ସୁନ୍ଦରଗଡ: ଜିଲ୍ଲାପାଳ ନିଖିଲ୍ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ଲିଙ୍ଗ ନିରୂପଣ ନିଷେଧ ଆଇନ ୧୯୯୪ ର ଜିଲ୍ଲା ପରାମର୍ଶ ଦାତା ଓ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲ୍ଲାପାଳ କନ୍ୟା ସନ୍ତାନ ଅନୁପାତ ବୃଦ୍ଧି(Girl child ratio) କରିବା ଦିଗରେ ଗୁରୁତ୍ବାରୋପ କରିଛନ୍ତି । ଏଥିସହ ଜିଲ୍ଲାର ସମସ୍ତ ଆଲଟ୍ରାସାଉଣ୍ଡ୍ କେନ୍ଦ୍ର ଗୁଡିକ ନିୟମିତ ନିରୀକ୍ଷଣ କରାଯିବାକୁ ପରାମର୍ଶ ଦେଇଛନ୍ତି ।
ଏହା ସହିତ ଲିଙ୍ଗ ନିରୂପଣ ନିଷେଧ ଆଇନ୍ ଓ କନ୍ୟା ସନ୍ତାନର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଗୁଡ଼ିକୁ ହାତକୁ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ସରୋଜ କୁମାର ମିଶ୍ର ଗୋଟିଏ ନୂତନ ଅଲଟ୍ରାସାଉଣ୍ଡ୍ କେନ୍ଦ୍ରର ପଞ୍ଜୀକରଣ ଓ ତିନୋଟି ଅଲଟ୍ରାସାଉଣ୍ଡ କେନ୍ଦ୍ରର ନବୀକରଣ ରିପୋର୍ଟ ଉପସ୍ଥାପନ କରିଥିଲେ ।
ସବିଶେଷ ଆଲୋଚନା ପରେ କେନ୍ଦ୍ର ଗୁଡ଼ିକର ପଞ୍ଜିକରଣ ଓ ନବୀକରଣ ପାଇଁ ଅନୁମୋଦନ କରାଯାଇଥିଲା । ଅତିରିକ୍ତ ଜନ ସ୍ଵାସ୍ଥ୍ୟ ଅଧିକାରୀ(ପରିବାର ଓ ସ୍ଵାସ୍ଥ୍ୟ କଲ୍ୟାଣ) ଡକ୍ଟର ଶକ୍ତି ପ୍ରସାଦ ପାଢ଼ୀ ଲିଙ୍ଗ ନିରୂପଣ ନିଷେଧ ଆଇନ ଅନ୍ତର୍ଗତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ।
ବୈଠକରେ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ) DSP, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, DPM, NHM ଗୃହିଣୀର ସଭାପତି ସ୍ନେହଲତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପି.ସି.ପି. ଏଣ୍ଡ ଡି. ଟି. ଅଧିନିୟମର ସହକାରୀ ପରିଚାଳକ ବୁଧ ରଞ୍ଜନ ଭୋଇ ପରିଚାଳନା କରିଥିଲେ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ