବେ ବେଙ୍ଗାଲୁରୁରେ ଘଟିଥିବା ଏହି ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ତିନି ଜଣଙ୍କୁ ଗିରଫ କରି ପୋଲିସ ରଶ୍ମିତାକୁ ନ୍ୟାୟ ଦେଉ ବୋଲି ଗୁହାରି କରିଛନ୍ତି ରଶ୍ମିତାଙ୍କ ପରିବାର ।
ଇଟିଭି ଭାରତ, ସୁନ୍ଦରଗଡ