ରାଉରକେଲା: କଳା, ସଂସ୍କୃତି, କ୍ରୀଡା ଓ ସାମାଜିକ ସଚେତନତାର କାର୍ଯ୍ୟକ୍ରମ 'ନୂଆ ଓଡିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା' ରାଉରକେଲା ସ୍ଥିତ ସରକାରୀ ଆଇଟିଆଇ କଲେଜରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଶ୍ରମମନ୍ତ୍ରୀ ସାରଦା ନାୟକ ଏବଂ ପୂର୍ବତନ ଅଲମ୍ପିଆନ ଲାଜରୁଷ ବାର୍ଳା ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷା ପ୍ରତି ପ୍ରତିବଦ୍ଧତା, ସାମାଜିକ ଦାୟିତ୍ୱବୋଧ, ନିଜ ଉପରେ ଆତ୍ମବିଶ୍ବାସ ଓ ସମୟାନୁବର୍ତ୍ତିତା ତଥା ସୁନାଗରିକ ହେବା ପାଇଁ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏଥିସହ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ସହାୟକ ହୋଇପାରିବ କହିଥିଲେ ।
ନୂଆ ଓଡିଶା, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆୟୋଜିତ ହେଉଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ଯୁବ ପିଢ଼ିମାନଙ୍କ ଉପରେ ଅଧିକ ଫୋକସ କରୁଛନ୍ତି । ଏନେଇ ଗତକାଲି ରାଉରକେଲାରେ ମହାଆଡମ୍ବରରେ ପାଳନ ହୋଇଛି ଏହି କାର୍ଯ୍ୟକ୍ରମ । ରାଉରକେଲା ସହର ସହ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରଦା ନାୟକ ଏବଂ ପୂର୍ବତନ ଅଲମ୍ପିଆନ ଲାଜରୁଷ ବାର୍ଳା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ଗୋବିନ୍ଦପୁର ମହାବିଦ୍ୟାଳୟରେ ଆୟୋଜିତ ହେଲା ନୂଆ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ
ଏହା ମଧ୍ୟ ପଢନ୍ତୁ- ଅଭିଯୋଗ ସହ ସରିଲା ମୋ ଓଡିଶା ନବୀନ ଓଡିଶା ଗ୍ରାମୀଣ ପ୍ରକଳ୍ପ ଘୋଷଣା
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ, କ୍ରୀଡା ଓ ସାମାଜିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଆଇଟିଆଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ରଚନା, କବିତା ପାଠ, ଗଳ୍ପ ପଠନ, ରୋଷେଇ, ଆର୍ଟ ପ୍ରଦର୍ଶନୀ, ମେହେନ୍ଦୀ, ରଙ୍ଗୋଲି, ଚିତ୍ରାଙ୍କନ, କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତି, ଅନ୍ତାକ୍ଷରୀ, ସାମୁହିକ ଆଲୋଚନା, ସଂଗୀତ, ନୃତ୍ୟ, ସୁରକ୍ଷା ଅଭିଯାନ, ସ୍ବଛତା, ସଚେତନତା ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହା ସହିତ କ୍ରୀଡ଼ା କାର୍ଯ୍ୟକ୍ରମ ଅନ୍ତର୍ଗତ କବାଡି, ଫୁଟବଲ, କ୍ରିକେଟ, ଖୋ ଖୋ, ବ୍ୟାଡମିଣ୍ଟନ୍, ହକି ଓ ଦୌଡକୁଦ ଆଦି ପ୍ରତିଯୋଗିତା କରାଯାଇଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 500 ପ୍ରତିଯୋଗୀ ନିଜର କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ । ତେବେ ଗତକାଲି ରାଉରକେଲା ସହରରେ ସରକାରୀ କଲେଜରେ ଏହି ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଶେଷ ହୋଇଛି ।
ଇଟିଭି ଭାରତ, ରାଉରକେଲା