ରାଉରକେଲା: ଘନଉଛି ରାଉରକେଲା ଜିଲ୍ଲା ମାନ୍ୟତା ଦାବି । ଦୀର୍ଘଦିନ ଧରି ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ହୋଇଆସୁଛି । କେବେ ଘୋଷଣା ହେବ ରାଉରକେଲା ଜିଲ୍ଲା ? ତାହାକୁ ନେଇ ପୁଣି ବର୍ତ୍ତମାନ ସ୍ୱର ଉଠିଲାଣି । ପାନପୋଷ ଓ ବଣାଇ ଉପଖଣ୍ଡକୁ ମିଶାଇ ଜିଲ୍ଲା ଘୋଷଣା ଦାବି ସ୍ୱାଧୀନତା ପର ଠାରୁ ହୋଇ ଆସୁଛି । ସେ ସମୟରେ 13 ନମ୍ବର ଜିଲ୍ଲା ଭାବେ ରାଉରକେଲାକୁ ଜିଲ୍ଲା ଦାବି ହେଉଥିଲା । କିନ୍ତୁ ଏହାରି ମଧ୍ୟରେ ବିତିଗଲାଣି ଦଶନ୍ଧି ଉପରେ ଦଶନ୍ଧି ଏବଂ 13 ଜିଲ୍ଲାରୁ 30 ଟି ଜିଲ୍ଲା ହୋଇଗଲା । କିନ୍ତୁ ରାଉରକେଲା ସହରକୁ ଜିଲ୍ଲା ଘୋଷଣା କେବଳ ଦାବିରେ ହିଁ ରହିଗଲା ।
ପାନପୋଷ ସବଡିଭିଜନ ଅଧିନସ୍ଥ ରାଉରକେଲା ସହର ଓ ବିରମିତ୍ରପୁର, କୁଆରମୁଣ୍ଡା, ଲାଠିକଟା ବିଶ୍ରା ଏବଂ ବଣାଇ ସବ ଡିଭିଜନର କୋଇଡା, ଟେନସା, ଲହୁଣୀପଡା ଅଞ୍ଚଳର ହଜାର ହଜାର ଲୋକେ ନୀତିଦିନ 200 ରୁ 250 କିଲୋମିଟର ଯାତାୟତ କରି ସଦର ମହକୁମାକୁ ନିଜର କାର୍ଯ୍ୟ ନେଇ ଆସିଥାନ୍ତି । ଯଦି ଅପହଞ୍ଚ ଅଞ୍ଚଳ ହୋଇଥିଲେ ପ୍ରାୟ 300 କିମି କେବଳ ଜିଲ୍ଲା ମୁଖ୍ୟାଳୟ ହୋଇଥାଏ । ଯାହାକୁ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କୋଇଡା, ବଣାଇ, ଅଞ୍ଚଳରୁ ସୁନ୍ଦରଗଡ଼କୁ ଗମନାଗମନ ଅସୁବିଧା ଥିବାରୁ ଦିନକରେ ଜିଲ୍ଲା ମୁଖ୍ୟାଳୟକୁ ଯାଇ କାମ ସାରି ଘରକୁ ଫେରିବା ଅସମ୍ଭବ ହୋଇପଡୁଛି । ତେବେ ରାଉରକେଲା ଏବଂ ବଣାଇ ଅଞ୍ଚଳ ସରକାରଙ୍କୁ ରାଜ୍ୟର ସର୍ବାଧିକ ରାଜସ୍ୱ ପ୍ରଦାନ କରନ୍ତି । ରାଉରକେଲା ସହରରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ ଯାତାୟତ ପାଇଁ ବସ ଏବଂ ରେଳପଥ ରହିଛି । ଆଉ ଅଳ୍ପ କିଛିଦିନ ମଧ୍ୟରେ ରାଉରକେଲା ସହରରୁ ବିମାନ ସେବା ମଧ୍ୟ ଆରମ୍ଭ ହୋଇଯିବ । ଏହାସହ ବିଭିନ୍ନ ଆନୁଷଙ୍ଗିକ ସୁବିଧା ରହିଛି ଯାହାକୁ ନେଇ ରାଉରକେଲାକୁ ଜିଲ୍ଲା ମାନ୍ୟତା ହେବା ଜରୁରୀ ବୋଲି ଦାବି ହେଉଛି। ତେବେ ଯଥାସମ୍ଭବ ରାଉରକେଲାକୁ ଜିଲ୍ଲା ଘୋଷଣା ପାଇଁ ଦାବି କରିଛନ୍ତି ରାଉରକେଲା ସହରର ଆଇନଜୀବୀ ଏବଂ ବୁଦ୍ଧିଜୀବୀ ।
ଏହା ମଧ୍ୟ ପଢ଼ନ୍ତୁ: ଶେଷ ହେବ ବହୁ ଦିନର ଅପେକ୍ଷା, ରାଉରକେଲାରୁ ଉଡ଼ିବ ବିମାନ
ଆଇନଜୀବୀ କହିଛନ୍ତି, " ଦୀର୍ଘ ବର୍ଷ ଧରି ରାଉରକେଲା ଓକିଲ ସଂଘ ଏବଂ ସହରବାସୀ ସ୍ବତନ୍ତ୍ର ଜିଲ୍ଲା ଦାବି କରିଆସୁଛନ୍ତି । ବିଶ୍ବ ଦରବାରରେ ଓଡ଼ିଶାର ରାଉରକେଲା ପରିଚିତ । ତେଣୁ ଯଥାଶୀଘ୍ର ରାଉରକେଲାକୁ ଜିଲ୍ଲା ମାନ୍ୟତା ଘୋଷଣା କରାଯାଉ ।" ତେବେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରାଉରକେଲା ଏବଂ ବଣାଇ ଅଞ୍ଚଳବାସୀ ଲୋକଙ୍କ ପାଇଁ ନୀତିଦିନ ସୁନ୍ଦରଗଡ଼କୁ ଯିବା ଅସମ୍ଭବ ହୋଇ ପଡୁଛି ତେଣୁ ରାଉରକେଲାକୁ ଯଥାକ୍ରମେ ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି ବର୍ତ୍ତମାନ ତେଜିବାରେ ଲାଗିଛି । ଯଦି ରାଉରକେଲା ଜିଲ୍ଲା ଘୋଷଣା କରାଯାଏ ତେବେ ଟେନସା, କୋଇଡା, ବଣାଇ ଏବଂ କୁଆରମୁଣ୍ଡା, ବିଶ୍ରା, ବିରମିତ୍ରପୁର ସହ ଅନ୍ୟାନ୍ୟ ଅପହଞ୍ଚ ଅଞ୍ଚଳରୁ ଲୋକେ ସୁବିଧାରେ ରାଉରକେଲା ଜିଲ୍ଲା ମୁଖ୍ୟାଳୟ ସହ ଯୋଡି ହୋଇପାରିବେ ।
ଇଟିଭି ଭାରତ, ରାଉରକେଲା