ସୁନ୍ଦରଗଡ: ଜିଲ୍ଲାରେ ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ । ଗତ ଜାନୁଆରୀ 14 ତାରିଖରେ ଘଟିଥିବା ଭବାନୀପୁର ହତ୍ୟାକାଣ୍ଡ ପରି ଜିଲ୍ଲାରେ ଆଉ ଏକ ହତ୍ୟାକାଣ୍ଡ ଘଟିଛି । ଗତକାଲି ସଦର ଥାନା ଅନ୍ତର୍ଗତ ବନ୍ଧପାଲି ଇବ୍ ନଦୀରୁ ଜଣେ 35 ବର୍ଷୀୟ ଦୁର୍ଗା ମାଝି ନାମକ ବ୍ୟକ୍ତିଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମୃତ ଦୁର୍ଗା ମାଝିର ବାପା ମାଆଙ୍କର ଚାରି ବର୍ଷ ପୂର୍ବରୁ ଦେହାନ୍ତ ହୋଇଛି । ଏହା ପରେ ସେ ସୁନ୍ଦରଗଡ କଲେଜ ବାଇପାସ ନିକଟରେ ଥିବା ଜଣେ ମହିଳାଙ୍କ ସହିତ ରହୁଥିଲେ । ମହିଳାଜଣଙ୍କ ଦୁର୍ଗାଠାରୁ ବୟସରେ ବଡ ବୋଲି ଜଣାପଡିଛି । ପେଶାରେ ଦୁର୍ଗା ଜଣେ ଶ୍ରମିକ ଭାବେ କାମ କରୁଥିଲେ । ମୃତ ଦୁର୍ଗା ଗତ ରବିବାର ଦିନ ତା ସାନ ଭାଇକୁ ଔଷଧ ଦେବା ସହ ତା ବଡବାପା ପୁଅ ଭାଇ ସହ ମିଶି ମଦ୍ୟପାନ କରିଥିଲା । ଏହା ପରେ ଦୁର୍ଗା କାମ କରୁଥିବା ମାଲିକ ସହିତ ମଧ୍ୟ ମିଶି ମଦ୍ୟପାନ କରିଥିଲା ବୋଲି କହିଛନ୍ତି ଦୁର୍ଗାର ଭାଇ । ଏହା ପରେ ଦୁର୍ଗା କେଉଁ ଆଡେ ଗଲା ତାହା ଜାଣିନଥିବା କହିଛନ୍ତି ଦୁର୍ଗାର ବଡବାପା ପୁଅ ଭାଇ ।
ନଦୀରେ ଖଣ୍ଡ ବିଖଣ୍ଡିତ ମୃତଦେହ ଭାସୁଥିବା ପ୍ରଥମେ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟିକୁ ଆସିଥିଲା । ଏହା ପରେ ସରପଞ୍ଚ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ଦୁର୍ଗାର କେବଳ ହାତ, ମୁଣ୍ଡ ଓ ଗୋଡ ମିଳିଛି । ଦୁର୍ଗାର ଗଣ୍ଡି ମିଳି ନଥିବା କହିଛନ୍ତି ଏସିପି ।
ଦୁର୍ଗାର ସମସ୍ତ ଦେହାବଶେଷ ଗଚ୍ଛିତ କରିବା ନେଇ ପୋଲିସ ଉଦ୍ୟମ ଜାରି ରଖିଛି । ପୋର୍ଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ଏସପି । ଏହା ସହିତ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି । ଏଭଳି ନୃଶଂସ ହତ୍ୟାକାଣ୍ଡ ପରକୀୟା ପ୍ରିତୀ କିମ୍ବା ଜମି ବାଡି ଗଣ୍ଡଗୋଳରୁ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ