ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ମିଳିଛି ୧୬ ହଜାର ମିଲିୟନ ବର୍ଷ ପୂର୍ବର ଐତିହ୍ୟ ସ୍ଥଳ । ଏଠାରେ ଡାଇନାସୋର ଯୁଗ ବା ଜୁରାସିକ ଯୁଗ ପୂର୍ବର ଏକ ବିଶାଳ ପଥର ଠାବ ହୋଇଛି । ଭୂ-ବିଜ୍ଞାନୀମାନେ ହେମଗିରି ଅଞ୍ଚଳରେ ସ୍ଥିତ ଛେଙ୍ଗା ପାହାଡରେ ଉକ୍ତ ବିଶାଳ ପଥରର ସନ୍ଧାନ ପାଇଛନ୍ତି । ପାହାଡର ଶିଖରରେ ପଥରଟି ତୋରଣ ସଦୃଶ୍ୟ ରହିଛି । ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ, ଏହି ପଥର ଡାଇନୋସରମାନଙ୍କ ପୂର୍ବରୁ ରହିଛି । ହେମଗିରି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ ଗ୍ରାମ ନିକଟରେ ଏହି ବିରଳ ପ୍ରାକୃତିକ ଐତିହ୍ୟ ସ୍ଥାନ ଆବିଷ୍କୃତ ହୋଇଛି । ପାହାଡର ଆକୃତିକୁ ଦେଖି ସ୍ଥାନୀୟ ବାସିନ୍ଦା ଏହାକୁ ଛେଙ୍ଗା ପାହାଡ କହୁଥିବା ବେଳେ ଏହାର ଐତିହ୍ୟ ବାବଦରେ ଅଜ୍ଞ ଥିଲେ । ଏହା ୧୬ ହଜାର ନିୟୁତ ବର୍ଷ ପୁରୁଣା ଜଣାପଡିବା ପରେ ଛେଙ୍ଗା ପାହାଡକୁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଭୂ-ଐତିହ୍ୟର ମାନ୍ୟତା ଦେଇଛି ।
ଆଜକୁ ପ୍ରାୟ ୧୦ ନିୟୁତ ବର୍ଷ ପୂର୍ବରେ ଉକ୍ତ ବିଶାଳ ପଥର ପାହାଡ ଭାବରେ ଥିଲା । ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଛେଙ୍ଗା ପାହାଡ ଦେଇ ଏକ ନଦୀ ପ୍ରବାହିତ ହେବା ଦ୍ବାରା ପଥରର ରୂପରେଖ ବା ଆକୃତି ଏପରି ହୋଇଥିବା ଅନୁମାନ କରାଯାଉଛି । ସେହି ପଥର ବା ପାହାଡର ଗଠନକୁ ଦେଖି ବୈଜ୍ଞାନିକମାନେ ଏହାକୁ ''ବ୍ରାହ୍ମଣୀ ଆର୍କ" ନାମ ଦେଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା କନିକାରୁ ହେମଗିରି ଯିବା ବାଟରେ ମୁଖ୍ୟ ରାସ୍ତାରୁ ଘଞ୍ଚ ଜଙ୍ଗଲ ଦେଇ ପ୍ରାୟ ୨.୫ କିମି ଦୂରରେ ଥିବା ଛେଙ୍ଗା ପାହାଡ ଶିଖରରେ ରହିଛି ଏହି ପଥରର ତୋରଣ ରୂପକ ଐତିହ୍ୟ । ପୂର୍ବରୁ ଆଣ୍ଡାମାନ ନିକୋବର ଓ ତିରୁପତି ପାହାଡ଼ରେ ଦୁଇଟି ଏଭଳି ପୁରାତନ ଐତିହ୍ୟ ଆବିଷ୍କୃତ ହୋଇଥିବା ବେଳେ ବ୍ରାହ୍ମଣୀ ଆର୍କ ଆମ ଦେଶର ତୃତୀୟ ଭୂ-ଐତିହ୍ୟ ଭାବରେ ସ୍ବୀକୃତି ପାଇଛି । ଏହି ଭୂ-ଐତିହ୍ୟର ପ୍ରଚାର ପ୍ରସାର ହେଲେ ଆଗାମୀ ଦିନରେ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ସହ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ଭାରତୀୟ ଭୂତତ୍ତ୍ବ ସର୍ବେକ୍ଷଣ ଏବଂ ପ୍ରମୁଖ ଅନୁଷ୍ଠାନର ଗବେଷକଙ୍କୁ ନେଇ ଗଠିତ ଭୂବୈଜ୍ଞାନିକ ଦଳ ହେମଗିରି ଅଞ୍ଚଳରେ ନିୟମିତ ଭୂତତ୍ତ୍ବ ସର୍ବେକ୍ଷଣ କରୁଥିବା ବେଳେ ଏହି ବିଶାଳ ପଥରର ସନ୍ଧାନ ପାଇଥିଲେ । ପ୍ରାରମ୍ଭିକ ବିଶ୍ଳେଷଣରୁ ଏହି ପଥର ଡାଇନାସୋରଙ୍କ ବୟସ ଠାରୁ ମଧ୍ୟ ପୁରୁଣା ବୋଲି ଜଣାପଡ଼ିଥିଲା । ଏହି ଆବିଷ୍କାର ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ ବଡ ଉପଲବ୍ଧି । ଏହାକୁ ନେଇ ସୁନ୍ଦରଗଡବାସୀ ଖୁସି ପ୍ରକଟ କରିଛନ୍ତି ।
ଇଟିଭି ଭାରତ, ରାଉରକେଲା