ରାଉରକେଲା: ସରକାର ଗମନାଗମନର ସୁବିଧା ପାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡ଼ିଣ୍ଡିମ ପିଟୁଛନ୍ତି । ହେଲେ ଏବେ ମଧ୍ୟ ଏମିତି ଅଞ୍ଚଳ ଅଛି ଯାହା ସରକାରଙ୍କ ବିକାଶ ନକ୍ସାର ଆଢ଼ୁଆଳରେ ରହିଯାଇଛି । ତେବେ ରାଉରକେଲା ଉପକଣ୍ଠ ଝିରପାଣି ନିକଟରେ ଦେଓ ନଦୀ ଉପରେ ମିଟକୁନ୍ଦୁରୀରୁ ରିଉଁ ଗ୍ରାମକୁ ଯିବା ପାଇଁ ରାସ୍ତାର ସମସ୍ୟା ଥିବା ବେଳେ ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି ବ୍ରିଜ । ତେବେ ଏହି କାମକୁ ରୁରନ୍ତ ଶେଷ କରିବା ପାଇଁ ଦାବି କରି ଗତ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଏହି ଅର୍ଦ୍ଧନିର୍ମିତ ବ୍ରିଜ ଉପରେ ଧାରଣା ଦେବା ସହ ଅକ୍ଟୋବର ୨୪ରେ ଧାରଣା ଛାଡି ଆମରଣ ଅନଶନ କରିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଆମରଣ ଅନଶନରେ ବସିଥିବା ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି ମୁକ୍ତିକାନ୍ତ ।
ଦୀର୍ଘ ଛଅ ଦିନ ଧରି ଆମରଣ ଅନଶନ ଚାଲିଥିବା ବେଳେ ଏହି ବ୍ରିଜ ନିର୍ମାଣ ଦାବିରେ ଆଜି ରାସ୍ତା ରୋକ କରିବା ପାଇଁ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ । ଏହି ସମୟରେ ମୁକ୍ତିକାନ୍ତ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ମୁକ୍ତିକାନ୍ତ ବିଶ୍ୱାଳ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୁକ୍ତିକାନ୍ତ ଅକ୍ଟୋବର 2 ତାରିଖରୁ ବିକ୍ଷୋଭ ଆରମ୍ଭ କରି ପ୍ରାୟ ତିନି ସପ୍ତାହ ଧରି ଏହା ଚାଲିଥିଲା । ସ୍ଥାନୀୟ ପ୍ରଶାସନ ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନଆସିବାରୁ ୨୨ ଦିନର ଲଗାତାର ଆନ୍ଦୋଳନ ଧାରଣା ପରେ ଅକ୍ଟୋବର ୨୪ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଆମରଣ ଅନଶନରେ ବସିଥିଲେ ମୁକ୍ତିକାନ୍ତ ।
ଏହା ମଧ୍ୟ ପଢ଼ନ୍ତୁ......ଅର୍ଦ୍ଧନିର୍ମିତ ବ୍ରିଜ୍ ସମ୍ପୂର୍ଣ୍ଣ ଦାବିରେ ସମାଜସେବୀ ମୁକ୍ତିକାନ୍ତଙ୍କ ଧାରଣା
ତେବେ ଏହି ଅନଶନର ଉଦ୍ଦେଶ୍ୟ ହେଉଛି ଦୀର୍ଘଦିନ ଧରି ଅଧାପନ୍ତରିଆ ହୋଇ ରହିଥିବା ସେତୁ ପ୍ରତି ଦୃଷ୍ଟି ଆକର୍ଷଣ କରିବା, ଯାହାକି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ହତାଶାର କାରଣ ପାଲଟିଛି । ସେତୁ କେବଳ ପରିବହନ ପାଇଁ ଅତ୍ୟାବଶ୍ୟକ ନୁହେଁ ବରଂ ଏହି ଅଞ୍ଚଳ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । 2018ରେ ଆରମ୍ଭ ହୋଇଥିବା ଏହି ବ୍ରିଜ ଯାହା 2020 ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଥିଲା । କିନ୍ତୁ ଦୁର୍ଭାଗ୍ୟବଶତ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଅଟକି ଯାଇଛି ।
ବର୍ତ୍ତମାନ 2023 ଶେଷ ହେବାକୁ ବସିଲାଣି ଏହା ଶେଷ ହେବାର ନା ଧରୁନି । ଅଧାରେ ଅଟକି ରହିଛି ମାତ୍ର ୧୫୦ ମିଟର ଲମ୍ବ ଏହି ବ୍ରିଜ ନିର୍ମାଣ କାର୍ଯ୍ୟ । ସେତୁ କାର୍ଯ୍ୟ ବନ୍ଦ ହେବାର ମୁଖ୍ୟ କାରଣ ହେଉଛି ଜମି ଅଧିଗ୍ରହଣ ଓ କ୍ଷତିପୂରଣ ସମସ୍ୟାର ସମାଧାନ ନହେବା । ଇତି ମଧ୍ୟରେ ବର୍ଷ ବର୍ଷ ବିତି ଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଜମି ମାଲିକମାନେ ଏପର୍ଯ୍ୟନ୍ତ ସେମାନଙ୍କ ଜମିର ଉଚିତ କ୍ଷତିପୂରଣ ପାଇନାହାନ୍ତି । ଯାହା ଫଳରେ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି ।
ଇଟିଭି ଭାରତ, ସୁନ୍ଦରଗଡ଼