ସୁନ୍ଦରଗଡ଼: ଜିଲ୍ଲାରେ ନିର୍ଦ୍ୱନ୍ଦରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିର୍ବାଚିତ ହେଲେ କୁନ୍ତୀ ପ୍ରଧାନ । ଏନେଇ ସେ ନବୀନଙ୍କୁ କୃତଜ୍ଞତା ଜଣାଇବା ସହ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ସାଧୁବାଦ ଜଣାଇବା ସହ ସେମାନଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିଛନ୍ତି । ଟାଙ୍ଗରପାଲି ବ୍ଲକ B ଜୋନ୍ରେ ଜିଲ୍ଲା ପରିଷଦ ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ କୁନ୍ତୀ ପ୍ରଧାନ ।
ଏଠାରେ ୩୫ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୩୩ଟି ଆସନରେ ବିଜୟୀ ହୋଇଥିଲା । ତେବେ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ପାଇଁ କୁନ୍ତୀଙ୍କ ନାମରେ ମୋହର ମାରିଥିଲେ ବିଜେଡି ସୁପ୍ରିମୋ । ତେବେ ଆଉ କେହି ନାମାଙ୍କନ ଭରିନଥିବାରୁ ସେ ଅପ୍ରତିଦ୍ବନ୍ଦୀ ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।
କୁନ୍ତୀ ଜଣେ SHG ଗ୍ରୁପ ଲିଡର ଭାବେ କାମ କରି ନବୀନ ପଟ୍ଟନାୟକଙ୍କ ଆସ୍ଥା ଭାଜନ କରି ପାରିଥିଲେ । କୁନ୍ତୀ ଜିଲ୍ଲାପରିଷଦ ସଭାପତି ନିର୍ବାଚିତ ହେବା ଜିଲ୍ଲା ବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି । ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ପାଇଁ ବିଶ୍ରା ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ, କୁଆରମୁଣ୍ଡାର ରାଜେନ୍ଦ୍ର କୁଜୁର ଓ ସବଡେଗାର ମନୋଜ ବରୁଆଙ୍କ ନାମ ଚର୍ଚ୍ଚାରେ ରହିଥିଲା ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ