ସୁନ୍ଦରଗଡ: ପୋଲିସ ହାବୁଡରେ ପଡିଲା ୪୨୦ ଠକ । ଗିରଫ ଠକ ନିଜକୁ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସବ ଇନସ୍ପେକ୍ଟରର ପରିଚୟ ଦେଇ ଲେଫ୍ରିପଡା ଥାନା ଅଧିକାରୀଙ୍କୁ ଠକିଥିଲା । ଠକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ଚତୁର୍ଭୁଜ ତରାଇ ଓରଫ ମାନସ ଦାସ ଓରଫ ଦୀପକ ପଣ୍ଡା । ଏହି ତିନୋଟି ନାଁ ରଖି ସେ ସମସ୍ତଙ୍କୁ ଠକି ଚାଲିଥିଲା । ବୈଶିଙ୍ଗା ଏସଆଇ ଦୀପକ ପଣ୍ଡା ନାମରେ ଏକ ଫେକ ଫେସବୁକ ଆଇଡି ଖୋଲି ସେ ରାଜ୍ୟର ବହୁ ପୋଲିସଙ୍କୁ ତା ବନ୍ଧୁତ୍ୱ ଜାଲରେ ଫସାଇ ସେମାନଙ୍କୁ ଭୁଆଁ ବୁଲାଉଥିଲା ।
ଆଉ ଟଙ୍କା ବି ଚଳୁ କରୁଥିଲା । କାହାକୁ ଭୁବନେଶ୍ୱରେ ପାଖାପାଖି ରହିବା ନେଇ ଜମି କିଣିବା ବାହାନାରେ ତ ପୁଣି କାହାକୁ ପୋଲିସ କନେଷ୍ଟବଳ, ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର ପରି ଚାକିରି କରାଇଦେବା ନାଁ ଚଳୁ କରିଥିଲା ଲକ୍ଷାଧିକ ଟଙ୍କା । ଏହି ସମସ୍ତ ତଥ୍ୟ ଟାଉନ ପୋଲିସର ତଦନ୍ତରେ ଜଣାପଡିଛି । ତେବେ ଅଭିଯୁକ୍ତ ଲେଫ୍ରିପଡା ଥାନା ଅଧିକାରୀ ହେମାଙ୍ଗିନୀ ଗର୍ଡିଆଙ୍କ ସହିତ ବନ୍ଧୁତ୍ୱର ସମ୍ପର୍କ ଗଢି ଉଠିଥିଲା । ତାଙ୍କୁ ଠକାମୀର ଜାଲରେ ମଧ୍ୟ ପକାଇଥିଲା । ଭୁବନେଶ୍ୱରରେ 4 ଡିସିମିଲ ଜାଗା କିଣି ଦେବା ନେଇ ସେ ହେମାଙ୍ଗିନୀ ଗର୍ଡିଆଙ୍କ ଠାରୁ ପ୍ରଥମ ଦଫାରେ 1,20,000 ଟଙ୍କା, ଦ୍ୱିତୀୟ ଦଫାରେ 3, 30, 000 ଟଙ୍କା ନେଇ ସାରିବା ପରେ ଜମି ରେଜିଷ୍ଟ୍ରେସନର ନାଁ ଗନ୍ଧ ଧରୁ ନ ଥିଲା ।
ହେମାଙ୍ଗିନୀ ଗର୍ଡିଆ ଏନେଇ ତା ଉପରେ ଚାପ ପକାଇବାରୁ ସେ ଆଉ ଅଧିକ 50 ହଜାର ଟଙ୍କା ଲାଗିବ କହି ତାଙ୍କୁ ଟଙ୍କା ଦାବି କରିଥିଲା । ଇତି ମଧ୍ୟରେ ଠକର ହାବଭାବ ତାଙ୍କୁ ହରଡଘଣାରେ ପକାଇଥିଲା । ଲେଫ୍ରିପଡା ଥାନା ଅଧିକାରୀ ହେମାଙ୍ଗିନୀ ପୂର୍ବ ଯୋଜନା ମୁତାବକ ଠକକୁ ଅଧିକ 50 ହଜାର ଟଙ୍କା ନେବାକୁ ସୁନ୍ଦରଗଡକୁ ଡାକିଥିଲେ । ଠକ ପୋଲିସର ଏହି ଯୋଜନାରେ ଧରାପଡିଥିଲା । ତେବେ ମଙ୍ଗଳବାର ସେ କେବଳ ଟଙ୍କା ନେଇ ପାର ହେବାକୁ ଚେଷ୍ଟା କରି ନଥିଲା ।
ସେ (ଠକ) ଲେଫ୍ରିପଡା ଥାନା ଅଧିକାରୀ ହେମାଙ୍ଗିନୀ ଗର୍ଡିଆଙ୍କ ଚଣ୍ଟି ଚିପି ହତ୍ୟା କରିବାର ଉଦ୍ୟମ କରିଥିଲା ବୋଲି ପୋଲିସ କହିଛି । ତେବେ ଲେଫ୍ରିପଡା ଥାନା ଅଧିକାରୀଙ୍କ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ସମ୍ପୃକ୍ତ ଠକକୁ କାବୁ କରିଥିଲେ । ପରେ ଟାଉନ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଟାଉନ ଥାନାକୁ ଆଣିଥିଲା । ପଚରାଉଚରା କରିବା ପରେ ଅଭିଯୁକ୍ତ ତା ଘର ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଜଗଡିହି ବୋଲି ପୋଲିସକୁ କହିଛି । ତେବେ ଅଭିଯୁକ୍ତ ନାମରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ମାମଲା ମଧ୍ୟ ରହିଛି । ସୁନ୍ଦରଗଡ ଟାଉନ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ