ରାଉରକେଲା: ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ମାମଲାରେ ଯୁବକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ । ଏହି ଦଣ୍ଡାଦେଶ ଶୁଣାଇଛନ୍ତି ରାଉରକେଲା ଦ୍ୱିତୀୟ ଅତିରିକ୍ତ ଦୌରାଜଜ୍ ମନୋଜ କୁମାର । ୨୦୨୧ ମସିହା ଜାନୁଆରୀ ୩୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଷ୍ଟେସନ ନିକଟ ଏକ ହୋଟେଲରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । ଇମ୍ରାନ ଖାନ ନାମକ ଯୁବକ ଜଣେ ମହିଳାଙ୍କୁ ହୋଟେଲକୁ ନେଇ ଦୁଷ୍କର୍ମ କରିଥିବା କୁଆରମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ବିଚାର କରି ବିଚାରପତି ସଜ୍ଜା ଶୁଣାଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡାରେ ୨୦୨୧ରେ ହୋଇଥିବା ଦୁଷ୍କର୍ମ ମାମଲାର ଆଜି(ମଙ୍ଗଳବାର) ରାୟ ପ୍ରକାଶ ପାଇଛି । ରାଉରକେଲା ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋଜ କୁମାର ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ ସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ନିର୍ଦ୍ଦେଶ ଦେଇଛନ୍ତି । ସାକ୍ଷୀଙ୍କ ସାକ୍ଷ୍ୟ, ୮୯ ଦସ୍ତାବିଜ୍ ପ୍ରମାଣ ଆଧାରରେ ବିଚାରପତି ମନୋଜ କୁମାର ଏହି ରାୟ ଶୁଣାଇଛନ୍ତି । ଆସାମୀ ଜଣକ କୁଆରମୁଣ୍ଡାର ଇମ୍ରାନ୍ ଖାନ୍ ଓରଫ ମହମ୍ମଦ ନୌସାଦ୍ ।
ଏହାମଧ୍ୟ ପଢନ୍ତୁ... ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀ ବଡବାପାକୁ 20 ବର୍ଷ ଜେଲ
ପ୍ରକାଶଯୋଗ୍ୟ, କୁଆରମୁଣ୍ଡାର ଜଣେ ମହିଳାଙ୍କ ସହ ଇମ୍ରାନ୍ଙ୍କ କଥାବାର୍ତ୍ତାରୁ ସମ୍ପର୍କ ହୋଇଥିଲା । ପରେ ଇମ୍ରାନ୍ ମହିଳାଙ୍କ ସହ ତାଙ୍କ ହ୍ବାର୍ଟ୍ସଆପ୍ ନମ୍ବରରେ ଚାଟିଂ କରିବା ଆରମ୍ଭ କରିଥିଲା । ବନ୍ଧୁତା ନିବିଡ ହେବା ପରେ ଇମ୍ରାନ୍ ମହିଳାଙ୍କ ଝିଅ ବାହାଘର ପାଇଁ ପ୍ରସ୍ତାବ ମଧ୍ୟ ଯୋଗାଡ଼ କରି ଦେଇଥିଲା । ୨୦୨୧ ଜାନୁଆରୀ ୩୧ ତାରିଖ ସକାଳେ ଇମ୍ରାନ୍ ମହିଳାଙ୍କ ଝିଅ ପାଇଁ ମୋବାଇଲ କିଣିଦେବାକୁ ଅଟୋରେ ରାଉରକେଲା ବାହାରିଥିଲା । ସାଥିରେ ମହିଳା ଓ ତାଙ୍କ ଝିଅ ଥିଲେ ।
ଅପରାହ୍ନ ପ୍ରାୟ ୧ଟାରେ ରାଉରକେଲା ଷ୍ଟେସନ ନିକଟରେ ଝିଅକୁ ବାହାରେ ବସାଇ ମହିଳାଙ୍କୁ ମୋବାଇଲ କିଣିବା ବାହାନା ଦେଖାଇ ନିକଟସ୍ଥ ହୋଟେଲକୁ ଡାକି ନେଇଥିଲା । ସେଠାରେ ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ଦୁଷ୍କର୍ମ କରିଥିଲା ଇମ୍ରାନ । ଘରେ ପହଞ୍ଚିବା ପରେ ମହିଳା ଜଣେ ପଡୋଶୀଙ୍କ ସହାୟତାରେ ବୀରମିତ୍ରପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରିବା ସହ ଇମ୍ରାନ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ବର୍ତ୍ତମାନ ଅତିରିକ୍ତ ଦୌରାଜଜ୍ ଅଭିଯୁକ୍ତକୁ ଦୁଷ୍କର୍ମ ମାମଲାରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି । ଏହି ମାମଲାର ପରିଚାଳନା ସରକାରୀ ଓକିଲ ସତ୍ୟନାରାୟଣ ମହାପାତ୍ର କରୁଥିବା ବେଳେ କେସର ଯାଞ୍ଚ ସୁନ୍ଦରଗଡର ତତ୍କାଳୀନ ଡ଼ିଏସପି ପ୍ରଭାତ କୁମାର ବିଶ୍ବାଳ କରୁଥିଲେ ।
ଇଟିଭି ଭାରତ, ରାଉରକେଲା