ରାଉରକେଲା: NRC ଓ CAA ପ୍ରତ୍ୟାହାର ଦାବିରେ ରାଉରକେଲାରେ ବିରୋଧ ପ୍ରଦର୍ଶନ ହୋଇଛି । କଳାକନା ବାନ୍ଧି ବିରୋଧ ପ୍ରଦର୍ଶନରେ ବିଭିନ୍ନ ରାଜନୈତିକ ଦଳ ବି ସାମିଲ ହୋଇଥିଲେ ।
ଆଜି ନମାଜ ପାଠ ପରେ ଶହଶହ ମୁସଲିମ ସମ୍ପ୍ରଦାୟ ନାଲା ରୋଡ ନିକଟ ମୁଖ୍ୟ ରାସ୍ତାରେ ଏକତ୍ରିତ ହୋଇଥିଲେ । ଏହାପରେ ମେନ ରୋଡରେ ଶୋଭାଯାତ୍ରା ବାହାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଭିଡକୁ ଆଖି ସାମ୍ନାରେ ରଖି ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଥିଲେ । ପ୍ରଦର୍ଶନକାରୀ ବିଭିନ୍ନ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ ।
ମୁଖ୍ୟ ମାର୍ଗରେ ବହୁତ ଦୂର ପର୍ଯ୍ୟନ୍ତ ପ୍ରଦର୍ଶନକାରୀଙ୍କୁ ପୋଲିସ ଛାଡି ନ ଥିଲା । ଏଥିସହ ପଶ୍ଚିମାଞ୍ଚଳର ଡିଆଇଜି କବିତା ଜାଲାନ ନିଜେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ନଜର ରଖିଥିଲେ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ