ରାଉରକେଲା: ରାଉରକେଲା ୱାଟକ ଅଫିସ ସମ୍ମୁଖରେ ଗର୍ଜିଲେ ପାନପୋଷ ବିଜେପି । ବହୁ ବିଜେପି ସମର୍ଥକ ଏକାଠି ହୋଇ ୱାଟକ ଅଫିସ ସମ୍ମୁଖରେ ବ୍ୟାପକ ପ୍ରତିବାଦ କରିଥିଲେ । ଓଡ଼ିଶା ରାଜ୍ୟ ସରକାରଙ୍କ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଅବହେଳା ଓ ଅତ୍ୟାଚାରକୁ ନେଇ ଗୁରୁତର ଉଦ୍ବେଗ ପ୍ରକାଶ କରିଛି ବିଜେପି ।ଏହାର ବିରୋଧରେ ଆଜି ସରକାରଙ୍କ ବିରୋଧରେ ଗର୍ଜିଛି ଦଳ । ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଦେଖାଯାଇଥିବା ହଇଜା ରୋଗ ବ୍ୟାପିବା ସହିତ ବହୁ ଅମୁଲ୍ୟ ଜୀବନ ଯିବା ଅତ୍ୟନ୍ତ ଦୁଃଖଦ ବୋଲି କହିଛି ବିଜେପି ।
ତେବେ ମହାନଗର ନିଗମର ଅପାରଗତା ପଣିଆ ଏବଂ ରାଜ୍ୟ ସରକାରଙ୍କ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଫଳତା ଉପରେ ବର୍ସିଛି ଦଳ । ପାନୀୟ ଜଳ ପାଇପ ଲାଇନ ଡ୍ରେନରେ ନିଆଯାଇଛି । ଫଳରେ ପାଇପ ଫାଟିଲେ ଡ୍ରେନ ମଇଳା ପାଣି ମିଶିବା ଯୋଗୁଁ ଏଭଳି ସ୍ଥିତ ଉପୁଜିଛି ବୋଲି ଅଭିଯୋଗ କରୁଛି ବିଜେପି । ଏହା ଉପରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି ଦଳ ।
ଅନ୍ୟପଟେ ଆର.ଜି.ଏଚ ଓ ଅନ୍ୟାନ୍ୟ ହସ୍ପିଟାଲ ଗୁଡ଼ିକରେ ସଚେତନତା ପାଇ ୨୪ ଘଣ୍ଟିଆ ଯୋଗାଯୋଗ ବ୍ୟବସ୍ଥା କରିବା ପାଇଁ ଦାବି କରିଛି ଦଳ ।ଏହ ସହ ସମସ୍ତ ଜଳ ଯୋଗାଣ ଟାଙ୍କିଗୁଡ଼ିକୁ ସଫା ଓ ସୁତୁରା ରଖିବା, ଡାକ୍ତର ଓ ଷ୍ଟାଫ ଙ୍କୁ ସଂକ୍ରମିତ ଅଞ୍ଚଳକୁ ପଠାଇବା, ଆବଶ୍ୟକୀୟ ଔଷଧ ସବୁ ହସ୍ପିଟାଲରେ ଉପଲବ୍ଧ କରାଇବା କରିବା ପାଇଁ ଦାବି କରିଛି । ଏହାସହ ହସ୍ପିଟାଲରେ ଆବଶ୍ୟକୀୟ ଶଯ୍ୟାର ବ୍ୟବସ୍ଥା କରିବା, ସଂକ୍ରମିତ ଅଞ୍ଚଳରେ ପ୍ରଶାସନ ତରଫରୁ ନିଃଶୁଳ୍କ ଖାଦ୍ୟ ଯୋଗାଇ ଦେବା, ପିଇବା ପାନୀୟ ଜଳ ସୁବ୍ୟବସ୍ଥା କରିବା, ସ୍କୁଲ ଅନୁଷ୍ଠାନ ଗୁଡ଼ିକରେ ସଚେତନତା ପାଇଁ ପଦକ୍ଷେପ ନେବା, ପ୍ରଶାସନ ତରଫରୁ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଆଦି ଦାବି କରିଛି ।
ଏହା ମଧ୍ୟ ପଢନ୍ତୁ....ରାଉରକେଲାରେ ହଇଜା ଆତଙ୍କ, ସ୍ଥିତି ନିୟନ୍ତ୍ରଣକୁ ଆସୁଛି କହିଲେ ଅତିରିକ୍ତ ଜିଲ୍ଲାପାଳ
ରାଉରକେଲା ସହର ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ଡାଇରିଆ ଏବଂ ହଇଜାରେ ଭୟର ବାତାବରଣ ଦେଖା ଦେଇଛି । ଝାଡ଼ାବାନ୍ତିରେ ଲୋକେ ଜୀବନ ହାରିବା ସହ ବର୍ତ୍ତମାନ ମଧ୍ୟ ଜୀବନ ସହ ସଂଘର୍ଷ ଜାରି ରହିଥିବାବେଳେ ପ୍ରଶାସନ ନିଜ ଦୋଷ ଲୁଚାଇବାରେ ଲାଗିଛି ବୋଲି ଅଭିଯୋଗ କରିଛି ବିଜେପି ଦଳ । ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର ଟିମ ସହରର ବିଭିନ୍ନ ସ୍ଥାନ ବୁଲି ସ୍ଥିତି ପରଖିଛନ୍ତି । ତେବେ ଡାଇରିଆ ରୋଗ କେଉଁଠୁ ଆସିଲା ଯଥା ସମ୍ଭବ ଏହାର କାରଣ ଲୋକଙ୍କୁ ଜଣାଇ ଦିଆଯାଉ ବୋଲି ମଧ୍ୟ ବିଜେପି ଦାବି ରଖିଛି ।
ଇଟିଭି ଭାରତ, ରାଉରକେଲା