ସୁନ୍ଦରଗଡ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ରାଉରକେଲା ଅବକାରୀ ବିଭାଗ ଚାନ୍ଦିପୋଷ ଥାନା ଅନ୍ତର୍ଗତ ତାମଡାରେ ଚଢାଉ କରି 1710 ଲିଟର ବିଦେଶ ମଦ ଜବତ ହୋଇଛି । 4 ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହାସହ କାରକୁ ମଧ୍ୟ ଜବତ କରାଯାଇଛି ।
ସୂଚନା ଅନୁସାରେ,ବିଳମ୍ବିତ ରାତିରେ ଏହି ବେଆଇନ କାରବାର ନେଇ ଅବକାରୀ କମିଶନର ଆଶିଷ କୁମାର ସିଂ ଖବର ପାଇଥିଲେ । ସୂଚନା ପାଇବା ପରେ ଏକ ଟିମ ଗଠନ କରାଯାଇ ଅତର୍କିତ ଚଢାଉ କରାଯାଇଥିଲା । ଚଢାଉରେ 190 ପେଟି ମଦ ଜବତ କରାଯାଇଥିଲା । 190 ପେଟିରେ ମୋଟ 1710 ଲିଟର ବିଦେଶୀ ମଦ ରହିଥିଲା । ଯାହାର ଆନୁମାନିକ ମୂଲ୍ୟ 20 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ କହିଛି । ଚଢାଉରେ ମୁଖ୍ୟ ଅଭିଯୁକ୍ତ ଅନୀଲ କୁମାର ସାହୁଙ୍କ ସମେତ ତାର ଅନ୍ୟ ତିନି ଜଣ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି ।
ତେବେ ଅଭିଯୁକ୍ତ ଅନୀଲର ଘର ରାଉରକେଲା ଜଗଦାରେ ବୋଲି ଅବକାରୀ ବିଭାଗ କହିଛି । ଅନ୍ୟ ତିନି ଗିରଫ ଅଭିଯୁକ୍ତ ମାନେ ହେଲେ – ବିରେନ୍ଦ୍ର କୁମାର ସାହୁ , ବିନୋଦ କୁମାର ପାତ୍ର ଓ ମନୋଜ ସିଂ । ଏହି ଅଭିଯୁକ୍ତ ମାନଙ୍କ ଘର ଚାନ୍ଦିପୋଷ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଅରୁଣାଚଳ ପ୍ରଦେଶରୁ ଏମାନେ ଏହି ମଦ ଚୋରାରେ ଆଣି ସୁନ୍ଦରଗଡ ଜିଲ୍ଲା ଓ ଜିଲ୍ଲା ବାହାର ଜିଲ୍ଲାକୁ ଚାଲାଣ କରୁଥିଲେ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ